ପାରାଦୀପ ବନ୍ଦର ପକ୍ଷରୁ ମିଳିତ ଆପାତ୍କାଳୀନ ମକ୍ଡ୍ରିଲ୍
ପାରାଦୀପ, : ଆପାତ୍କାଳୀନ ସ୍ଥିତିରେ କିପରି ଏହାର ସଫଳ ମୁକାବିଲା କରାଯାଇ ପାରିବ ସେ ସମ୍ପର୍କରେ ଏକ ମିଳିତ ମକ୍ଡ୍ରିଲ୍ ପାରାଦୀପ ବନ୍ଦର ପକ୍ଷରୁ ଏନଡିଆରଏଫ୍ ୩ୟ ବାଟାଲିୟନ୍ ମୁଣ୍ଢଳି ସହଯୋଗରେ ଗୁରୁବାର ଦିନ ଆୟୋଜିତ ହୋଇଥିଲା । ଏହି ମିଳିତ ମକ୍ଡ୍ରିଲ୍ରେ ବିଭିନ୍ନ ସରକାରୀ ସଂସ୍ଥା, ଶିଳ୍ପସଂସ୍ଥା ସାମିଲ ହୋଇଥିଲେ । ଯଦି କେବେ ବାତ୍ୟା, ଶିଳ୍ପଜନିତ ବିପର୍ଯ୍ୟୟ, ଅଗ୍ନିଜନିତ ଦୂର୍ଘଟଣା ଭଳି ସ୍ଥିତି ସୃଷ୍ଟି ହୁଏ ତେବେ ଏଥି ପାଇଁ ପ୍ରସ୍ତୁତି ସଠିକ୍ ଭାବେ ଅଛି ତାହାର ଏକ ନମୁନା ପ୍ରଦର୍ଶିତ ହୋଇଥିଲା । ଏନଡିଆରଏଫ୍ ଟିମ୍ କମାଣ୍ଡର ରମାକାନ୍ତ ଦାଶ ଏସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରଖି ପାରିଲେ ଏହି ଆପତ୍କାଳୀନ ସ୍ଥିତିର ସଠିକ୍ ମୁକାବିଲା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ମକ୍ଡ୍ରିଲ୍ରେ ଯଦି କୌଣସି ସମୟରେ କୌଣସି ଏକ ବିଲଡିଂ ଭୁସୁଡି ପଡେ ଏହା ପରେ ସେଥି ମଧ୍ୟରେ ରହି ଯାଇଥିବା ଲୋକମାନଙ୍କୁ କିପରି ଉଦ୍ଧାର କରାଯିବ, ରାସ୍ତା ଯାତାୟତ ନିମନ୍ତେ ଉପଯୋଗ କରିବା, ବାତ୍ୟା ସମୟର ମୁକାବିଲା, ଅଗ୍ନି ନିର୍ବାପନ ସହିତ ଘଟଣାସ୍ଥଳରେ ଡାକ୍ତରୀ ଦଳ କିଭଳି ତ୍ୱରିତ ଭାବେ ପହଂଚି ପାରିବେ ଓ ଜୀବନ ରକ୍ଷା କରି ପାରିବେ ତାର ନମୁନା ପ୍ରଦର୍ଶିତ ହୋଇଥିଲା । ଏହି ମକ୍ଡ୍ରିଲ୍ରେ ସହଯୋଗ କରିଥିବା ସମସ୍ତ ସଂସ୍ଥାମାନଙ୍କୁ ଧନ୍ୟବାଦ ଦେଇଥିଲେ ସିଆଇଏସଏଫ କମାଣ୍ଡା ସନତ କୁମାର ପଟେଲ ଏବଂ ଏହି ମକ୍ଡ୍ରିଲ୍ର ନିୟମିତ ବ୍ୟବଧାନରେ କରାଯିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ ।। ଏନଡିଆରଏଫ, ସିଆଇଏସଏଫ, ରାଜ୍ୟ ଅଗ୍ନିଶମ ବିଭାଗ, ଓଡିଶା ପୋଲିସ୍ ସମେତ ବିଭିନ୍ନ ସରକାରୀ, ଶିଳ୍ପସଂସ୍ଥା, ପାରାଦୀପ ବନ୍ଦରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପାରାଦୀପ ବନ୍ଦର ସବୁବେଳେ ସମସ୍ତ ପ୍ରକାରର ଆପାତ୍କାଳୀନ ବିପର୍ଯ୍ୟୟର ସଫଳ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଥିବା ଜଣାପଡିଛି ।
