ପୂର୍ବ ଶତ୍ରୁତାରୁ ମାରଣାତ୍ମକ ଆକ୍ରମଣ: ଜଣେ ଗିରଫ, ୩ ଅଭିଯୁକ୍ତ ଫେରାର
ଯୋଡ଼ା: କେନ୍ଦୁଝର ଜିଲ୍ଲାର ଯୋଡ଼ା ସହର ସୁରୁଚି ବଜାର ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ଉପରେ ହୋଇଥିବା ମାରଣାତ୍ମକ ଖଣ୍ଡା ଆକ୍ରମଣ ଘଟଣାରେ ଯୋଡ଼ା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ଆଉ ୩ ଜଣ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି।ଗିରଫ ଅଭିଯୁକ୍ତ ହେଲେ ସିଦ୍ଧାର୍ଥ ଶେଖର ପାତ୍ର (୨୬)।ପୋଲିସ ସୂଚନା ଅନୁଯାୟୀ, ଗତ ୧୬ ଜୁଲାଇ ସନ୍ଧ୍ୟା ପ୍ରାୟ ୭.୩୦ଟା ସମୟରେ ଯୋଡ଼ା ପାତ୍ର ବସ୍ତିର ବିଷ୍ଣୁ ନାଗ ସୁରୁଚି ବଜାର ନିକଟରେ ଠିଆ ହୋଇଥିବା ବେଳେ ଦୁଇଟି ମୋଟରସାଇକେଲରେ ୪ ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେମାନେ ବିଷ୍ଣୁଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ପଛପଟ ଓ କପାଳକୁ ଖଣ୍ଡାରେ ଆକ୍ରମଣ କରିଥିଲେ।ଗୁରୁତର ଆହତ ହୋଇ ବିଷ୍ଣୁ ଅଚେତ ହୋଇ ପଡ଼ିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଭାବି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ଖବର ପାଇ ପରିବାର ଲୋକେ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ବିଷ୍ଣୁଙ୍କୁ ପ୍ରଥମେ ଟାଟା ମେଡିକାଲକୁ ନେଇଥିଲେ। ସେଠାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା।ଏହି ଘଟଣାରେ ଯୋଡ଼ା ଥାନାରେ କେସ୍ ନଂ–୨୪୦/୨୬ ରୁଜୁ କରାଯାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ସିଦ୍ଧାର୍ଥ ଶେଖର ପାତ୍ରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି।ଯୋଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ଏହି ସୂଚନା ଦେଇଛନ୍ତି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
