ବରଗଡ଼ରେ ଓଡ଼ିଆ ପକ୍ଷ ପାଳନ ଅବସରରେ ‘ଐତିହ୍ୟ ଗଣ ଦୌଡ଼’ ଅନୁଷ୍ଠିତ
ବରଗଡ଼: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ପାଳିତ ହେଉଥିବା “ଓଡ଼ିଆ ପକ୍ଷ”ର ପଞ୍ଚମ ଦିଵସ ଅବସରରେ ଆଜି ବରଗଡ଼ ସହରରେ ଏକ ବିଶାଳ ‘ଐତିହ୍ୟ ଗଣ ଦୌଡ଼’ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସକାଳ ୭ ଘଟିକା ସମୟରେ ଆରମ୍ଭ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ମଧୁଛନ୍ଦା ସାହୁ ଯୋଗଦେଇ ପତାକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀ କିଶୋର ମିଶ୍ର, ବରିଷ୍ଠ ସାମ୍ବାଦିକ ଶ୍ରୀ ରବିନାରାୟଣ ପଣ୍ଡା, ଅବସରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତୁଷାର ମିଶ୍ର, ବରଗଡ଼ ଜିଲ୍ଲା କ୍ରୀଡ଼ା ଅଧିକାରୀ (DSO) ଶ୍ରୀ ଅଜୟ କୁମାର ପଟ୍ଟନାୟକ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ଜ୍ୟୋତିଷ ପ୍ରଧାନ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଗଣ ଦୌଡ଼ରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୪୬୦ ରୁ ଅଧିକ ଛାତ୍ରଛାତ୍ରୀ, କ୍ରୀଡ଼ାବିତ ଏବଂ ଜନସାଧାରଣ ସାମିଲ ହୋଇଥିଲେ। ମିନି ଷ୍ଟାଡିୟମରୁ ବାହାରି ଏହି ଦୌଡ଼ ସହରର ପ୍ରମୁଖ ରାସ୍ତା ଦେଇ ପରିକ୍ରମା କରିଥିଲା। ଓଡ଼ିଆ ଭାଷାର ଗୌରବକୁ ବଜାୟ ରଖିବା ସହ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଇଣ୍ଡୋର ଷ୍ଟାଡିୟମର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ) ରିପୋର୍ଟ,
