May 26, 2026
Home » ଭୁବନେଶ୍ୱର ଓ କଟକରେ ସହରୀ ଗତିଶୀଳତା (ଅର୍ବାନ ମୋବିଲିଟି) ଉପରେ ନାଗରିକ-କେନ୍ଦ୍ରିକ ଅନୁପାଳନ ଅଡିଟ୍ କରିବେ ସିଏଜି

ଭୁବନେଶ୍ୱର ଓ କଟକରେ ସହରୀ ଗତିଶୀଳତା (ଅର୍ବାନ ମୋବିଲିଟି) ଉପରେ ନାଗରିକ-କେନ୍ଦ୍ରିକ ଅନୁପାଳନ ଅଡିଟ୍ କରିବେ ସିଏଜି

0
WhatsApp Image 2026-05-26 at 5.13.56 PM (1)

 

ଭୁବନେଶ୍ୱର:ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ତାଙ୍କର ବାର୍ଷିକ କାର୍ଯ୍ୟ ଯୋଜନା ୨୦୨୬-୨୭ ଅନ୍ତର୍ଗତ ଦେଶର ୧୦୧ଟି ସହରରେ ସହରୀ ଗତିଶୀଳତା (ଅର୍ବାନ ମୋବିଲିଟି) ଉପରେ ଏକ ‘ନାଗରିକ-କେନ୍ଦ୍ରିକ ଅନୁପାଳନ ଅଡିଟ୍’ (ସିଟିଜେନ୍-ସେଣ୍ଟ୍ରିକ୍ କମ୍ପ୍ଲାଏନ୍ସ ଅଡିଟ୍) କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସ୍ତାବିତ ଅଡିଟ୍ ପ୍ରକ୍ରିୟା ପାଇଁ ଓଡ଼ିଶାରୁ ଭୁବନେଶ୍ୱର ଏବଂ କଟକ ସହରକୁ ଚୟନ କରାଯାଇଛି।
ଏହି ପରିପ୍ରେକ୍ଷୀରେ, ଭୁବନେଶ୍ୱରସ୍ଥିତ ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସହରୀ ଗତିଶୀଳତା ଉପରେ ଏକ ‘ଏଣ୍ଟ୍ରି କନଫରେନ୍ସ’ (ପ୍ରାରମ୍ଭିକ ବୈଠକ) ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଓଡ଼ିଶାର ପ୍ରଧାନ ମହାଲେଖାକାର (ଅଡିଟ୍-୧) ସୁବୁ ଆର୍., ଉପ-ମହାଲେଖାକାର ବାଲକ୍ରିଷ୍ଣା ଏବଂ ଅଡିଟ୍ ଦଳର ସଦସ୍ୟମାନେ ଯୋଗ ଦେଇଥିଲେ।

ସମ୍ମିଳନୀ ଅବସରରେ ଅଡିଟ୍ ଦଳ ପକ୍ଷରୁ ପ୍ରସ୍ତାବିତ ଅଡିଟ୍‌ର ମାପଦଣ୍ଡ, ଆଇନଗତ ଓ ନୀତିଗତ ଆଭିମୁଖ୍ୟ, ସହରୀ ପରିବହନ ବ୍ୟବସ୍ଥା, ପ୍ରମୁଖ ସେବା କ୍ଷେତ୍ର, କାର୍ଯ୍ୟପନ୍ଥା ଏବଂ ସମୟସୀମା ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା (ପ୍ରେଜେଣ୍ଟେସନ) କରାଯାଇଥିଲା। ଏଥିସହ ସୁରୁଖୁରୁରେ ଅଡିଟ୍ କାର୍ଯ୍ୟ ଶେଷ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଣେ ନୋଡାଲ ଅଫିସର ମନୋନୀତ କରିବାକୁ ଏବଂ ସମ୍ପୃକ୍ତ ସମସ୍ତ ବିଭାଗ ଓ ସଂସ୍ଥାଗୁଡ଼ିକର ସହଯୋଗ ଲୋଡ଼ିଛି ମହାଲେଖାକାରଙ୍କ କାର୍ଯ୍ୟାଳୟ।ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ ଅଡିଟ୍‌ର ସଫଳ ସମାପ୍ତି ପାଇଁ ସମ୍ପୂର୍ଣ୍ଣ ସହଯୋଗ ଏବଂ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଆଶ୍ୱାସନା ଦେଇଛନ୍ତି। ସହରୀ ଗତିଶୀଳତା ବ୍ୟବସ୍ଥାକୁ ଅଧିକ ସ୍ପଷ୍ଟ ଭାବେ ବୁଝିବା, ଗଠନମୂଳକ ଆଲୋଚନା ଏବଂ ବ୍ୟବହାରିକ ପରାମର୍ଶ ପାଇଁ ନିଜ ନିଜର ସମସ୍ୟା, ଆହ୍ୱାନ ଓ କାର୍ଯ୍ୟକ୍ଷେତ୍ରରେ ରହୁଥିବା ଅସୁବିଧାଗୁଡ଼ିକୁ ଅଡିଟ୍ ଟିମ୍ ସମ୍ମୁଖରେ ଉପସ୍ଥାପନ କରିବାକୁ ସେ ବିଭାଗୀୟ ଅଧିକାରୀ ଓ ସହଭାଗୀ ସଂସ୍ଥାଗୁଡ଼ିକୁ ପରାମର୍ଶ ଦେଇଛନ୍ତି।ଏହି ବୈଠକରେ ଅଡିଟ୍ ପରିଚାଳନା ପାଇଁ ପ୍ରସ୍ତାବିତ ସମୟସୀମା ଏବଂ ରୂପରେଖ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ଭୁବନେଶ୍ୱର ମହାନଗର ନିଗମ କମିଶନର ଚଞ୍ଚଳ ରାଣା, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ , କ୍ରୁଟ୍ , କଟକ ମହାନଗର ନିଗମ , କଟକ ଉନ୍ନୟନ କର୍ତ୍ତୃପକ୍ଷ , ସ୍ମାର୍ଟ ସିଟି ଲିମିଟେଡ୍, ବାଣିଜ୍ୟ ଓ ପରିବହନ ବିଭାଗ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ , ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଗୃହ ବିଭାଗ ଏବଂ ଅନ୍ୟାନ୍ୟ ସଂପୃକ୍ତ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।
……….

Leave a Reply

Your email address will not be published. Required fields are marked *