ଦୀର୍ଘ ୪୨ ଘଣ୍ଟା ପରେ ମିଳିଲା ନିଖୋଜ ଛବି ମାଝୀଙ୍କ ମୃତଦେହ
ଝାରବନ୍ଧ ନିକଟରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରୁ ଉଦ୍ଧାର….
କଲମପୁର: ଦୀର୍ଘ ୪୨ ଘଣ୍ଟାର ଖୋଜାଖୋଜି ପରେ ଶେଷରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରୁ ନିଖୋଜ ଯୁବକ ଛବି ମାଝୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ଜୁନାଗଡ଼ ଥାନା ଅନ୍ତର୍ଗତ ଝାରବନ୍ଧ ନିକଟସ୍ଥ କେନାଲର ପଥର ବନ୍ଧରେ ମୃତଦେହଟି ଲାଗି ରହିଥିବା ଦେଖିବାକୁ ମିଳିଥିଲା।ସୂଚନା ଅନୁଯାୟୀ, ଘର୍ଲା କେନାଲପଡ଼ାର ୪୦ ବର୍ଷୀୟ ଛବି ମାଝୀ ଦୁଇ ଦିନ ତଳେ ଘର୍ଲା ନିକଟସ୍ଥ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ଘଟଣା ପରେ ପରିବାରବର୍ଗ ଓ ପୁଲିସର ଉପସ୍ଥିତିରେ କଲମପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୀର୍ଘ ଦୁଇ ଦିନ ଧରି କେନାଲରେ ଖୋଜାଖୋଜି ଜାରି ରଖିଥିଲେ।

ତେବେ ସେତେବେଳେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଝାରବନ୍ଧ ନିକଟରେ କେନାଲର ପଥର ବନ୍ଧରେ ମୃତଦେହ ଲାଗିଥିବା ଖବର ପାଇ ପରିବାର ଲୋକେ କଲମପୁର ଥାନା ଅଧିକାରୀ ସୁନିଲ କୋଣ୍ଡାଗୋରୀଙ୍କୁ ସୂଚନା ଦେଇଥିଲେ। ଥାନା ଅଧିକାରୀଙ୍କ ଉପସ୍ଥିତିରେ କଲମପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ମୃତଦେହଟିକୁ ଉଦ୍ଧାର କରିଥିଲେ। ପରେ ଶବ ବ୍ୟବଚ୍ଛେଦ ପାଇଁ କଲମପୁରରେ ନିୟୋଜିତ ଶବବାହକ ଯାନ ସହାୟତାରେ ମୃତଦେହକୁ ଜୟପାଟଣାକୁ ପଠାଯାଇଥିଲା। ଏହି ଘଟଣାକୁ ନେଇ କଲମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏହି ଦୁଃଖଦ ଘଟଣାରେ ଘର୍ଲା କେନାଲପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
