May 31, 2026
Home »  ବରଗଡ଼ରେ ଶୁଭାରମ୍ଭ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ

 ବରଗଡ଼ରେ ଶୁଭାରମ୍ଭ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ

0
WhatsApp Image 2026-05-31 at 8.28.47 AM

 

ବରଗଡ଼: ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଓଡ଼ିଶାର ସମସ୍ତ ଯୋଗ୍ୟ ଭୋଟରଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ ଦେବା ସହ ଭୋଟର ତାଲିକାର ସଠିକତା ସୁନିଶ୍ଚିତ କରି ଏକ ସ୍ୱଚ୍ଛ, ସତ୍ୟାପିତ ତଥା ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ରାଜ୍ୟରେ “ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍. ଆଇ.ଆର୍)” ଅଭିଯାନ ଆଜି ଶୁଭାରମ୍ଭ ହୋଇଛି ।ଏହି କ୍ରମରେ, ବରଗଡ଼ ଜିଲ୍ଲାର ମଧ୍ୟ ଏସ୍. ଆଇ.ଆର୍ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଛି । ସୂଚନାଯୋଗ୍ୟକି, ଜିଲ୍ଲାର ସମୁଦାୟ ୫ ଗୋଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୩୯୭ଟି ବୁଥ୍ ରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ୫ ଜଣ ଇ.ଆର୍.ଓ., ୨୭ ଜଣ ଏ.ଇ.ଆର୍.ଓ, ଏବଂ ୧୪୦ ଜଣ ବି.ଏଲ୍.ଓ ସୁପରଭାଇଜରଙ୍କ ସମେତ ୧୩୯୭ ଜଣ ବି.ଏଲ୍.ଓ ନିୟୋଜିତ ହୋଇଛନ୍ତି । ଆଜି ଠାରୁ ଜୁନ ମାସ ୨୮ ତାରିଖ ପର୍ଯ୍ୟନ୍ତ ବି.ଏଲ୍.ଓ ମାନେ ସମସ୍ତ ଭୋଟରମାନଙ୍କ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରି ଦୁଇଟି ଲେଖାଏଁ ପରିଗଣନା ଫର୍ମ ପ୍ରଦାନ କରିବା ସହ ଫର୍ମଟିକୁ ସଠିକ୍ ଭାବରେ ପୂରଣ କରିବାରେ ସମସ୍ତଙ୍କୁ ସମ୍ପୂର୍ଣ୍ଣ ସହାୟତା ଓ ମାର୍ଗଦର୍ଶନ ପ୍ରଦାନ କରିବେ ସହ ମତଦାତାଙ୍କ ଦ୍ୱାରା ଆବଶ୍ୟକୀୟ ସୂଚନା ପୂରଣ ହେବା ପରେ ସେଗୁଡିକୁ ସଂଗ୍ରହ କରି ଏହାର ପ୍ରମାଣ ସ୍ୱରୂପ ଦ୍ୱିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ସ୍ୱୀକୃତି ପତ୍ର ଭାବେ ଫେରସ୍ତ କରିବେ । ଏହାପରେ ଆଗାମୀ ୨୮ ଜୁନ ୨୦୨୬ ସୁଦ୍ଧା ସମସ୍ତ ମତଦାନ କେନ୍ଦ୍ରଗୁଡିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କରାଯିବା ସହ ୦୫ ଜୁଲାଇ ୨୦୨୬ ତାରିଖରେ ଚିଠା ଭୋଟର ତାଲିକା ବା ଡ୍ରାଫ୍ଟ ଇଲେକ୍ଟ୍ରାଲ ରୋଲ ପ୍ରକାଶ ପାଇବ ।ମତଦାତାଙ୍କ କୌଣସି ଦାବି/ଆପତ୍ତି ଥିଲେ ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ସୁଦ୍ଧା ଦାଖଲ କରିପାରିବେ । ପ୍ରାପ୍ତ ହୋଇଥିବା ସମସ୍ତ ଦାବି/ଆପତ୍ତିର ସତ୍ୟାସତ୍ୟର ଯାଞ୍ଚ ତଥା ପରିଗଣନା ଫର୍ମରେ ଭୋଟର ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ତଥ୍ୟ ପୂର୍ବ ଏସ୍. ଆଇ.ଆର୍-୨୦୦୨ ଭୋଟର ତାଲିକାର ବିବରଣୀ/ଡ଼ାଟାବେସ୍ ସହ ମେଳ ଖାଉନଥିଲେ କିମ୍ବା ଉପଲବ୍ଧ ନଥିଲେ ନିର୍ବାଚକ ପଞ୍ଜୀକରଣ ଅଧିକାରୀ / ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ଇ.ଆର୍.ଓ./ଏ.ଇ.ଆର୍.ଓ) ସେହି ଭୋଟରମାନଙ୍କୁ ନୋଟିସ ଜାରି କରିବେ । ନୋଟିସ ପାଇବା ପରେ, ଭୋଟରମାନେ ଉପଯୁକ୍ତ ଦସ୍ତାବିଜ ଇ.ଆର୍.ଓ./ଏ.ଇ.ଆର୍.ଓ ମାନଙ୍କୁ ପ୍ରଦାନ କରି ସଂଶୋଧନ କରିପାରିବେ। ୦୨ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଏହି ଯାଞ୍ଚ ସରିବା ପରେ ୦୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।

 ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *