August 5, 2026
Home » ବିଦ୍ୟାଳୟ ଭିତରେ ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ: ସୁରକ୍ଷିତ ନୁହେଁ କି ଶିକ୍ଷକ ସମାଜ?

ବିଦ୍ୟାଳୟ ଭିତରେ ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ: ସୁରକ୍ଷିତ ନୁହେଁ କି ଶିକ୍ଷକ ସମାଜ?

0
WhatsApp Image 2026-08-05 at 12.26.25 PM

 

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଥନଟ ରେ ଆଜି ମଧ୍ୟାହ୍ନ ଭୋଜନ ପରିବେଷଣ ସମୟରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ସମଗ୍ର ଶିକ୍ଷକ ସମାଜକୁ ସ୍ତବ୍ଧ କରିଦେଇଛି। ଅଭିଯୋଗ ଅନୁସାରେ, ସୁବାସ ସୁନାନୀ ନାମକ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟରେ ପ୍ରବେଶ କରି ପ୍ରଧାନଶିକ୍ଷକ ସରୋଜ କୁମାର ଧଙ୍ଗଡାମାଝି ଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ନିର୍ମମ ଭାବେ ଆକ୍ରମଣ କରିଥିଲେ। ଫଳରେ ପ୍ରଧାନଶିକ୍ଷକ ରକ୍ତାକ୍ତ ହୋଇପଡ଼ିଥିଲେ। ସହକର୍ମୀ ଶିକ୍ଷକ ଓ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

ବିଦ୍ୟାଳୟ ପରିଚାଳନା କମିଟି ୧୧୨ ହେଲ୍ପଲାଇନକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଅଭିଯୁକ୍ତ ନିକଟସ୍ଥ ପଞ୍ଜିଆ ଗ୍ରାମର ର ବାସିନ୍ଦା ହୋଇ ଥିବା ବେଳେ ତାଙ୍କ ଶାଶୁ ଏସ୍,ଏଚ.ଜି ସଭ୍ୟା ରୂପେ ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ଦାୟୀତ୍ୱ ତୁଲାଉ ଥିଲେ । ଘଟଣାର କାରଣ ସମ୍ପର୍କରେ ଅଭିଯୋଗ ହୋଇଛି ଯେ, ମଧ୍ୟାହ୍ନ ଭୋଜନର ନିମ୍ନ ମାନ ନେଇ ପୂର୍ବରୁ ଉଠିଥିବା ପ୍ରସଙ୍ଗ ଏବଂ ଆଜିର ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ଏହାକୁ ଆଲୋଚନା ନ କରିବାକୁ ଦିଆଯାଇଥିବା ଧମକ ସହ ଏହି ଘଟଣାର ସମ୍ପର୍କ ଥାଇପାରେ।

ସୂଚନାଯୋଗ୍ୟ, ଆହତ ପ୍ରଧାନଶିକ୍ଷକ ଜଣେ ଭଦ୍ର, ସରଳ, କର୍ମଠ ଓ ଲୋକପ୍ରିୟ ଶିକ୍ଷକ ଭାବେ ପରିଚିତ। ହାତ ଭାଙ୍ଗିଥିବା ସତ୍ତ୍ୱେ ମଧ୍ୟ ସେ ବି.ଏଲ୍.ଓ ଦାୟୀତ୍ୱ ରେ ଥାଇ ଏସ.ଆଇ.ଆର୍ ପରି ସରକାରୀ ଦାୟିତ୍ୱ ନିଷ୍ଠାର ସହ ପାଳନ କରିଆସୁଥିବା କଥା ସହକର୍ମୀମାନେ କହିଛନ୍ତି।

ଏହି ଘଟଣା ପରେ ବିଦ୍ୟାଳୟର ଶିକ୍ଷକମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି। ଯେଉଁ ଶିକ୍ଷକମାନେ ଜାତିର ଭବିଷ୍ୟତ ଗଢ଼ନ୍ତି, ସେମାନେ ଯଦି ନିଜ କର୍ମକ୍ଷେତ୍ରରେ ହିଁ ଅସୁରକ୍ଷିତ ଅନୁଭବ କରିବେ, ତେବେ ଏହା ସମାଜ ପାଇଁ ଅତ୍ୟନ୍ତ ଚିନ୍ତାଜନକ। ଶିକ୍ଷକଙ୍କ ପ୍ରତି ସମ୍ମାନବୋଧର ଅବକ୍ଷୟ ଓ ବଢ଼ୁଥିବା ହିଂସା ପ୍ରବୃତ୍ତି ସମାଜର ମୂଲ୍ୟବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଏହି ଘଟଣାର ନିରପେକ୍ଷ ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକଙ୍କ ସୁରକ୍ଷା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ବିଭିନ୍ନ ମହଳରୁ ଦାବି ଜୋର ଧରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ …

Leave a Reply

Your email address will not be published. Required fields are marked *