November 29, 2026
Home » ମହିଳା ସଂରକ୍ଷଣ ଆଳରେ ୮୫୦ ଲୋକସଭା ଆସନର ଖେଳ ଭାରତୀୟ ଗଣତନ୍ତ୍ରର ହତ୍ୟା’

ମହିଳା ସଂରକ୍ଷଣ ଆଳରେ ୮୫୦ ଲୋକସଭା ଆସନର ଖେଳ ଭାରତୀୟ ଗଣତନ୍ତ୍ରର ହତ୍ୟା’

0
WhatsApp Image 2026-11-29 at 4.12.11 PM

ରାହୁଲ ଗାନ୍ଧୀଙ୍କ ଉପସ୍ଥାପନା ବିଜେପିର ମନ୍ଦ ଉଦ୍ଦେଶ୍ୟକୁ ପଦାରେ ପକାଇଲା: ଭକ୍ତ

ଭୁବନେଶ୍ୱର:  ନୂଆଦିଲ୍ଲୀସ୍ଥିତ ‘ଇନ୍ଦିରା ଭବନ’ଠାରେ ଲୋକସଭାର ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ‘ସୀମା ପୁନଃନିର୍ଦ୍ଧାରଣ ବିଲ୍’ (Delimitation Bill) ଏବଂ ଲୋକସଭା ଆସନ ସଂଖ୍ୟା ୫୪୩ ରୁ ବଢ଼ାଇ ୮୫୦ କରିବାର ଷଡ଼ଯନ୍ତ୍ର ଉପରେ ଯେଉଁ ତଥ୍ୟଭିତ୍ତିକ ଉପସ୍ଥାପନା ରଖିଛନ୍ତି, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ଭକ୍ତ ଚରଣ ଦାସ ତାହାକୁ ପୂର୍ଣ୍ଣ ସମର୍ଥନ ଜଣାଇବା ସହ କେନ୍ଦ୍ରର ବିଜେପି ସରକାରଙ୍କ ଜନବିରୋଧୀ ଓ ଅଗଣତାନ୍ତ୍ରିକ ପଦକ୍ଷେପକୁ ତୀବ୍ର ନିନ୍ଦା କରିଛନ୍ତି।

ଏକ ପ୍ରେସ ବିବୃତ୍ତିରେ ଶ୍ରୀ ଦାସ କହିଛନ୍ତି, ଆସନ୍ତା ୩୦ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଶ୍ରୀ ରାହୁଲ ଗାନ୍ଧୀ ଦେଶବାସୀଙ୍କ ସମ୍ମୁଖରେ ବିଜେପିର ଅସଲ ମୁଖା ଖୋଲି ଦେଇଛନ୍ତି। ଦେଶବ୍ୟାପୀ ‘ଭୋଟ୍ ଚୋରି’ ଏବଂ ନିର୍ବାଚନୀ ଅନିୟମିତତା ବିରୋଧରେ କଂଗ୍ରେସର ଲଢ଼େଇ ଫଳରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଅସଲ ଚେହେରା ପଦାରେ ପଡ଼ିଛି। ଦେଶର ୮୦ ପ୍ରତିଶତ ଜନତା ନିର୍ବାଚନ ପ୍ରକ୍ରିୟାରେ ହେଉଥିବା ହେରଫେରକୁ ବୁଝିସାରିଲେଣି। ତେଣୁ ପୁରୁଣା ବାଟ ବନ୍ଦ ହୋଇଯିବାରୁ କ୍ଷମତାରେ ତିଷ୍ଠି ରହିବା ପାଇଁ ବିଜେପି ୮୫୦ ଆସନ ବିଶିଷ୍ଟ ସୀମା ପୁନଃନିର୍ଦ୍ଧାରଣର ଏକ ‘ନୂଆ ପଳାୟନ ପଥ’ ବାହାର କରିଛି। ରାହୁଳଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଶ୍ରୀ ଦାସ କୈିଛନ୍ତି, ମହିଳା ସଂରକ୍ଷଣ କେବଳ ଏକ ବାହାନା। ମହିଳା ସଂରକ୍ଷଣ ବିଲ୍ ସଂସଦରେ ପୂର୍ବରୁ ହିଁ ଗୃହୀତ ହୋଇସାରିଛି। ଯଦି କେନ୍ଦ୍ର ସରକାରଙ୍କର ମହିଳାମାନଙ୍କୁ ଅଧିକାର ଦେବାର ସଚ୍ଚୋଟ ଉଦ୍ଦେଶ୍ୟ ଥାଆନ୍ତା, ତେବେ ବର୍ତ୍ତମାନର ୫୪୩ ଆସନରେ ଆସନ୍ତାକାଲି ହିଁ ମହିଳା ସଂରକ୍ଷଣ ଲାଗୁ କରାଯାଇପାରିବ। କିନ୍ତୁ ଏହା ନକରି ୮୫୦ ଆସନର ପ୍ରସ୍ତାବ ଆଣିବା ପଛରେ କେବଳ ବିଜେପି ନିଜ ସୁବିଧା ଅନୁଯାୟୀ ଦେଶର ନିର୍ବାଚନୀ ମାନଚିତ୍ରକୁ ବଦଳାଇବାର ଷଡ଼ଯନ୍ତ୍ର ରହିଛି।

ଓଡ଼ିଶା ତଥା ରାଜ୍ୟଗୁଡ଼ିକର ସଂଘୀୟ ଅଧିକାର ଓ ଆଦିବାସୀ-ଦଳିତଙ୍କ ପ୍ରତିନିଧିତ୍ୱ ଉପରେ ଆକ୍ରମଣ ଉପରେ ଶ୍ରୀ ଦାସ କହିଛନ୍ତି, ଭାରତ ହେଉଛି ରାଜ୍ୟମାନଙ୍କର ଏକ ସଂଘ। ଓଡ଼ିଶା ଭଳି ରାଜ୍ୟଗୁଡ଼ିକ ସହ କୌଣସି ଆଲୋଚନା ନକରି ଏକତରଫା ଭାବେ ସଂସଦୀୟ ଆସନ ପୁନଃନିର୍ଦ୍ଧାରଣ କରାଗଲେ ସଂଘୀୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ। ଏଥିସହ ୨୦୧୧ ଜନଗଣନା ଆଧାରରେ ଆସନ ବୃଦ୍ଧି କରାଗଲେ ଓଡ଼ିଶାର ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ବର୍ଗର ଲୋକମାନେ ସେମାନଙ୍କର ସାମ୍ବିଧାନିକ ଓ ଆନୁପାତିକ ପ୍ରତିନିଧିତ୍ୱ ହରାଇବାର ଘୋର ଆଶଙ୍କା ରହିଛି। ଆସାମ ଓ ଜାମ୍ମୁ-କାଶ୍ମୀର ମଡେଲ୍‌ରେ ନିର୍ବାଚନମଣ୍ଡଳୀ ଭାଙ୍ଗିବାକୁ ବିଜେପିର ଷଡ଼ଯନ୍ତ୍ର ମଧ୍ୟ ଜଣାପଡ଼ିଯାଉଛି। ଆସାମ ଏବଂ ଜାମ୍ମୁ-କାଶ୍ମୀରରେ ଯେପରି ଅତାର୍କିକ ଭାବେ ନିର୍ବାଚନମଣ୍ଡଳୀଗୁଡ଼ିକର ଭୌଗୋଳିକ ସୀମା ବଦଳାଇ ବିରୋଧୀ ଭୋଟରଙ୍କୁ ଦୁର୍ବଳ କରାଯାଇଛି, ଠିକ୍ ସେହିପରି ସାରା ଦେଶରେ ଗୋଟିଏ ବି ଭୋଟ୍ ପଡ଼ିବା ପୂର୍ବରୁ ଫଳାଫଳକୁ ନିଜ ସପକ୍ଷରେ ନେବା ପାଇଁ ବିଜେପି ଏକ ‘ବ୍ଲାଙ୍କ ଚେକ୍’ ହାସଲ କରିବାକୁ ଚାହୁଁଛି ବୋଲି ରାହୁଲ ବାଢ଼ିଥିବା ଯୁକ୍ତିକୁ ବିଜେପି ଖଣ୍ଡନ କରିପାରିବ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।

ରାହୁଲ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଓଡ଼ିଶାର ଯୁବପିଢ଼ି, ‘ଜେନ୍-ଜି’ (Gen Z) ଏବଂ ବୁଦ୍ଧିଜୀବୀମାନେ ଏହି ‘୮୫୦’ ସଂଖ୍ୟାଟିକୁ ବିରୋଧ କରିବେ ବୋଲି ଶ୍ରୀ ଦାସ ଆାଶା ପ୍ରକାଶ କରିଛନ୍ତି, କାରଣ ଏହା ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ରର ହତ୍ୟାର ପ୍ରତୀକ। ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ଏହି ଷଡ଼ଯନ୍ତ୍ର ବିରୋଧରେ ଓଡ଼ିଶାର ପୁରପଲ୍ଲୀରେ କଂଗ୍ରେସ ପକ୍ଷରୁ ଜନସଚେତନତା ଓ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *