December 10, 2024
Home » ଧାନ କିଣା କୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରିବା ପାଇଁ ଦାବି

ଧାନ କିଣା କୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରିବା ପାଇଁ ଦାବି

0

ସୁବର୍ଣ୍ଣପୁର –ନୂତନ ସରକାର ଆସିବା ପରେ ଧାନ କିଣା ବିକାକୁ ସ୍ବଚ୍ଛ ଓ ଦୁର୍ନିତୀମୁକ୍ତ କରିବା ପାଇଁ ଯେତେ ଭାଷଣ ଦେଇ ଚାଲିଛନ୍ତି, ବିଡ଼ମ୍ବନାର ବିଷୟ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସେତିକି ତତ୍ପରତା ଦେଖାଉନାହାନ୍ତି । ପଶ୍ଚିମାଞ୍ଚଳ ର ଅଧିକାଂଶ ଜିଲ୍ଲାରେ କେବେଠୁ ଡିଏଲପିସି୍ ବୈଠକ ହୋଇସାରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଏଯାଏଁ ହୋଇନାହିଁ। ଏଠାରେ ଧାର୍ଯ୍ୟ ସମୟ ଠାରୁ ମାସେ ବିଳମ୍ବରେ ସବୁ କାର୍ଯ୍ୟ ଚାଲିଛି। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବାରମ୍ବାର ଜିଲ୍ଲାପାଳଙ୍କୁ ଏ ବିଷୟ ରେ ଜଣାଇଦିଆଯାଇଛ l ଡି ଏଲ ପି ସି ବୈଠକରେ ଚାଷୀ ପ୍ରତିନିଧି ଓ ଚାଷୀ ସଂଗଠନ ମାନଙ୍କର ଉପସ୍ଥିତି ବହୁ ଜରୁରୀ କିନ୍ତୁ ଜିଲ୍ଲାପାଳ ଏଥର ମଧ୍ୟ ସଂଗଠନକୁ କୌଣସି ପତ୍ର ଲେଖିନାହାଁନ୍ତି। ସରକାର ବଦଳିବା ସହ ସରକାରୀ ଚାଷୀ ପ୍ରତିନିଧି ମଧ୍ୟ ବଦଳୁଛନ୍ତି। ଶାସକ ଦଳ ନିଜକୁ ସୁହାଇଲା ଭଳି ଚାଷୀ ପ୍ରତିନିଧିଙ୍କୁ ଚୟନ କରୁଛନ୍ତି ଏବଂ ପ୍ରଶାସନ ମଧ୍ୟ ସେହି ଇସାରାରେ କାର୍ଯ୍ୟ କରୁଛି। ଏହି ଚାଷୀ ପ୍ରତିନିଧିମାନେ କେବେ ବି ତୃଣମୂଳ ସ୍ତରର ଚାଷ ଓ ଚାଷୀଙ୍କ ସମସ୍ୟା ସଂପର୍କରେ ପ୍ରଶାସନକୁ ସଚେତନ କରାଇନଥାନ୍ତି। ଜିଲ୍ଲାରେ ଚାଲିଥିବା ଚାଷୀ ଲୁଟ୍ ରେ ଏମାନେ ନିଜର ଭାଗକୁ ମଧ୍ୟ ସୁରକ୍ଷିତ ରଖୁଥିବାର ଅନେକ ନଜିର ରହିଛି। ବର୍ଷ ବର୍ଷ ଧରି ଏହି ଲୁଟ୍ ପ୍ରକ୍ରିୟା ସୁରୁଖୁରୁରେ ଚାଲିଆସୁଛି। ଏଣୁ ଖୋଦ୍ ଜିଲ୍ଲାପାଳ ତଥା ପ୍ରଶାସନ ଏହାର ନେତୃତ୍ବ ନନେଉଥିଲେ ଏହା କେମିତି ସମ୍ଭବ ବୋଲି ସଂଗଠନ ପ୍ରଶ୍ନ କରିଛି l
ପଡ଼ୋଶୀ ଜିଲ୍ଲାମାନଙ୍କରେ ଧାନ କିଣା ବିକାରେ ନୂତନ ମାନନିର୍ଣ୍ଣୟ ପ୍ରକ୍ରିୟା ବିଷୟରେ ଚାଷୀଙ୍କୁ ସଚେତନ କରିବା ପାଇଁ ପ୍ରତି ଗ୍ରାମରେ ଚାଷୀ ସଚେତନତା କର୍ମଶାଳା ଆରମ୍ଭ ହୋଇଗଲାଣି। କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାରେ ଏ ପର୍ଯ୍ୟନ୍ତ ବୈଠକ ନହେବା ହେତୁ କେବଳ ଜଣେ କ୍ବାଲିଟି କଣ୍ଟ୍ରୋଲ ଅଫିସର ନାମକୁ ମାତ୍ର ସଚେତନ ସଭା କରୁଛନ୍ତି ବୋଲି ଅଭିଯୋଗ ହେଉଛି l ଏହା ଆଦୌ ଯଥେଷ୍ଟ ନୁହେଁ। ଚାଷୀମାନଙ୍କୁ ଭାଗବତ ପଢ଼ିଲା ଭଳି ପଢ଼ିଦେଇ ଧାନର ମାନନିର୍ଣ୍ଣୟ ଶିଖାଇଦେବା ପ୍ରଶାସନର ଏକ ହାସ୍ୟାସ୍ପଦ ପରିକଳ୍ପନା। ଏଣୁ ସଂଗଠନ ପକ୍ଷରୁ କୁହାଯାଇଛି, ଜିଲ୍ଲାପାଳଙ୍କୁ ଶୀଘ୍ର ଏହି ବୈଠକ ଡାକି ତୁରନ୍ତ ସଚେତନ ସଭା କରାଇବାକୁ ନିର୍ଦ୍ଦେଶ ଦିଅନ୍ତୁ। ଆଉ ମଧ୍ୟ ଯେଉଁ ଯନ୍ତ୍ରରାକ୍ଷାସ ଭଳି ଧାନ ନିର୍ଣ୍ଣୟ ମେସିନ୍ ସରକାର ପଠାଇଛନ୍ତି, ତାହାର ଉପଯୋଗ କେମିତି ହେବ ଚାଷୀଙ୍କୁ ଦୃଷ୍ଟାନ୍ତ ଦେଇ ବୁଝାନ୍ତୁ। ଚାଷୀଙ୍କୁ ଠିକ୍ ଭାବେ ସଚେତନ ନକରି ଧାନ କଟନି ଛଟନି ହେଲେ ଏହାର ଜୋରଦାର ବିରୋଧ ହେବ ବୋଲି ସଂଗଠନର ନେତ୍ରୀ ସୋନାଲି ବିଶି ଚେତାବନୀ ଦେଇଛନ୍ତି। ଆହୁରି ମଧ୍ୟ ଶ୍ରୀମତୀ ବିଶି କହିଛନ୍ତି ସରକାର ଚାଷ କ୍ଷେତ୍ର ରେ ଯନ୍ତ୍ରପାତି ର ବ୍ୟବହାର କୁ ପ୍ରୋତ୍ସାହନ ଦେଉଛନ୍ତି। ଲୋକେ ଧାନ କାଟିବା ଯନ୍ତ୍ର ବ୍ୟବହାର ମଧ୍ୟ କରୁଛନ୍ତି। ହେଲେ ସେଠାରୁ ବାହାରୁଥିବା ଧାନ ସରକାର ଙ୍କୁ ପସନ୍ଦ ଆସୁନାହିଁ। ଲୋକ ସଂଖ୍ୟା ବଢିବା ଦ୍ଵାରା ବହୁତ୍ ଚାଷୀ ନାମମାତ୍ର ଚାଷୀ ହେଇଗଲେଣି। ଧାନ କାଟିବା ପରେ ଶୁଖାଇବା, ଧାନ ସଫା କରିବା ଆଦି କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଖଳା ଆଦି ଭିତ୍ତିଭୂମି ର ଘୋର ଅଭାବ ଅଛି। ତେବେ ସରକାର ଯଦି ସାଧାରଣ ମାନ ର ଧାନ କୁ ବିହନ ପରି ସଫା କରି ଆଣିବା ପାଇଁ କହିବେ ଚାଷୀ କରିବ କଣ? ଗଲା ବର୍ଷ ମାନଙ୍କରେ ଦେଖାଯାଇଛି ଯିଏ କଟନି ଛଟନି କୁ ମୁଣ୍ଡ ନୂଆଁଇ ଧାନ ବିକୁଛି ବିନା ମାନ ନିର୍ଦ୍ଧାରଣ ରେ ବି ସେ ଧାନ ଏଫ୍ ଏ କ୍ୟୁ ହୋଇଯାଇଥାଏ। ଅଥଚ ସାହସ କରି ସଂଗଠନ ର ସାହାର୍ଯ୍ୟ ନେଇ ଯେଉଁଠି ଚାଷୀ କଟନି ଛଟନି କୁ ବିରୋଧ କରିଛି ସେଇଠି ମାନ ନିର୍ଦ୍ଧାରଣ ପାଇଁ ପ୍ରଶାସନ ର ସବୁ ଠିକାଦାର ହାଜିର୍ ହୋଇଯାଇଥାନ୍ତି। ତେବେ ଜିଲ୍ଲାପାଳ ଯଦି ଜାଣୁଛନ୍ତି ଚାଷୀ ର ଧାନ ନିର୍ଦ୍ଧାରିତ ମାନ ର ନୁହେଁ ତେବେ କଟନି ହୋଇଗଲା ପରେ ତାହା ଏଫ୍ ଏ କ୍ୟୁ ବୋଲି କାହିଁକି ରିପୋର୍ଟ ଦେଉଛନ୍ତି। ସେ ସରକାର ଙ୍କୁ ସଠିକ୍ ତଥ୍ୟ ଦିଅନ୍ତୁ। ଧାନ ର ମାନ ଅନୁସାରେ ମିଲର୍ ମାନଙ୍କୁ ଚାଉଳ ଦେବା ର ଅଧିକ ଚାପ ପଡୁଛି ବୋଲି ସେମାନେ ସେହି ଚାଷୀ କୁ ତିନିଗୁଣ କରି ଚାପ ପକାଉଛନ୍ତି। ସେମାନେ ସରକାର ଙ୍କ ସହ କଥା ହୋଇ କ୍ଵିଣ୍ଟାଲ ଧାନ ପିଛା ଚାଉଳ ର ପରିମାଣ କୁ କମ୍ କରିବା ପାଇଁ ସରକାର ଙ୍କ ସାଙ୍ଗେ ଆଲୋଚନା କରନ୍ତୁ। ଚାଷୀ କାହିଁକି ସବୁବେଳେ ବଳି ପଡ଼ିବ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମତୀ ବିଶି।
ଏହି ଜିଲ୍ଲାସ୍ତରୀୟ ଧାନ କିଣା ବୈଠକ ଚାଷୀର ବର୍ଷକର ଆୟର ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ଏହି ଘଣ୍ଟେ ଦୁଇ ଘଣ୍ଟାର ବୈଠକ ଏହା ପାଇଁ ଆଦୌ ଯଥେଷ୍ଟ ନୁହେଁ। ଯଥାଶୀଘ୍ର ବୈଠକ ଡକାଇ ପୁଙ୍ଖାନୁପୁଙ୍ଖ ଭାବେ ବିଗତ ବର୍ଷ ଗୁଡ଼ିକର ସମସ୍ୟା ଓ ଆଗାମୀ ନୂତନ ବ୍ୟବସ୍ଥାରେ ଆସୁଥିବା ଆହ୍ବାନ ଗୁଡ଼ିକ ସଂପର୍କରେ ଚାଷୀ ପ୍ରତିନିଧିମାନଙ୍କ ସହ ଆଲୋଚନା ନିହାତି ଆବଶ୍ୟକ । ଆହୁରି ମଧ୍ୟ କେବଳ ଗୋଟିଏ ବୈଠକ ନହୋଇ ପର୍ଯ୍ୟାୟ କ୍ରମେ ଧାନ କିଣିବା ପୂର୍ବରୁ, ଧାନ କିଣା କିଛି ଦିନ ଯିବା ପରେ ଓ ଧାନ କିଣା ସଂପୂର୍ଣ୍ଣ ସରିବା ପରେ ଏକ ସମୀକ୍ଷା ବୈଠକ ଭଳି ୩ଟି ବୈଠକ ଜରୁରୀ ଓ ପ୍ରତ୍ୟେକରେ ଚାଷୀ ପ୍ରତିନିଧିଙ୍କ ଉପସ୍ଥିତି ଅପରିହାର୍ଯ୍ୟ ବୋଲି ସଂଗଠନର ଉପଦେଷ୍ଟା ରାଜେନ୍ଦ୍ର ମିଶ୍ର କହିଛନ୍ତି। ଗାଁ ଗାଁରେ ଚାଷୀମାନେ ସଚେତନ ହୋଇ ମଣ୍ଡି କମିଟିମାନ ଗଠନ କରନ୍ତୁ ଓ ସଂଗଠନରେ ଯୋଡ଼ି ହୋଇ ପ୍ରତ୍ୟେକ ଅନ୍ୟାୟର ପ୍ରତିବାଦ କରନ୍ତୁ ବୋଲି ସଂଗଠନର ସଚେତକ ସୁଧିର ବଘାର କହିଛନ୍ତି।
ସରକାର ପ୍ରଥମେ କହିଲେ, ଧାନ କ୍ବିଣ୍ଟାଲ ପିଛା ୨୩୦୦ ଟଙ୍କା ଚାଷୀ ଆକାଉଣ୍ଟରେ ପଡ଼ିବାର ୫ ମିନିଟ୍ ପରେ ୮୦୦ ଟଙ୍କା ବୋନସ୍ ରାଶି ସେହି ଆକାଉଣ୍ଟରେ ଦିଆଯିବ। ପୁଣି ସରକାର କହିଲେଣି ୨୩୦୦ ଟଙ୍କା ଆସିବାର ୪୮ ଘଣ୍ଟା ମଧ୍ୟରେ ୮୦୦ ଟଙ୍କା ବୋନସ ଆସିବ। ସରକାର ବାରମ୍ବାର ନିଜ କଥା ବଦଳାଇ ଚାଷୀମାନଙ୍କୁ ଭ୍ରମିତ କରୁଛନ୍ତି। ଏହା ସହ ଚାଷୀମାନେ ୩୧୦୦ ଟଙ୍କା ଏମଏସପି ପାଇବେ ବୋଲି ସବୁ ଗଣମାଧ୍ୟମ ଜରିଆରେ ପ୍ରଚାର କରୁଛନ୍ତି। ଏମଏସପି ପରିସର ମଧ୍ୟରେ ସମସ୍ତ ଚାଷୀ ଆସିଥାନ୍ତି ଓ ଏହା କେନ୍ଦ୍ର ସରକାରଙ୍କ କ୍ଷମତାଧିନ। ଯଦି ସରକାର ୩୧୦୦ ଟଙ୍କାକୁ ଏମଏସପି ବୋଲି କହୁଛନ୍ତି, ତେବେ, ପ୍ରତ୍ୟେକ ଚାଷୀ ଏହା ପାଇବେ ବୋଲି ସରକାର ଗ୍ୟାରେଣ୍ଟି ଦେବେ କି ବୋଲି ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ପ୍ରଶ୍ନ କରିଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *