ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ଦାବିରେ ସଚେତନତା ପଦଯାତ୍ରା ୨୧୩ ଦିନରେ
ଦିନ ବଦଳୁଛି, ହେଲେ ମଉଳୁନି ଆଶା; ନ୍ୟାୟ ଅପେକ୍ଷାରେ ପୁରୀବାସୀଙ୍କ ଅବିରତ ସଂଘର୍ଷ
ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ପୁରୀବାସୀଙ୍କ ଆବେଗ ଓ ଆଧ୍ୟାତ୍ମିକ ସମ୍ପର୍କ ଅତୁଟ। ସେହି ଭାବନା ଓ ଅଧିକାରର ସୁରକ୍ଷା ପାଇଁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ନିମନ୍ତେ ସ୍ଥାୟୀ ବ୍ୟବସ୍ଥା ଦାବିରେ ଚାଲିଥିବା ଜନଜାଗରଣ ପଦଯାତ୍ରା ଆଜି ୨୧୩ ଦିନରେ ପହଞ୍ଚିଛି। ଗତ ଏପ୍ରିଲ ୧ ଉତ୍କଳ ଦିବସରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଦୀର୍ଘଦିନ ଧରି ସିଂହଦ୍ୱାର ସମ୍ମୁଖରେ ନିରବଚ୍ଛିନ୍ନ ଭାବେ ଜାରି ରହିଛି। ଦିନ ପରେ ଦିନ ବିତୁଛି, କିନ୍ତୁ ପଦଯାତ୍ରୀଙ୍କ ଆଶା, ଆସ୍ଥା ଓ ସଂକଳ୍ପରେ ଭଟ୍ଟା ପଡ଼ିନାହିଁ। ନା କାହା ପ୍ରତି ଆକ୍ରୋଶ, ନା କୌଣସି ସଂଘର୍ଷର ଆହ୍ୱାନ; କେବଳ ନିଜର ନ୍ୟାଯ୍ୟ ଦାବି ପାଇଁ ସତ୍ୟ, ଶାନ୍ତି ଓ ଅହିଂସାର ପଥରେ ଏହି ନିରନ୍ତର ପ୍ରୟାସ।


ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀବାସୀଙ୍କ ଏହି ଭାବନା ଓ ଦାବିକୁ ସରକାର ହୃଦୟଙ୍ଗମ କରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ଏକ ସ୍ଥାୟୀ, ସରଳ ଓ ସମ୍ମାନଜନକ ବ୍ୟବସ୍ଥା କରନ୍ତୁ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସତ୍ୟ ଓ ଅହିଂସାର ମାର୍ଗରେ ସତ୍ୟାଗ୍ରହ ଜାରି ରହିବ।
ଆଜିର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ନୃସିଂହନାଥ ନାୟକ, ରମେଶ ଚନ୍ଦ୍ର ମହାନ୍ତି, ଅରୁଣା ପଟ୍ଟନାୟକ, ଅଞ୍ଜୁବାଳା ମହାନ୍ତି, ଭାରତୀ ମହାନ୍ତି, ସୀତା ନାୟକ, ମମତା ସ୍ୱାଇଁ, ଅଭିମନ୍ୟୁ ରାୟଗୁରୁ, କିଶୋର ଚନ୍ଦ୍ର ଦାସ, ଯାଦବାନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ଗଦାଧର ମହାରଣା, ବରୁଣ ମହାପାତ୍ର, ସନ୍ତୋଷ ସେନାପତି, ବାପିନା ସାମନ୍ତରାୟ, ରଶ୍ମୀରଞ୍ଜନ ପାତ୍ର ଓ ମାନସ ପଟ୍ଟନାୟକଙ୍କ ସମେତ ଅନେକ ପଦଯାତ୍ରୀ ଯୋଗଦେଇଥିଲେ।ଏହା କେବଳ ଏକ ପଦଯାତ୍ରା ନୁହେଁ, ପୁରୀବାସୀଙ୍କ ଆବେଗ, ଆତ୍ମସମ୍ମାନ ଓ ନ୍ୟାଯ୍ୟ ଅଧିକାର ପାଇଁ ଅହିଂସାର ଏକ ଦୃଢ଼ ସଂକଳ୍ପ। ଜୟ ଜଗନ୍ନାଥ! 🙏
