September 30, 2026
Home » ନିୟମଗିରିକୁ ବେଦାନ୍ତ ହାତରେ ଟେକି ଦେବାକୁ ରାଜ୍ୟ ସରକାର ଦୁଃସାହସ କରନ୍ତୁ ନାହିଁ*!

ନିୟମଗିରିକୁ ବେଦାନ୍ତ ହାତରେ ଟେକି ଦେବାକୁ ରାଜ୍ୟ ସରକାର ଦୁଃସାହସ କରନ୍ତୁ ନାହିଁ*!

0
WhatsApp Image 2026-09-29 at 4.39.52 PM

ଲାଞ୍ଜିଗଡର ପ୍ରଦ୍ୟୁଷଣକାରୀ ଆଲୁମିନା ପ୍ଲାଣ୍ଟକୁ ଅବିଳମ୍ବେ ବନ୍ଦ କର।।
ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (NAPM) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି।

ଭୁବନେଶ୍ୱର,ତା୨୯/୦୯:ନିୟମଗିରି ପର୍ବତ ମାଳାର ମାଲିକ ସେଠାକାର ଡଙ୍ଗରିଆ ଆଦିବାସୀ ! ଅନୀଲ ଅଗ୍ରୱାଲ କିମ୍ବା ରାଜ୍ୟ କି କେନ୍ଦ୍ର ସରକାର ତାର ମାଲିକ ନୁହଁନ୍ତି! ତେଣୁ ବେଦାନ୍ତ କମ୍ପାନୀ ହାତରେ ନିୟମଗିରିକୁ ପୁଣି ଟେକି ଦେବାକୁ ରାଜ୍ୟ ସରକାର ଦୁଃସାହସ କରନ୍ତୁ ନାହିଁ ବୋଲି ଆଜି ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍ -NAPM) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଖନନ ହୋଇନଥିବା ସମସ୍ତ ଖଣି ଲିଜକୁ ପ୍ରତ୍ୟାହାର କରିବା ଓ ଲାଞ୍ଜିଗଡର ପ୍ରଦ୍ୟୁଷଣକାରୀ ଆଲୁମିନା ପ୍ଲାଣ୍ଟକୁ ଅବିଳମ୍ବେ ବନ୍ଦ କରିବାକୁ ମଧ୍ୟ ଦାବି କରାଯାଇଛି। ଏନ୍.ଏ.ପି.ଏମ୍ ପକ୍ଷରୁ ଆୟୋଜିତ ଆଜିର ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଦୀର୍ଘ ପ୍ରାୟ ୧୩ ବର୍ଷ ପୂର୍ବେ ଐତିହାସିକ ନିୟମଗିରି ପାଦଦେଶରେ ବସବାସ କରୁଥିବା ଆଦିମ ଆଦିବାସୀ ସମ୍ପ୍ରଦାୟଙ୍କ ତୀବ୍ର ବିରୋଧ ଯୋଗୁଁ ବନ୍ଦ ହୋଇଯାଇଥିବା ନିୟମଗିରି ବକ୍ସାଇଟ୍ ପ୍ରକଳ୍ପକୁ ପୁଣି ଆରମ୍ଭ କରିବା ପାଇଁ ତଥା ନିୟମଗିରି ଖଣି ହାତେଇବା ପାଇଁ ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଶନିବାର ପୁଣିଥରେ ଉଦ୍ୟମ କୁ କେବେହେଲେ ବରଦାସ୍ତ କରାଯିବ ନାହିଁ। ନିୟମଗିରିରେ ଖଣି ଖନନ ପ୍ରକଳ୍ପ ଆରମ୍ଭ କରିବା ପାଇଁ ବେଦାନ୍ତର ଉଦ୍ୟମ ନିୟମଗିରି ସୁରକ୍ଷା ସମିତି ନେତୃତ୍ୱରେ ସ୍ଥାନୀୟ ଡଙ୍ଗରିଆ ଆଦିବାସୀ ମାନଙ୍କ ଆନ୍ଦୋଳନ ଯୋଗୁଁ ୨୦୧୩ ମସିହାରେ ବନ୍ଦ ହୋଇ ଯାଇଥିଲା। ଏହି ଅଞ୍ଚଳର ସମସ୍ତ ୧୧୨ ଖଣ୍ଡ ଗାଁର ଲୋକମାନେ ଏହାକୁ ବିରୋଧ କରିଥିଲେ। ସୁପ୍ରିମକୋର୍ଟ ମଧ୍ୟ ନିୟମଗିରି ପାହାଡ଼ରେ ଖଣି ଖନନ ଉପରେ ରୋକ୍ ଲଗାଇଥିଲେ। ସୁପ୍ରିମକୋର୍ଟଙ୍କ ରାୟରେ କୁହାଯାଇଥିଲା ଯେ, ନିୟମଗିରିରେ ଖଣି ଖନନ ହେବ କି ନାହିଁ, ତାହା ନିର୍ଣ୍ଣୟ କରିବାର ଅଧିକାର କେବଳ ଗ୍ରାମସଭା ଗୁଡ଼ିକର ରହିଛି। ସେହି ଆଧାରରେ ଏବଂ ଓଡ଼ିଶା ସରକାରଙ୍କ ଦ୍ଵାରା ଚିହ୍ନଟ ହୋଇଥିବା ୧୨ଟି ଡଙ୍ଗରିଆ କନ୍ଧ ସଂପ୍ରଦାୟ ସମେତ ଅନ୍ୟାନ୍ୟ ଗ୍ରାମର ଗ୍ରାମସଭା ଏକମତ ହୋଇ ଖଣି ପ୍ରସ୍ତାବକୁ ଖାରଜ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ପରିବେଶବିତ୍ ତଥା ଏନ୍.ଏ.ପି.ଏମ୍ (NAPM)ର ଜାତୀୟ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମନ୍ତରା ଓ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ମଧ୍ୟ ଉପସ୍ଥିତ ଥିଲେ। ନିକଟରେ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକାଙ୍କୁ ଗିରଫ ଏବଂ ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦ୍ ଙ୍କୁ ଦୀର୍ଘ ୬ ମାସ ଧରି ବିଭିନ୍ନ ମିଥ୍ୟା ମକଦ୍ଦମାରେ ଗିରଫ କରି ଜେଲ୍ ମଧ୍ୟରେ ଆବଦ୍ଧ କରିବା ଘଟଣା ବେଦାନ୍ତ କମ୍ପାନୀ ହାତରେ ନିୟମଗିରିକୁ ଟେକି ଦେବା ପାଇଁ ସରକାରଙ୍କ ଯୋଜନାବଦ୍ଧ ଷଢଯନ୍ତ୍ରର ଏକ ଅଂଶ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ନିୟମଗିରିରେ ଖଣି ଖନନ ନିଷେଧ ନିମନ୍ତେ ଗ୍ରାମସଭାର ନିଷ୍ପତ୍ତିକୁ ୨୦୨୩ ମସିହାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ମାନ୍ୟତା ଦେଇଥିଲା, ଯାହା ଅନୁସୂଚିତ ଅଞ୍ଚଳରେ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ପେସା,ଜଙ୍ଗଲ ଅଧିକାର ଆଇନ ଓ ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଉପରେ ଆଧାରିତ। ବେଦାନ୍ତ କଂପାନୀ ପୁଣି ୨୦୧୬ ରେ ସୁପ୍ରିମ କୋର୍ଟରେ ରିଭ୍ୟୁ ପିଟିସନ୍ ଦାୟର କରିଥିଲା, କିନ୍ତୁ ସୁପ୍ରିମକୋର୍ଟ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।ନିୟମଗିରି କେବଳ ଖଣିଜ ସମ୍ପଦ ର ଭଣ୍ଡାର ନୁହେଁ ,ସେହି ବକ୍ସାଇଟ ଯୋଗୁଁ ବଂଶଧାରା ଓ ନାଗାବଳୀ ଭଳି ଦୁଇ ନଦୀର ସୃଷ୍ଟି ହୋଇଛି ଏବଂ ତାହା ଡଙ୍ଗରିଆଙ୍କ ଦେବତା ଭାବରେ ପରିଚିତ। ନିୟମଗିରି ଠାରୁ କର୍ଲାପାଟ, ସିଜିମାଳି, କୁଟ୍ରୁମାଳି ,ଶାଶୁ-ବୋହୂ ମାଳିରେ କୌଣସି କମ୍ପାନୀକୁ ହାତ ମାରିବାକୁ ଦେବେ ନାହିଁ ବୋଲି ଆଦିବାସୀମାନେ ଲଢ଼େଇ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ କର୍ପୋରେଟ ମାନଙ୍କ ହାତବାରିସି ହୁଅନ୍ତୁ ନାହିଁ।
ପୂର୍ବଘାଟ ପର୍ବତମାଳା ଗୁଡ଼ିକର ସୁରକ୍ଷା ପାଇଁ ବକ୍ସାଇଟ ଧାରଣ କରିଥିବା ସମସ୍ତ ପର୍ବତ ଗୁଡିକର ସଂରକ୍ଷଣ ଓଡ଼ିଶାର ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଅତ୍ୟନ୍ତ ଜରୁରୀ।

ବେଦାନ୍ତକୁ ବର୍ତ୍ତମାନ ତିନୋଟି ଖଣି ବିନା ଗ୍ରାମସଭା ସମ୍ମତିରେ ଦିଆ ଯାଇଛି। ସିଜିମାଲି ଓ କର୍ଲାପାଟ ସୁରକ୍ଷା ପାଇଁ ଆଦିବାସୀ ଓ ଦଳିତ ମାନେ ସଂଗ୍ରାମ ରତ। ଏବେ ବକ୍ସାଇଟ ଖଣି ଖନନ ବିରୋଧରେ ଆଦିତ୍ୟ ବିରଳା, ଆଦାନୀ ଓ ନାଲକୋ ବିରୋଧରେ ଜନଆନ୍ଦୋଳନ ଚାଲିଛି ।
ବେଦାନ୍ତ କଂପାନୀ ବିଦେଶକୁ ଆଲୁମିନିୟମ୍ ରପ୍ତାନି କରିବାକୁ ବାର୍ଷିକ ୩୬ ନିୟୁତ ଟନ୍ ବକ୍ସାଇଟ୍ ଚାହୁଁଛି, ଯାହା ଫଳରେ ଆସନ୍ତା ୨୦ ବର୍ଷରେ ରାଜ୍ୟର ସମୁଦାୟ ବକ୍ସାଇଟ ଭଣ୍ଡାରର ଏକ ତୃତୀୟାଂଶ ଆବଶ୍ୟକ । ସେପରି ଆଦାନୀ ମଧ୍ୟ ସେହି ପରିମାଣରେ ବକ୍ସାଇଟ୍ ଚାହୁଁଛି, ଯାହାକି ସମଗ୍ର ଗଚ୍ଛିତ ବକ୍ସାଇଟ୍ ର ଦୁଇ ତୃତୀୟାଂଶ । କେବଳ ଏହି ଦୁଇଟି କମ୍ପାନୀ ସାରା ଓଡ଼ିଶାର ବକ୍ସାଇଟ୍ କୁ ଶେଷ କରିଦେବେ , ଯାହା ଦ୍ୱାରା ରାଜ୍ୟ ମରୁଭୂମି ହୋଇଯିବ।
ଆମେ ରାଜ୍ୟ ସରକାରଙ୍କ ସଂପ୍ରତି ବେଦାନ୍ତ କମ୍ପାନୀ ମାଲିକ ଅନୀଲ୍ ଅଗ୍ରୱାଲଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା ଓ ପ୍ରତିଶ୍ରୁତିକୁ ଦୃଢ଼ ବିରୋଧ କରୁଛୁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହି ଜନ ବିରୋଧି, ପ୍ରକୃତି ଓ ପରିବେଶ ବିରୋଧୀ ପଦକ୍ଷେପରୁ ନିବୃତ୍ତ ରହିବାକୁ ଆହ୍ବାନ କରିବା ସହିତ ନିୟମଗିରି ସୁରକ୍ଷା ପାଇଁ ଲାଞ୍ଜିଗଡ଼ର ପ୍ରଦୂଷଣକାରୀ ଆଲୁମିନା ପ୍ଲାଣ୍ଟକୁ ବନ୍ଦ କରିବାକୁ ଦାବି କରିଛନ୍ତି।

ଅନୁସୂଚିତ ଅଞ୍ଚଳର ପ୍ରାକୃତିକ ସମ୍ପଦର ସମ୍ପଦ ଉପରେ ଆଦିବାସୀ ସମୁଦାୟଙ୍କର ସାମ୍ବିଧାନିକ ଅଧିକାର ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ର ଉଦ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ଓଡ଼ିଶାର ବକ୍ସାଇଟ୍ ଖଣିଗୁଡ଼ିକୁ ବେଦାନ୍ତ ଓ ଆଦାନୀ ଭଳି ହାତଗଣତି କର୍ପୋରେଟ୍ ସଂସ୍ଥାଙ୍କ ହାତରେ ଟେକି ଦେବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ପ୍ରାକୃତିକ ସମ୍ପଦ, ଜୈବ ବିବିଧତା ଓ ପରିବେଶ ସୁରକ୍ଷା ସହିତ ଆଦିବାସୀ ଓ କୃଷକମାନଙ୍କ ଜୀବିକାକୁ ସୁରକ୍ଷିତ ରଖିବା ପାଇଁ ଏବଂ ରାଜ୍ୟରେ ଆଉ କୌଣସି ନୂଆ ବକ୍ସାଇଟ୍ ଖଣି ଖନନକୁ ଅନୁମତି ନଦେବା ପାଇଁ ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ ପକ୍ଷରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *