June 27, 2026
Home » ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ତିରୋଧାନ ଦିବସ ପାଳିତ

ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ତିରୋଧାନ ଦିବସ ପାଳିତ

0
1001145060
ନୟାଗଡ଼  ( ଇପିଏ ) ନୟାଗଡ ଓଡ଼ିଆ ନାଟ୍ୟଜଗତର ପ୍ରଖ୍ୟାତ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ତିରୋଧାନ ଶ୍ରାଦ୍ଧ ଦିବସ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସଂସ୍କୃତି ଭବନ ପ୍ରାଙ୍ଗଣରେ ଥିବା ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା।
        ଆବାହକ ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଓଡ଼ିଆ ସାରସ୍ୱତ ଓ ନାଟ୍ୟ ସାହିତ୍ୟ ପ୍ରତି ଥିବା ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଏହି ମହାନ ନାଟ୍ୟ ଶିଳ୍ପୀ ନିଜ ଲେଖନୀ ମାଧ୍ୟମରେ ଗ୍ରାମୀଣ ଜୀବନର ସରଳତା, ପାରିବାରିକ ମୂଲ୍ୟବୋଧ, ସାମାଜିକ ସମସ୍ୟା ଓ ନିବିଡ଼ ମାନବୀୟ ସମ୍ପର୍କକୁ ମଞ୍ଚରେ ଜୀବନ୍ତ ରୂପ ଦେଉଥିଲେ। ତାଙ୍କ ନାଟକଗୁଡ଼ିକର ସରଳ ଭାଷା, ସଶକ୍ତ ସଂଳାପ ଓ ମଞ୍ଚୋପଯୋଗୀ ଶୈଳୀ ଆଜି ବି ଦର୍ଶକଙ୍କ ମନରେ ସ୍ମରଣୀୟ ହୋଇ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
      ଏହି ତିରୋଧାନ ଦିବସର ସ୍ମୃତି ସଭାରେ ସ୍ୱର୍ଗତ ମିଶ୍ରଙ୍କ ସୁପୁତ୍ର ତଥା ଅବସରପ୍ରାପ୍ତ ପ୍ରଫେସର ଶରତ ଚନ୍ଦ୍ର ମିଶ୍ର, ପୌରପରିଷଦ ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ଆଶୁତୋଷ ମିଶ୍ର, ନିରଞ୍ଜନ ସ୍ୱାଇଁ, ଡ. ବିଜୟ ରଥ, ସାମ୍ବାଦିକ ପ୍ରଦୀପ୍ତ ରଥ, ଗୋକୁଳ କୁମାର ଷଡ଼ଙ୍ଗୀ, ଲକ୍ଷ୍ମୀଧର ସାହୁ, କାମାକ୍ଷା ଦାଶ, ନୀଳିମା ନନ୍ଦ, ଦେବେନ୍ଦ୍ର ପରମଗୁରୁ, ପ୍ରତାପ ସାହୁ, ସୁଦର୍ଶନ ସାହୁ, ଅନ୍ତର୍ଯ୍ୟାମୀ ମହାନ୍ତି,ରୁଦ୍ରନାରାୟଣ ରଥ ଏବଂ ଜାନକୀ ବଲ୍ଲଭ ଜେନାଙ୍କ ସମେତ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ସଂସ୍କୃତିପ୍ରେମୀ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *