ବେଲପଡାପାଟଣା ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଗଣିଆ – ଗଣିଆ ବ୍ଳକ ବେଲପଡାପାଟଣାରେ ଥିବା ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ବେହେରା, ପୂର୍ବତନ ପ୍ରଧାନଶିକ୍ଷକ କାହ୍ନୁ ଚରଣ ରାଉତ, ବିଦାୟୀ ପ୍ରଧାନଶିକ୍ଷକ ସମୀର କୁମାର ମହାପାତ୍ର, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜୟ ମହାରଣା, ବରିଷ୍ଠ ନାଗରିକ ମହାଦେବ ମହାରଣା, ଶିକ୍ଷାବିତ ଜଳଧର ପୃଷ୍ଟି,ଗଣିଆ ସମିତି ସଭ୍ୟ ଫକୀର ମୋହନ ଡାକୁଆ,ପରିଚାଳନା କମିଟିର ସଦସ୍ୟ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଶ୍ରୀ ମହାପାତ୍ର ଜଣେ ଛାତ୍ର ବତ୍ସଳ, ସମୟାନୁବର୍ତୀ ତଥା ନୀତିନିଷ୍ଠ ଶିକ୍ଷକ ଭାବେ ବେଶ୍ ଜଣାଶୁଣା ଥିଲେ ।
ଜଣେ ବରିଷ୍ଠ ଇଂରାଜୀ ଶିକ୍ଷକ ଭାବେ ଗଣିଆ ଅଞ୍ଚଳରେ ତାଙ୍କର ସୁନାମ ରହିଥିଲା ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହିତ ତାଙ୍କର ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କେବଳ ବିଦ୍ୟାଳୟ ନୁହେଁ ଗ୍ରାମରେ ଅନେକ ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ,ସଭା ସମିତି ବିଶେଷକରି କ୍ରିକେଟ ଖେଳରେ ତାଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି ଗ୍ରାମର ବରିଷ୍ଠ ନାଗରିକ ପ୍ରକାଶ କରିଥିଲେ । ଛାତ୍ର ଛାତ୍ରୀ ମାନେ ବିଦାୟୀ ଶିକ୍ଷକଙ୍କ ସମ୍ପର୍କରେ ଅନେକ କିଛି ଅଭିଭାଷଣ ପ୍ରଦାନ କରିଥିଲେ ।
ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଗାନ କରାଯାଇଥିବା ବିଦାୟୀ ସଙ୍ଗୀତ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା । ବିଦ୍ୟାଳୟ ତରଫରୁ ବିଦାୟୀ ଶିକ୍ଷକଙ୍କୁ ଉପଢୌକନ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରାତନ ଛାତ୍ର ଛାତ୍ରୀ ତଥା ଗ୍ରାମବାସୀଙ୍କ ତରଫରୁ ଏକ ବିଶାଳ ଶୋଭାଯାତ୍ରାରେ ବିଦାୟୀ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କରି ବେଲପଡାପାଟଣାରେ ଥିବା ତାଙ୍କ ବାସଭବନକୁ ନିଆଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।