ପୁଅର ମଙ୍ଗଳ ଓ ଦୀର୍ଘାୟୁ କାମନା କରି ମା ମାନେ ପାଳିଲେ ପୁଅ ଜିଉଁନ୍ତିଆ ଓଷା
ସୁବର୍ଣ୍ଣପୁର; ପୁଅ ଜିଉଁନ୍ତିଆ ଓଷା l ପଶ୍ଚିମ ଓଡିଶା ର ଓଡ଼ିଆ ଘର ର ମା ମାନେ ନିଜ ପୁତ୍ର ର ମଙ୍ଗଳ ଓ ଦୀର୍ଘାୟୁ କାମନା କରି ଏହି ଓଷା ପାଳିଛନ୍ତି l ପୁଅ ଜିଉଁନ୍ତିଆ ଆଶ୍ୱିନ ମାସ ମୂଳାଷ୍ଟମୀ ଦିନ ପାଳନ କରାଯାଇଥାଏ l ମା ମାନେ ଏହି ଦିନ ନିର୍ଜଳା ଉପବାସ ରହିଥାନ୍ତି l ଏପରିକି ଜଳ ମଧ୍ୟ ପାନ କରିନଥାନ୍ତି l ପୁତ୍ର ଲାଭ ଓ ପୁତ୍ର ର ମଙ୍ଗଳ କାମନା କରି ମା ମାନେ ପୁଅଜିଉଁନ୍ତିଆ ଓଷା ପାଳନ କରିଥାନ୍ତି l
ଏହି ଦିନ ସନ୍ଧ୍ୟା ସମୟ ରେ ମା ମାନେ ଏକତ୍ରିତ ହୋଇ ନିକଟସ୍ଥ ଜଳାଶୟ କୁ ସ୍ନାନ ପାଇଁ ଯାଇଥାନ୍ତି l ସ୍ନାନ ସାରି ଫେରିଲା ପରେ ସମସ୍ତ ପ୍ରକାର ପୂଜା ସାମଗ୍ରୀ ଯଥା – ଫଳ ମୂଳ, ଲିଆ ( ଖଇ ), ଅରୁଆ ଚାଉଳ,108 ଲେଖାଏଁ ଦୂବପତ୍ର ଓ ଅନ୍ୟାନ୍ୟ ପୂଜା ରେ ବ୍ୟବହୃତ ଜିନିଷ ନେଇଥାନ୍ତି l 108 ଅକ୍ଷତ ଅରୁଆ ଚାଉଳ,108 ଦୂବପତ୍ର ଗୋଟିଏ ଦୋନା ରେ ପୁଡିଆ କରି ତା ଉପରେ ସୂତା ରେ ପ୍ରସ୍ତୁତ ଜିଉଁନ୍ତିଆବନ୍ଧା ଯାଇଥାଏ l ଗୋଟା ଭେଣ୍ଡି, କାକୁଡି ମଧ୍ୟ ରଖାଯାଇଥାଏ l ଯେଉଁ ମା ର ଯେତିକି ପୁଅ ତାର ସେତିକି ଦୂବ, ଅରୁଆ ଚାଉଳ ପୁଡିଆ ହୋଇଥାଏ l ପ୍ରତି ପୁଅ ପାଇଁ ଏହା ଅଲଗା ଅଲଗା l ପୁଅଜିଉଁନ୍ତିଆ କେବଳ ପଶ୍ଚିମ ଓଡ଼ିଶା ର ମା ମାନେ ପାଳନ କରନ୍ତି l ପୂଜା ସ୍ଥଳ ରେ ମା ମାନେ ଏକତ୍ର ହେଲା ପରେ ପୂଜା କରାଯାଏ l ପୂଜା ରେ ବ୍ରାହ୍ମଣ ପୂଜକ ଗୀତ ବୋଲିଥାନ୍ତି l ସମସ୍ତ ମା ମାନେ ଏକ ସ୍ଵରରେ ହୁଳହୁଳି ଦେଇ ପୁଅ ମାନଙ୍କର ଶୁଭ କାମନା କରିଥାନ୍ତି l ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହି ପୂଜା ଚାଲିଥାଏ l ପରବର୍ତ୍ତୀ ସକାଳୁ ପୁଣି ମା ମାନେ ଜଳାଶୟ କୁ ଯାଇ ସ୍ନାନ ସାରି ଘାଟ ରେ ବାଲି ରେ କାକୁଡି, ଭେଣ୍ଡି, ଫୁଲ, ଫଳ, ଧୂପ ଦୀପ ଦେଇ ପୂଜା କରିଥାନ୍ତି l ଘାଟରୁ ଫେରିଲା ପରେ ନିଜ ନିଜ ଘରେ ପୁତ୍ର ମାନଙ୍କୁ ଜିଉଁନ୍ତିଆ ଚଢାଇଥାନ୍ତି l ତା ପରେ ମା ମାନେ ଏହି ଓଷା ଭାଙ୍ଗିବା ସହିତ ଜଳପାନ କରିଥାନ୍ତି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର