ଭବାନୀପାଟଣାରେ ଗୁରୁ ନାନକ ଦେବଜୀଙ୍କ ୫୫୭ତମ ପ୍ରକାଶ ପର୍ବ ପାଳିତ
ଭବ୍ୟ ନଗର କୀର୍ତ୍ତନ ଓ ଗୁରୁବାଣୀରେ ମୁଖରିତ ହେଲା ସହର…..
ଭବାନୀପାଟଣା : ଶିଖ ଧର୍ମର ପ୍ରତିଷ୍ଠାତା, ପ୍ରଥମ ଗୁରୁ ତଥା ମହାନ ସମାଜ ସଂସ୍କାରକ ଶ୍ରୀ ଗୁରୁ ନାନକ ଦେବଜୀଙ୍କ ୫୫୭ତମ ପବିତ୍ର ‘ପ୍ରକାଶ ପର୍ବ’ (ଜନ୍ମବାର୍ଷିକୀ) ଭବାନୀପାଟଣାଠାରେ ଅତ୍ୟନ୍ତ ଭକ୍ତିପୂତ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ସ୍ଥାନୀୟ ଗୁରୁଦ୍ୱାରା ଶ୍ରୀ ଗୁରୁ ସିଂହ ସଭା ପକ୍ଷରୁ ଶିଖ ସଙ୍ଗତଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ସହରରେ ଏକ ଭବ୍ୟ ନଗର କୀର୍ତ୍ତନ (ଧାର୍ମିକ ଶୋଭାଯାତ୍ରା) ଅନୁଷ୍ଠିତ ହୋଇଥିଲା। ଏଥିରେ ଶିଖ ସମ୍ପ୍ରଦାୟର ବହୁ ଶ୍ରଦ୍ଧାଳୁ ଓ ଭକ୍ତ ସାମିଲ ହୋଇଥିବା ବେଳେ ଗୁରୁବାଣୀ ଓ ଭକ୍ତି ସଙ୍ଗୀତରେ ସମଗ୍ର ସହର ମୁଖରିତ ହୋଇଉଠିଥିଲା।ଏହି ଅବସରରେ ଗୁରୁଦ୍ୱାରା ଶ୍ରୀ ଗୁରୁ ସିଂହ ସଭାର ସଭାପତି ସୁରେନ୍ଦ୍ରଜିତ ସିଂହଙ୍କ ସଭାପତିତ୍ୱରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ରୂପସିଂ ରାଉତ ଏବଂ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଡ. ଅଜୟ ମିଶ୍ର ମଞ୍ଚାସୀନ ଥିଲେ। ଗୁରୁ ନାନକ ଦେବଜୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଅତିଥିମାନେ କହିଥିଲେ ଯେ, ସମାଜରେ ଶାନ୍ତି, ସମାନତା, ନମ୍ରତା ଏବଂ ଭାଇଚାରାର ବାର୍ତ୍ତା ପ୍ରଚାର କରିବାରେ ତାଙ୍କର ଅବଦାନ ଅତୁଳନୀୟ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ପ୍ରକାଶ ପର୍ବ ଉପଲକ୍ଷେ ଗୁରୁଦ୍ୱାରା ପରିସରରେ ପବିତ୍ର ଧର୍ମଗ୍ରନ୍ଥ ‘ଗୁରୁ ଗ୍ରନ୍ଥ ସାହିବ’ର ଅଖଣ୍ଡ ପାଠ ସହ କୀର୍ତ୍ତନ ପରିବେଷଣ କରାଯାଇଥିଲା। ଗୁରୁ ନାନକଙ୍କ ମହାନ ବାଣୀ ‘ନାମ ଜପନା, କିରତ କରନି, ବଣ୍ଡ ଚଖନା’ (ଈଶ୍ୱରଙ୍କ ନାମ ସ୍ମରଣ, ସଚ୍ଚୋଟ ପରିଶ୍ରମ ଓ ନିଃସ୍ୱାର୍ଥପର ସେବା) କୁ ପାଥେୟ କରି ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ସାମୂହିକ ଭୋଜନ ବା ‘ଲଙ୍ଗର’ର ବ୍ୟବସ୍ଥା କରାଯାଇଥିଲା।
ସଭା ପ୍ରାରମ୍ଭରେ ହରଜିନ୍ଦର ସିଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ହରଦୀପ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଶିଖ ଶ୍ରଦ୍ଧାଳୁ ଓ ସ୍ଥାନୀୟ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ପରମଜିତ୍ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
