ବନ୍ଦର ଜିପିଏମ ଶ୍ରମିକଙ୍କ ମଜୁରୀ ଟଙ୍କା ବୃଦ୍ଧି
ପାରାଦୀପ, : ପାରାଦ୍ବୀପ ପୋର୍ଟ ୱାର୍କର୍ସ ୟୁନିୟନ ଏବଂ ପାରାଦ୍ବୀପ ଷ୍ଟିଭେଡୋରସ ଆସୋସିଏସନ ମଧ୍ଯରେ ଆଜି ଜିପିଏମ ଶ୍ରମିକ ମାନଙ୍କର ବର୍ଦ୍ଧିତ ମଜୁରୀ ସମ୍ବନ୍ଧୀୟ ଚୁକ୍ତିନାମା ସ୍ୱାକ୍ଷରୀତ ହୋଇଛି। ଜିପିଏମ ଶ୍ରମିକ ମାନଙ୍କର ମଜୁରୀ ମୂଳ ମଜୁରୀ ସହିତ ୪ ହଜାର ୮ ଶହ ଟଙ୍କା ରୁ ଉଦ୍ଧ ବୃଦ୍ଧି କରାଯାଇଛି। ଆଗରୁ ସମସ୍ତ ଶ୍ରମିକ ପାଉନଥିବା ଘରଭଡା ଭତ୍ତା ବାବଦକୁ ୨ ହଜାର ଟଙ୍କା ସମସ୍ତ ଶ୍ରମିକ ମାନଙ୍କୁ ପ୍ରଦାନ କରିବା, ଅବସର ପ୍ରାପ୍ତ ଶ୍ରମିକ ମାନଙ୍କୁ ଗ୍ରାଚୁଇଟି ପ୍ରଦାନ କରିବା, କାର୍ଯ୍ୟ କ୍ଷେତ୍ରରେ ଆହତ ଶ୍ରମିକଙ୍କର ମଜୁରୀ ସହିତ ଚିକିତ୍ସା ଖର୍ଚ୍ଚ ବହନ କରିବା ଏବଂ ଏହା ସହିତ ଅନ୍ୟାନ୍ୟ ଦାବୀ ଉପରେ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଛି।

ଶିଳ୍ପ ସମନ୍ବୟ ରକ୍ଷା କରିବା ଏବଂ ଶ୍ରମିକମାନଙ୍କୁ ଉଚିତ ଏବଂ ସଠିକ ସମୟରେ କ୍ଷତିପୂରଣ ପ୍ରଦାନ କରିବା ସହିତ ପାରାଦୀପ ବନ୍ଦରର ସୁଗମ ତଥା ଦକ୍ଷ କାର୍ଯ୍ୟକୁ ସୁରକ୍ଷିତ ରଖିବା ପାଇଁ ଉଭୟ ୟୁନିୟନ ଏବଂ ଆସୋସିଏସନ୍ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ପାରାଦୀପ ବନ୍ଦର ୱାର୍କର୍ସ ୟୁନିୟନ ର ସଭାପତି ତଥା ସାଂସଦ ଡ଼କ୍ଟର ବିଭୂ ପ୍ରସାଦ ତରାଇ କହିଛନ୍ତି, “ଜିପିଏମ୍ କର୍ମଚାରୀଙ୍କ ଅବଦାନ ହେଉଛି ବନ୍ଦର କାର୍ଯ୍ୟର ମେରୁଦଣ୍ଡ। ଆମେ ଆଶା କରୁଛୁ ଯେ ଏହି ଆଲୋଚନା ଏକ ମଜୁରୀ ସମାଧାନର କାରଣ ହେବ ଯାହା ସେମାନଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠାକୁ ସମ୍ମାନ କରେ।” ଉକ୍ତ ବୈଠକରେ ଶ୍ରମିକ ସଙ୍ଘର ସଭାପତି ଡଃ ତରାଇଙ୍କ ସମେତ ୟୁନିୟନର ସାଧାରଣ ସମ୍ପାଦକ ନୃସିଂହ ପ୍ରସାଦ ଶତପଥ୍, କାର୍ଯ୍ୟକାରୀ ସଭାପତି ଅନନ୍ତ କୁମାର ଦାସ, ଉପସଭାପତି ଗୁଣନିଧ୍ ଚୌଧୁରୀ, ସହସାଧାରଣ ସମ୍ପାଦକ ବିପ୍ଲବ କୁମାର ଜେନା, ତଥା କୋଷାଧ୍ୟକ୍ଷ ବ୍ରିଜେଶ କୁମାର ଲେଙ୍କାଙ୍କ ସହିତ ଜିପିଏମ ଶ୍ରମିକ ବିରଞ୍ଚି ନାରାୟଣ ସୁନ୍ଦରାୟ, ଲିଙ୍ଗରାଜ ନାୟକ, ଭରତ ମଲ୍ଲୀକ, ବ୍ରହ୍ମାନନ୍ଦ ରାଉତ, ତାପସ ମଲ୍ଲିକ, ସୁଶାନ୍ତ ନାୟକ ଓ ନୃସିଂହ ନାୟକ ଏହି ବୈଠକରେ ଉପସ୍ଥିତଥିଲେ ।ପାରାଦ୍ବୀପ ଷ୍ଟିଭେଡୋରସ ଆସୋସିଏସନର ସଭାପତି ମହିମାନନ୍ଦ ମିଶ୍ର କହିଛନ୍ତି ଯେ ଆମେ ଆମର ଶ୍ରମିକମାନଙ୍କୁ ଗୁରୁତ୍ବ ଦେଉଛୁ ଏବଂ ପାରସ୍ପରିକ ଗ୍ରହଣୀୟ ସମାଧାନରେ ପହଞ୍ଚିବା ପାଇଁ ପ୍ରତିଶୃତିବଦ୍ଧ, ଯାହା କାର୍ଯ୍ୟକ୍ଷେତ୍ରର ସ୍ଥିରତା ସହିତ ଶ୍ରମିକ କଲ୍ୟାଣକୁ ସନ୍ତୁଳିତ କରିଥାଏ। ସଭାପତିଙ୍କ ବ୍ୟତୀତ ସଚିବ ଅନ୍ତର୍ଯ୍ୟାମୀ ପଟ୍ଟନାୟକ ଏବଂ ଅନ୍ୟ ଷ୍ଟିଭେଡୋରସ୍ ମାନଙ୍କ ମଧ୍ୟରେ ଅକ୍ଷୟ କୁମାର ସୁତାର, ପ୍ରଭାତ ନନ୍ଦୀ, ପ୍ରଦୀପ ବୋଷ ପ୍ରମୁଖ ମଧ୍ଯ ଏହି ବୈଠକରେ ଉପସ୍ଥିତଥିଲେ ।ତେବେ ଏହି ବର୍ଦ୍ଧିତ ମଜୁରୀ କୁ ନେଇ ଜିପିଏମ ର ସମସ୍ତ ଶ୍ରମିକଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଥିଲା।ଶ୍ରମିକ ମାନେ ୟୁନିୟନ ସଭାପତି ତଥା ସାଂସଦ ଡଃ ତରାଇଙ୍କୁ ସମସ୍ତ ଶ୍ରେୟ ଦେବା ସହିତ ଅନ୍ୟ କର୍ମକର୍ତ୍ତା ଙ୍କ ଆନ୍ତରିକ ସହଯୋଗ ରହିଥିବା କହିଛନ୍ତି।ଏନେଇ ଆଜି ସନ୍ଧ୍ୟାରେ ୟୁନିୟନ କାର୍ଯ୍ୟାଳୟ ଠାରେ ଶ୍ରମିକ ମାନେ ସଭାପତିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରିୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ।
paradeep ru prasanta dash nka report
