July 11, 2026
Home » ପାକ୍ଷିକପତ୍ରିକା ‘କୋଶଲଟାଇମ’ର ୨୦ତମ ସ୍ୱନକ୍ଷତ୍ର ଦିବସରେ ଶ୍ରମ, ନିଷ୍ଠା ଓ ମେଧାକୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ପାକ୍ଷିକପତ୍ରିକା ‘କୋଶଲଟାଇମ’ର ୨୦ତମ ସ୍ୱନକ୍ଷତ୍ର ଦିବସରେ ଶ୍ରମ, ନିଷ୍ଠା ଓ ମେଧାକୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

0
WhatsApp Image 2026-06-20 at 9.33.33 PM

 

ବରଗଡ଼ ଜିଲ୍ଲାରୁ ପ୍ରକାଶିତ ପାକ୍ଷିକପତ୍ରିକା କୋଶଲଟାଇମ୍‌ର ୨୦ତମ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜନ୍ମପୀଠ(କବିଭବନ), ବରପାଲିଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସେଇମାନଙ୍କ ଶ୍ରମ, ନିଷ୍ଠା ଓ ମେଧାକୁ ସମ୍ମାନିତ କରାଯାଇଛି, ଯେଉଁମାନଙ୍କ ପାଇଁ ଜୀବନ ଫୁଲର ଶେଯ ତିଆରି ନାହିଁ ଅର୍ଥାତ୍ ଜୀବନରେ ଦାରିଦ୍ର୍ୟ ସହ ଲଢ଼ି, ନିଜ ଧୈର୍ଯ୍ୟ, ଦୃଢ଼ତା ଏବଂ ଇଚ୍ଛାଶକ୍ତି ବଳରେ ଯେଉଁମାନେ ଶିକ୍ଷାକ୍ଷେତ୍ରରେ ହାସଲ କରିଛନ୍ତି ଅସାଧାରଣ ଲକ୍ଷ୍ୟ । ମାଟ୍ରିକ, ଯୁକ୍ତ ଦୁଇ ଏବଂ ସ୍ନାତକ ପରୀକ୍ଷାରେ ସମଗ୍ର ଜିଲ୍ଲାରେ , ବିଶ୍ବବିଦ୍ଯାଳୟ ସ୍ତରରେ ଏବଂ ରାଜ୍ୟରେ ନିଜର ସ୍ଥିତିକୁ ଦୃଢ଼ୀଭୂତ କରିଥିବା ସେହି ମେଧାବୀ ଛାତ୍ରଛାତ୍ରୀଙ୍କୁ ପିଠି ଥାପୁଡ଼େଇ ସେମାନଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଛି ପାକ୍ଷିକପତ୍ରିକା କୋଶଲଟାଇମ୍ । ସମ୍ପାଦକ ସଞ୍ଜୀବ କୁମାର ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ହାସ୍ୟ ଓ ବ୍ଯଙ୍ଗ୍ଯକବି କିଶୋର କୁମାର ସାହୁ । ସମ୍ପାଦକଙ୍କ ସ୍ବାଗତ ଅଭିଭାଷଣ ପରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଶିକ୍ଷୟିତ୍ରୀ ସୁନୀତି ପ୍ରଧାନ । ବରପାଲି ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ରୂପେ ‘ବିଶ୍ବଦେଖ ମଧୁମୟ’ ଗଙ୍ଗାଧର ସଙ୍ଗୀତ ଗାନ କରାଯାଇଥିଲା ।

 

ପୁରୀ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଥିଲେ ଯେ, ଭାରତୀୟ ସଂସ୍କୃତି ଓ ସଂସ୍କୃତ ଭାଷା ହେଉଛି ଭାରତୀୟ ସଂସ୍କୃତିର ମୂଳପିଣ୍ଡ । ଏହି ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ ଯୁବସମାଜ ସଚେତନ ହେବା ଉଚିତ୍ । ସ୍ବଭାବକବି ଗଙ୍ଗାଧର ମେହେର ଯେଉଁ ମହତ୍ କାବ୍ୟିକ ପରମ୍ପରା ଛାଡ଼ି ଯାଇଛନ୍ତି, ତାକୁ ଆଗକୁ ବଢ଼ାଇବା ପାଇଁ ଆମେ ପ୍ରଯତ୍ନଶୀଳ ହେବା ଉଚିତ। ଆଜି ଯେଉଁ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ପାକ୍ଷିକପତ୍ରିକା କୋଶଲଟାଇମ୍ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି, ସେହିଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ସମସ୍ତେ ଆଗଭର ହେବା ସହ ଜନସାଧାରଣ ମଧ୍ଯ ପ୍ରୟାସରତ ହେବା ଉଚିତ ଯଦ୍ବାରା ପ୍ରତିଭାମାନଙ୍କ ମନୋବଳ ବୃଦ୍ଧି ହେବ । ସମ୍ମାନିତ ଅତିଥି ରୂପେ ବରଗଡ଼ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ଶତପଥି ଯୋଗଦାନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ସମସ୍ତ ସମ୍ବର୍ଦ୍ଧିତ ପ୍ରତିଭାଙ୍କର ପରିଶ୍ରମକୁ ସାଧୁବାଦ ଜଣାଇବା ସହ ନିଜେ ମଧ୍ୟ ଗୋଟିଏ କ୍ଷୁଦ୍ର ଚାଷୀ ପରିବାରରୁ ଆସି ଅନେକ ସଂଘର୍ଷ ପରେ ଆଗକୁ ବଢିଥିବା କଥା କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶ । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରୀ ଯାଜ୍ଞସେନୀ ମହାକୁର (ବାପଛେଉଣ୍ଡ ଝିଅ, ମା ମଜୁରିଆ,ତୁଲଣ୍ଡି, ବରଗଡ଼), ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସ୍ନାତକ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ରଚନା ମାଝୀ ( ବାପା ଗାଁ ଗାଁ ବୁଲି ଚଣା ବିକ୍ରି କରନ୍ତି, ନାକଟିଦେଉଳ,ସମ୍ବଲପୁର), ମାଟ୍ରିକ ପରୀକ୍ଷାରେ ନୂଆପଡ଼ା ଜିଲ୍ଲାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଉମାକାନ୍ତ ପୁଞ୍ଜି (ମା ଛେଉଣ୍ଡ, ବାପା ଭିନ୍ନକ୍ଷମ, ସେ ନିଜେ ମଜୁରୀ କରି ପଢ଼ା ଖର୍ଚ୍ଚ ଉଠାନ୍ତି,ଗମ୍ଭାରୀଗୁଡା, ନୂଆପଡ଼ା ଜିଲ୍ଲା) , ପଦାର୍ଥ ବିଜ୍ଞାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ନବମ ସ୍ଥାନ ହାସଲ କରିଥିବା ପୂଜା ସ‌ଉରା( ବାପା ନାହାଁନ୍ତି, ମା ମଜୁରୀ କରନ୍ତି,ଝାରସୁଗୁଡ଼ା), ପ୍ରାଣୀବିଜ୍ଞାନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ସହ ବେଷ୍ଟ ଗ୍ରାଜୁଏଟ୍ ହୋଇଥିବା ଗୀତା ସା ( ବାପା ଜଣେ ଭାଗ ଚାଷୀ,ଝାରସୁଗୁଡ଼ା), +୨ ବିଜ୍ଞାନରେ ୯୫ % ନମ୍ବର ରଖିଥିବା ନନ୍ଦିନୀ ଗୁରୁ (ବାପା ଜଣେ ଇଲେକ୍ଟ୍ରିକ୍ ମେକାନିକ୍,ରାଜ ଆଗଲପୁର, ବଲାଙ୍ଗିର ଜିଲ୍ଲା), ଗୁରୁକୁଳ ହରିପୁର, ଜୁନାନୀର ଛାତ୍ର ଭାବେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଉତ୍ତର ମଧ୍ଯମା ଦ୍ବିତୀୟ ବର୍ଷରେ ସର୍ବଭାରତୀୟ ସ୍ତରରେ ସମ୍ମାନସୂଚକ ଅଙ୍କ ପ୍ରାପ୍ତ କରିଥିବା ଡଙ୍ଗରିଆ ପୁଅ ମେଧାବ୍ରତ ଆର୍ଯ୍ୟ ( ରାୟଗଡ଼ା ଜିଲ୍ଲା , ରୁଘାପଦର ଗ୍ରାମ) , +୨ ବିଜ୍ଞାନରେ ୯୭% ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଦୀପିକା ଡନସନା ( ବାପା ଜଣେ ପାନ ଦୋକାନୀ, ମାଣ୍ଡୋସିଲ, ବରଗଡ଼ ), ମାଟ୍ରିକ ପରୀକ୍ଷାରେ ୯୬.୬ % ନମ୍ବର ରଖି ସୁନ୍ଦରଗଡ଼ ଜିଲ୍ଲା ଟପ୍ପର ହୋଇଥିବା ଛାତ୍ରୀ ସୋମା ସାହା (ବାପା ଜଣେ ଲେଥ୍ ମିସ୍ତ୍ରୀ, ରାଉରକେଲା, ସୁନ୍ଦରଗଡ଼) , ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ୯.୬୭ ସିଜିପିଏ ମାର୍କ ରଖି ଟପ୍ପର ହୋଇଥିବା ପ୍ରାଣୀ ବିଜ୍ଞାନର‌ ସ୍ନାତକୋତ୍ତର ଛାତ୍ରୀ ରେବତୀ ସ୍ବାଇଁ ( ବାପା ଜଣେ ମଜୁରିଆ,ବଲାଙ୍ଗିର), ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ଶ୍ରୀବିହାର, ପୁରୀ ଅଧିନରେ ଅନୁଷ୍ଠିତ ହୋଇଥିବା ଶାସ୍ତ୍ରୀ ପରୀକ୍ଷାରେ ପଶ୍ଚିମ ଓଡ଼ିଶାରୁ ସଂସ୍କୃତ ବ୍ୟାକରଣ (ସମ୍ମାନ) ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ସୀମା ସାହୁ( ବାପା ଜଣେ ମଜୁରିଆ,ବହୁବସା, ସୁବର୍ଣ୍ଣପୁର ଜିଲ୍ଲା) , ରାଜନୀତି ବିଜ୍ଞାନରେ ସ୍ନାତକଶ୍ରେଣୀରେ ସ୍ବର୍ଣ୍ଣ ପଦକ ପ୍ରାପ୍ତ ହୋଇଥିବା ଛାତ୍ରୀ ବୀଣାପାଣି ରାଉତ( ବାପା ଜଣେ କ୍ଷୁଦ୍ର ଚାଷୀ, ବରପାଲି ,ବରଗଡ଼ ଜିଲ୍ଲା), ବରଗଡ଼ ମହିଳା କଲେଜରୁ ୯୧ % ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ପ୍ରଜ୍ଞାଶ୍ରୀ ଦାଶ(ବାପା ରାଇସ ମିଲ୍‌ର ଶ୍ରମିକ,ଲେଣ୍ଡା,ବରଗଡ଼), ମେଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ପ୍ରିତମ ମେହେର( ବାପା ଅଟାକଳ ଚାଳକ, ବୌଦ୍ଧ) ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜ ସଂଘର୍ଷର ଅନୁଭୂତି ସମସ୍ତଙ୍କ ସହ ବାଣ୍ଟିଥିଲେ । ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସପ୍ତମ ଶ୍ରେଣୀର ଛାତ୍ର ଶିବାଂଶ ଭୋଇ ମୁଖ୍ୟ ଅତିଥିଙ୍କୁ ନିଜ ହାତରେ ଅଙ୍କିତ ଗଙ୍ଗାଧର ମେହେରଙ୍କ ଫଟୋଚିତ୍ର ପ୍ରଦାନ କରିଥିଲେ ।ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ୧୧୩ ରେଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ସଙ୍ଗୀତା ସେଠି(ସ୍ବାମୀ ଜଣେ କାଠ ମିସ୍ତ୍ରୀ, କଳାହାଣ୍ଡି) ଏବଂ ୩୩ ରେଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ସୁମନ କଲ୍ୟାଣ ଦାଶ (ବାପା ମନ୍ଦିର ପୂଜକ, କୁଚିପାଲି )ଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା । ପୋଲିସ ସେବାନିଯୁକ୍ତ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ତାଙ୍କ ଲିଖିତ ପୋଲିସ ସେବା ଭିତ୍ତିକ ଦୁଇଟି ପୁସ୍ତକ ରଚନା ପାଇଁ ‘କୋଶଲଟାଇମ ସମ୍ମାନ’ ଏବଂ ସାହିତ୍ୟର ଉଦାର ପୃଷ୍ଠପୋଷକ ସ୍ବର୍ଗତ ବୃନ୍ଦାବନ ବିହାରୀ ଦାଶଙ୍କୁ ମରଣୋତ୍ତର ଭାବେ ‘କୋଶଲଟାଇମ ସମ୍ମାନ’ ପ୍ରଦାନ କରାଯାଇଥିଲା। ସମସ୍ତ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ମାନପତ୍ର ଓ ଉପାୟନ ସହ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ର ଏବଂ ଗଙ୍ଗାଧର ଗ୍ରନ୍ଥାବଳୀ ପ୍ରଦାନ କରାଯାଇଥିଲା।ବରପାଲି କଲେଜର ସ୍ନାତକ ଛାତ୍ରୀ ବିଧୁପ୍ରିୟା ପୂଜାରୀ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଉଦଯାପନୀ ସଙ୍ଗୀତ ରୂପେ ‘ମଙ୍ଗଳେ ଅଇଲା ଉଷା’ ଗାନ କରାଯାଇଥିଲା । ଆଗଲପୁର ବିଜ୍ଞାନ କଲେଜର ଅଧ୍ୟାପକ ରାଜେଶ କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ବରପାଲି ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *