July 12, 2026
Home » ମହାପ୍ରଭୁ ଙ୍କ ରଥଯାତ୍ରା କୁ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ

ମହାପ୍ରଭୁ ଙ୍କ ରଥଯାତ୍ରା କୁ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ

0
WhatsApp Image 2026-07-10 at 9.08.33 AM

ମହାପ୍ରଭୁ ଙ୍କ ରଥଯାତ୍ରା କୁ ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ମହାପ୍ରଭୂ ରଥଟଣା ପାଇଁ ସମସ୍ତ ଦଉଡ଼ି ଆସି ପହଞ୍ଚି ସାରିଛି। ତେବେ ରଥ ଟଣା ପାଇଁ ଯେଉଁ ଦଉଡ଼ି ଆସେ ତାହା ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥାଏ। କାରଣ ରଥ ଟଣା ବେଳେ ଦଉଡ଼ି ଯେଭଳି ନ ଛିଡିବ ତାକୁ ଦୃଷ୍ଟିରେ ରଖାଯାଇ ମଜଭୁତ୍ ଦଉଡ଼ି ତିଆରି ହୋଇଥାଏ। ଓଡ଼ିଶା କତା ନିଗମ ପକ୍ଷରୁ ରଥ ଦଉଡ଼ି ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିର ପ୍ରଶାସନ କୁ ଦିଆଯାଏ। ତେବେ ପ୍ରତ୍ୟେକ ଦଉଡ଼ି ର ଲମ୍ୱ ୨୨୦ ଫୁଟ । ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ପାଇଁ ଦୁଇଟି ସେଟ୍ ଦଉଡ଼ି ଆସିଛି। ପ୍ରତ୍ୟେକ ରଥରେ ୪ ଟି ଲେଖାଏଁ ଦଉଡ଼ି ଲାଗିଥାଏ ଏବଂ ଅତିରିକ୍ତ ଭାବେ ୨ ଟି ଲେଖାଏ ଦଉଡ଼ି ରଖାଯାଏ। ଏହି ହିସାବରେ ତିନିରଥ ପାଇଁ ମୋଟ ୧୮ ଦଉଡ଼ି ଆବଶ୍ୟକ। କିନ୍ତୁ ସୁରକ୍ଷା ଓ ବିକଳ୍ପ ବ୍ୟବସ୍ଥା ପାଇଁ ଅତିରିକ୍ତ ଦଉଡ଼ି ସହ ମୋଟ ୨୮ ଟି ଦଉଡ଼ି ଅଣାଯାଇଛି। ଦଉଡ଼ି କୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ରେ ସୁରକ୍ଷିତ ଭାବେ ରଖାଯାଇଛି। ରଥ ନିର୍ମାଣ ସରିବା ପରେ ନେତ୍ର ଉତ୍ସବ ପୂର୍ବରୁ ରଥରେ ଦଉଡ଼ି ଲଗାଯିବ। ନଡ଼ିଆ କତା ରେ ଏହି ଦଉଡ଼ି ତିଆରି ହୋଇଥାଏ। ଥରେ ଏହି ଦଉଡ଼ି ରଥରେ ଲାଗିଯିବା ପରେ ଏହି ଦଉଡ଼ିର ମାହାତ୍ମ୍ୟ ବଢିଯାଏ। ଲକ୍ଷ ଲକ୍ଷ ଭକ୍ତ ଏହି ଦଉଡ଼ି କୁ ସ୍ପର୍ଶ କରି କୃତାର୍ଥ ହୋଇଥାନ୍ତି। ମହାପ୍ରଭୂ ଙ୍କ ରଥ ଟାଣିବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରତିବର୍ଷ ଅପେକ୍ଷାରେ ଥାଆନ୍ତି।

 

ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ତିନି ରଥ ନିର୍ମାଣ କାର୍ଯ୍ୟ। ତେବେ ପ୍ରସ୍ତୁତ ଚାଲିଛି ତିନି ରଥର ବ୍ରେକ କାର୍ଯ୍ୟ। ଯାହାଦ୍ୱାରା ବିଶାଳ ରଥକୁ ଅଟକା ଯାଇଥାଏ। କାଠ ରେ ନିର୍ମିତ ବ୍ରେକ କୁ ରସି ସାହାଯ୍ୟରେ ରଥର ସମ୍ମୁଖ ଭାଗ ରେ ଉପରୁ ତଳକୁ ଓହଳା ଯାଇଥାଏ। ଯେଉଁଠି ରଥ ମୋଡ ଖାଇଥାଏ ସେଠାରେ ବ୍ରେକ କୁ ତଳକୁ ପକାଇ ଦିଆଯାଏ। ଫଳରେ ରଥ ଚକ ଆଗରେ ଏହି ୨୦ ଫୁଟିଆ କାଠ ବ୍ରେକ ପଡିବା ପରେ ରଥ ଚକ ଅଟକି ଯାଏ।
ତେବେ ଏମସିଏଲ ତରଫରୁ ଏହାକୁ ଏବେ ଉନ୍ନତ କରାଯାଇଛି। ଏଥିରେ ଏକ ସ୍ୱତନ୍ତ୍ର ରବର ବ୍ୟବହାର ହେଉଛି। ଏହା ଉପରେ କଣ୍ଟା ପିଟା ଯାଉଛି। ଯେଉଁ କଣ୍ଟାର ଭୂଇଁରେ ଘର୍ଷଣ ହେବା ଫଳରେ ରହିଯାଉଛି ରଥ। ପଟା ନ ଫାଟିବା ପାଇଁ ଏଥିରେ ରବର ଦିଆଯାଇ କଣ୍ଟା ପିଟା ଯାଉଛି। ଏହି ରବର ଅତି ସ୍ୱତନ୍ତ୍ର। ନାଇଲନ କଟନ ଓ ରବର କୁ ମିଶାଇ ଏହି ବେଲ୍ଟ ପ୍ରସ୍ତୁତ ହୋଇଛି। ଏଥିରେ ଯେଉଁ କଣ୍ଟା ପିଟା ଯାଉଛି ତାହା ମଧ୍ୟ ସ୍ୱତନ୍ତ୍ର। ଯାହା ଘଷି ହୋଇ ସରେ ନାହିଁ।

ବ୍ରେକରେ ବ୍ୟବହାର ହେଉଥିବା ନାଇଲନ ରବର ବେଲ୍ଟ ରାସ୍ତାରେ ଘର୍ଷଣ ହୋଇ ରଥର ଗତି ଠିକ ଭାବରେ ନିୟନ୍ତ୍ରିତ କରିଥାଏ l ତିନି ରଥର ଏହି ବ୍ରେକ ତିଆରି କରିବା ପାଇଁ ରବର ଓ ନାଇଲନ ଲେୟାର ଥିବା ବେଲ୍ଟ ଆବଶ୍ୟକ ହୋଇଥାଏ l ତିନି ରଥ ପାଇଁ ମୋଟ ୩୬ ଖଣ୍ଡ ବେଲ୍ଟ ଦରକାର ହୁଏ l ପ୍ରତି ବେଲ୍ଟର ଲମ୍ବ ୧ଫୁଟ, ଚଉଡା ୯ଇଞ୍ଚ, ମୋଟା ୧୬ମିଲିମିଟର ରଖାଯାଏ l ଏହାସହିତ ୧୫ କେଜି ନିହାଣ କଣ୍ଟା, ୫କେଜି ଜୁଖିଆ କଣ୍ଟା ଓ ୩କେଜି ୱାସର ବ୍ୟବହାର ହୋଇଥାଏ।

ତାଳଧ୍ୱଜ ରଥର ମହାରଣା ସେବକ ବାଳକୃଷ୍ଣ ମହାରଣା କହିଛନ୍ତି, ମହାପ୍ରଭୂ ଙ୍କ ରଥକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅତି ଆନନ୍ଦ ରେ ଟାଣି ନିଅନ୍ତି। ତେବେ ବିଭିନ୍ନ ସ୍ଥାନରେ ରଥ କୁ ରୋକିବାକୁ ହୁଏ। ରଥ ମୋଡ ଖାଇଲେ ରଥ କୁ ଅଟକାଇବାକୁ ପଡ଼େ। ୨୦ ଫୁଟ ଲମ୍ବ, ଅଢ଼େଇ ଫୁଟ ଓସାର ବିଶିଷ୍ଟ ଏକ କାଠଗଣ୍ଡି କୁ ରଥ ବ୍ରେକ ଭାବେ ବ୍ୟବହାର ହୁଏ। ରଥ ଆଗରେ ଏହାକୁ ଟଙ୍ଗା ହୋଇ ରଖାଯାଏ। ଏହାକୁ ଭୋଇ ସେବକ ମାନେ ପରିଚାଳନା କରନ୍ତି। ଯେଉଁଠି ରଥ ରହିବାକୁ ହୁଏ କାଠଗଣ୍ଡି କୁ ଦଉଡ଼ି ଦ୍ଵାରା ଖସାଯାଏ। କାଠଟି ତଳେ ପଡ଼ିବା ପରେ ରଥ ଚକ ହାବୁଡୀ ପଡ଼ି ରଥ ରହିଯାଏ। ତେବେ ଚଳିତ ବର୍ଷ ତିନି ରଥ ପାଇଁ ୩ ଟି ନୁଆ ବ୍ରେକ ତିଆରି ହୋଇଛି। ଶାଳ କାଠ ଭଳି ମଜଭୁତ୍ କାଠରେ ଏହି ବ୍ରେକ ତିଆରି ହୁଏ। ରଥ ଦଉଡ଼ି ଓଡ଼ିଶା ଶିଳ୍ପ କତା ନିଗମ ଯୋଗାଇ ଆସୁଛି। ତେବେ ବହୁ ବର୍ଷ ପୂର୍ବରୁ କେରଳ ରୁ ରଥ ଦଉଡ଼ି ଆସୁଥିଲା। ହେଲେ ତାହା ନିମ୍ନ ମାନର ହେବା ଯୋଗୁ ଦଉଡ଼ି ଛିଡି ଯାଉଥିଲା। ପରେ ଓଡ଼ିଶା କତା ଶିଳ୍ପ ନିଗମ ପକ୍ଷରୁ ପ୍ରତିବର୍ଷ ରଥ ଦଉଡ଼ି ତିଆରି କରାଯାଇ ଯୋଗାଇ ଦିଆଯାଉଛି ।

Leave a Reply

Your email address will not be published. Required fields are marked *