ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ଅଧୀନରେ ଆସନ୍ତା ୧୫ ଜୁଲାଇ ୨୦୨୬ ରୁ ୧୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ
ଭୁବନେଶ୍ୱର, ୧୪ ଜୁଲାଇ ୨୦୨୬: ଆଜି ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭’ ର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି।
ଗଣମାଧ୍ୟମକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନେ ଯେପରି ସମ୍ମାନ, ସୁରକ୍ଷା ଏବଂ ସରକାରୀ ସହାୟତା ସହିତ ଦେଶର ବିଭିନ୍ନ ପବିତ୍ର ଧାର୍ମିକ ସ୍ଥଳୀ ଭ୍ରମଣ କରିପାରିବେ, ତାହା ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।
ଉଲ୍ଲେଖଯୋଗ୍ୟ ଯେ, ଏହି ଯୋଜନା ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ୪୫,୫୫୫ ରୁ ଅଧିକ ବରିଷ୍ଠ ନାଗରିକ ଏହି ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ର ଲାଭ ଉଠାଇ ଭାରତର ବିଭିନ୍ନ ପ୍ରସିଦ୍ଧ ତୀର୍ଥସ୍ଥଳୀ ଦର୍ଶନ କରିସାରିଛନ୍ତି।
ମୁଖ୍ୟ ବିଶେଷତ୍ୱ:
* ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ଅଧୀନରେ ଆସନ୍ତା ୧୫ ଜୁଲାଇ ୨୦୨୬ ରୁ ୧୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଖୋଲା ରହିବ।
* ଯୋଗ୍ୟ ବରିଷ୍ଠ ନାଗରିକମାନେ ୱେବସାଇଟ୍ yatra.odisha.gov.in ମାଧ୍ୟମରେ ଅନଲାଇନରେ କିମ୍ବା ମାର୍ଗଦର୍ଶିକା ଅନୁଯାୟୀ ନିର୍ଦ୍ଧାରିତ ଅଫଲାଇନ୍ ମୋଡ୍ ମାଧ୍ୟମରେ (https://dot.odisha.gov.in/en/baristha-nagarika-tirtha-yatra-yojana-bntyy) ସେମାନଙ୍କର ଆବେଦନ ପତ୍ର ଦାଖଲ କରିପାରିବେ।
* ଏହି ମାର୍ଗଦର୍ଶିକାରେ ଯୋଜନାର ଯୋଗ୍ୟତା ମାପଦଣ୍ଡ, ଆବେଦନ ପ୍ରକ୍ରିୟା, ଚୟନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ, ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ଆଇଆରସିଟିସି (IRCTC) ଭୁବନେଶ୍ୱରର ଆଞ୍ଚଳିକ ପ୍ରବନ୍ଧକ ଅନୁଜ ଦତ୍ତଙ୍କ ସମେତ ଆଇଆରସିଟିସି ଏବଂ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
