ନୟାଗଡ ଡାକ କ୍ଷେତ୍ରୀୟ କାର୍ଯ୍ୟାଳୟ ବ୍ରହ୍ମପୁର ଅଧିନକୁ ସ୍ଥାନାନ୍ତରିତ କରିବା ମସୁଧାକୁ,ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଘୋର ବିରୋଧ ଓ ସ୍ମାରକପତ୍ର ପ୍ରଦାନ ।
ନୟାଗଡ : ( ଇପିଏ ) ନୟାଗଡ ଜିଲ୍ଲା ସଦର ମହକୁମାରେ ଡାକ ବିଭାଗର ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଗତ ୬ବର୍ଷ ହେଲା କାର୍ଯ୍ୟ କରୁଥିବାବେଳେ ଉକ୍ତ କାର୍ଯ୍ୟାଳାୟ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧୀନରେ ରହିଛି । ଦୁଃଖର ବିଷୟ ମୁଖ୍ୟ ଡାକପାଳ, ନୟାଗଡ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧୀନରେ ରଖିବାପାଇଁ ମସୁଧା ଚଳାଇଛନ୍ତି । ତେଣୁ ୭ ତାରିଖ ଶୁକ୍ରବାର ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନୂଆ ଦିଲ୍ଳୀ ବିଭାଗୀୟ କେନ୍ଦ୍ର ସଚିବଙ୍କ ପାଖକୁ ଏକ ସ୍ମାରକପତ୍ର ନୟାଗଡ ଡାକ ଅଧିକ୍ଷକଙ୍କ ଜରିଆରେ ପ୍ରଦାନ କରାଯାଇଛି । ସ୍ମାରକପତ୍ର ଦେବା ସମୟରେ ସମ୍ପାଦକ ସୁବାସ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସଭାପତି ନିଶିକାନ୍ତ ରଥ, କାର୍ଯ୍ୟକାରୀ କମିଟି ସଭ୍ୟ ସାମ୍ବାଦିକ ଗୋକୁଳ କୁମାର ଷଡ଼ଙ୍ଗୀ, ଲୋକନାଥ ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ସତ୍ୟନାରାୟଣ ମିଶ୍ର, ପ୍ରଭାସିନୀ ନନ୍ଦ, ବିଭୂତି ପଟ୍ଟନାୟକ, ବିକ୍ରମ ସ୍ବାଇଁ, ରଂଜନ ନାୟକ, ପ୍ରମୋଦ ନନ୍ଦ, ସୁଧାକର ମିଶ୍ର ପ୍ରମୁଖଙ୍କ ଉପସ୍ଥିତ ଥାଇ କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ଅଧୀନରେ ନୟାଗଡ ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରହିବା ପାଇଁ ଦାବି କରିଥିଲେ ଓ ଉପସ୍ଥିତ ଥିଲେ। ବ୍ରହ୍ମପୁର ଡାକ କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧନରେ ନୟାଗଡ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରହିଲେ ଜିଲ୍ଲାବାସୀ, ଡାକ କର୍ମଚାରୀ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟକୁ ଯାତାୟାତ କରିବା ସମ୍ଭବପର ନୁହେଁ ଏବଂ ଘୋର ଅସୁବିଧା ହେବ ।


ନୟାଗଡରୁ ବ୍ରହ୍ମପୁର ଯିବାପାଇଁ ସେଭଳି ଗମନାଗମନର ସୁବିଧା ସୁଯୋଗ ସେତେ ଭଲ ନାହିଁ । ଯଦି କ୍ଷେତ୍ରୀୟ କାର୍ଯ୍ୟାଳୟ ବ୍ରହ୍ମପୁର କରାଯାଏ ତାହାହେଲେ ଜିଲ୍ଲାର ଲକ୍ଷାଧିକ ଜନସାଧାରଣ ତଥା ହିତାଧିକାରୀ ବହୁ ଅସୁବିଧାର ସମ୍ମୁଖୀନ ହେବେ । ନୟାଗଡ ଜିଲ୍ଲା ତଥା ଆଖପାଖ ଜନସାଧାରଣ ସେବା ପାଇବା ଦୃଷ୍ଟିରୁ ସ୍ମାରକପତ୍ର ମାଧ୍ୟମର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧିନରେ ନୟାଗଡ କ୍ଷେତ୍ରୀୟ କାର୍ଯ୍ୟାଳୟ ରଖିବାକୁ ଦାବି କରାଯାଇଛି । ଯଦି ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ଅଧିନରେ ନୟାଗଡ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରଖାଯାଏ ତେବେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସତର୍କ ବାଣୀ ଶୁଣାଇ ଦିଆଯାଇଛି । ଏ ସମ୍ପର୍କରେ ମହାଡାକପାଳ ଭୁବନେଶ୍ୱର ଓଡ଼ିଶାକୁ ଅବଗତ କରାଯାଇଥିବାବେଳେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା, ସାଂସଦ ପୁରୀ, ସାଂସଦ କଟକ, ସାଂସଦ କନ୍ଧମାଳ, ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ବିଧାୟକ ନୟାଗଡ, ବିଧାୟକ ଖଣ୍ଡପଡା, ବିଧାୟକ ଦଶପଲ୍ଲା, ଡାକ ଅଧିକ୍ଷକ ନୟାଗଡ, ଜିଲ୍ଲାପାଳ ନୟାଗଡ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନୟାଗଡଙ୍କୁ ଅବଗତ କରାଯାଇଛି । ତତ୍ ସଙ୍ଗେ ସଙ୍ଗେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସମସ୍ତ ସ୍ଥାନୀୟ ଡାକ ବିଭାଗର ସମସ୍ତ କର୍ମକର୍ତ୍ତାଙ୍କୁ ମଧ୍ୟ ମୌଖିକଭାବେ ଅବଗତ କରାଇବା ସହିତ ଗଣମାଧ୍ୟମ ଜରିଆରେ ପ୍ରଚ ପ୍ରସାର ଜାରି ରହିଛି । ନୟାଗଡ ଡାକ ଅଧିକ୍ଷକ ମନୋଜ କୁମାର ପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହା ସହିତ ଡାକ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ତରଫରୁ ଶାନ୍ତି ଶୃଙ୍ଖଳାର ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
