ମାଣ୍ଡିଆ ଚାଷରେ ଶକ୍ତି ଚାଳିତ ମାଣ୍ଡିଆ ଫସଲ କଟା ଯନ୍ତ୍ର ଓ ଟ୍ରାକ୍ଟର ଚାଳିତ ପୁଷ୍ଟି ଶସ୍ୟ ଅମଳ- ସଫା କରିବା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ

ଏମ ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଇ କ୍ରି ସା ଟ ମିଳିତ ଅନୁକୁଲ୍ୟରେ ଆଜି କୋରାପୁଟ ବ୍ଲକର ମାଛରା ଗ୍ରାମ ଠାରେ ପୁଷ୍ଟି ଶସ୍ୟ ଫସଲ କାଟିବା ପାଇଁ ଶକ୍ତିଚାଳିତ ଫସଲ କଟା ଯନ୍ତ୍ରର ମଙ୍ଗଳବାର ଦିନ କ୍ଷେତ୍ର ପ୍ରଦର୍ଶନ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ରେ କୋରାପୁଟ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ l ରାଜ୍ୟ ସରକାରଙ୍କର ଓଡିଶା ମିଲେଟ ମିଶନ ଯାହା ଏବେ ଓଡିଶା ଶ୍ରୀ ଅନ୍ନ ଅଭିଯାନ ନାମରେ କାର୍ଯ୍ୟକାରୀ ହେଉଅଛି , ତାହାର ଫଳ ସ୍ୱରୂପ ଆମ ରାଜ୍ୟରେ ଗତ ପାଞ୍ଚ ବର୍ଷ ମଧ୍ୟରେ ପୁଷ୍ଟିଶସ୍ୟ ଚାଷର ବିଶେଷ ଅଗ୍ରଗତି ଦେଖିବାକୁ ମିଳିଛି । ବର୍ତମାନ ରାଜ୍ୟରେ ପ୍ରାୟ ୧୦୦ଟି କୃଷକ ଉତ୍ପାଦକ ସଂଘ (ଏଫପିଓ) ମାନଙ୍କ ଜରିଆରେ ଏହାକୁ ଅଧିକ ଲୋକପ୍ରିୟ କରିବା ଅବସରରେ ପୁଷ୍ଟି ଶସ୍ୟ ଚାଷରେ କୃଷି ଯାନ୍ତ୍ରିକରଣର ଆବଶ୍ୟକତା ବେଶ ଅନୁଭୂତ ହୋଇଛି I ତେବେ ପୁଷ୍ଟି ଶସ୍ୟ ଚାଷରେ ସାଧାରଣତଃ ଆମ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାଇମାନେ ବିଭିନ୍ନ ପ୍ରକାରର ଛୋଟ ଛୋଟ ଯନ୍ତ୍ରପାତି ବ୍ୟବହାର କରିଥାନ୍ତି I ଏବେ କିନ୍ତୁ ଅଧିକ ଜମିରେ ଅଳ୍ପ ସମୟ ମଧ୍ୟରେ ଅଧିକ ଭଲଭାବରେ ଚାଷ କାମ କରିବା ପାଇଁ ଉଚ୍ଚ ସ୍ତରୀୟ କୃଷି ଯାନ୍ତ୍ରିକରଣ ଅର୍ଥାତ ଅପେକ୍ଷାକୃତ ବଡ ଯନ୍ତ୍ରପାତି (ଟ୍ରାକ୍ଟର ଚଳିତ ବା ଶକ୍ତି ଚଳିତ ) ବ୍ୟବହାର କରିବା ଜରୁରୀ ହୋଇପଡିଛି I ଏ ଦିଗରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ଗବେଷଣା କରାଯାଇ ଟ୍ରାକ୍ଟର ଚାଳିତ ମଞ୍ଜି ବୁଣା ଯନ୍ତ୍ର, ଶକ୍ତି ଚଳିତ ଫସଲ କଟା ଯନ୍ତ୍ର ଓ ଟ୍ରାକ୍ଟର ଚାଳିତ ପୁଷ୍ଟି ଶସ୍ୟ ଅମଳ ଓ ସଫା କରିବା ଯନ୍ତ୍ର ବିକଶିତ କରାଯାଇଅଛି । ଅଦ୍ୟାବଧି ସୁନ୍ଦରଗଡ ଓ ସମ୍ବଲପୁର ଜିଲାରେ ସୁଆଁ ତଥା କୋରାପୁଟ ଓ ଢେଙ୍କାନାଳ ଜିଲାରେ ମାଣ୍ଡିଆ ଫସଲ ଚାଷରେ ଧାଡି ବୁଣା କରିବା ପାଇଁ ଟ୍ରାକ୍ଟର ଚାଳିତ ମଞ୍ଜି ବୁଣା ଯନ୍ତ୍ର ପରୀକ୍ଷା ମୂଳକ ଭାବରେ କ୍ଷେତ୍ର ପ୍ରଦର୍ଶନ ହୋଇସାରିଛି I ଏହା ସାହାଯ୍ୟରେ ମାତ୍ର ଦୁଇ ଘଂଟାରେ ଜଣେ ଲୋକ ଏକ ଏକର ଜମିରୁ ମାଣ୍ଡିଆ ଓ ସୁଆଁ ଫସଲକୁ କାଟି ଧାଡିରେ ସମାନ ଭାବରେ ଜମିରେ ପକାଇ ଦେଇ ପାରିବ
। ମାତ୍ର ଏହି ଫସଲ କଟା କାମପାଇଁ ଦେଶୀୟ ପଦ୍ଧତିରେ ଏକର ପିଛା ଦଶ ରୁ ବାର ଜଣ ଲୋକ ଲାଗିଥାନ୍ତି I ତେଣୁ ଅଧିକ ସମୟ, ଖର୍ଚ୍ଚ, ପରିଶ୍ରମ ହୋଇଥାଏ I ଫସଲ କଟାହେବା ପରେ ଅମଳ କରିବା ପାଇଁ ଟ୍ରାକ୍ଟର ଚାଳିତ ପୁଷ୍ଟି ଶସ୍ୟ ଅମଳ ଓ ସଫା କରିବା ଯନ୍ତ୍ର ସାହାଯ୍ୟରେ ଏକ ଘଂଟାରେ ୩-୪ କ୍ୱିଣ୍ଟାଲ ଦାନା ଅମଳ ହୋଇଥାଏ I ପାରମ୍ପରିକ ପଦ୍ଧତିରେ ହାତରେ ବାଡେଇ ଓ କୁଲାରେ ପIଛୁଡି ଘଣ୍ଟା ପ୍ରତି ୫-୬ କେଜି ଅମଳ ହୋଇଥାଏ I ନିକଟରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ବିକଶିତ ଏକ ଅଶ୍ୱ ଶକ୍ତି ବୈଦ୍ୟୁତିକ ମୋଟର ଚାଳିତ ମାଣ୍ଡିଆ ଅମଳ ଓ ସଫା କରିବା ଯନ୍ତ୍ର ସାହାଯ୍ୟରେ ଘଂଟାପ୍ରତି ୮୦ କେଜି ମାଣ୍ଡିଆ ଅମଳ ହୋଇପାରୁଛି I
ସମ୍ପ୍ରତି ରାଜ୍ୟରେ ଅଧିକ ଜମିରେ ସଫଳ ଭାବରେ ପୁଷ୍ଟି ଶସ୍ୟ ଚାଷ କରିବାପାଇଁ ଆଗIମୀ ଦିନରେ ଏହିପରି ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର ଏକାନ୍ତ ଅପରିହାର୍ଯ୍ୟ । ଏ ଦିଗରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଇ କ୍ରି ସା ଟ ଓ ତରଫରୁ ମିଳିତ ଭାବରେ ଓଡିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତ “ଓଡ଼ିଶାର ଢିପ ଜମି ଅଂଚଳରେ ପୁଷ୍ଟି ଶସ୍ୟ ଫସଲ ” ଶୀର୍ଷକ ଏକ ପ୍ରକଳ୍ପ ଜରିଆରେ ରାଜ୍ୟର ପାଞ୍ଚୋଟି ଜିଲା କୋରାପୁଟ, ନବରଙ୍ଗପୁର , ନୂଆପଡା , କେନ୍ଦୁଝର ଓ ସୁନ୍ଦରଗଡ଼ ଠାରେ ବିଶେଷ ଭାବରେ ଗବେଷଣା , ଅଗ୍ରଣୀ କ୍ଷେତ୍ର ପ୍ରଦର୍ଶନ ଓ ତାଲିମ କାର୍ଯ୍ୟକ୍ରମ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି କୋରାପୁଟ ଜିଲାରେ ସ୍ଥାନୀୟ ବେସରକାରୀ ସଂସ୍ଥା ଏମ ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଂଡେସନ, ସହଯୋଗରେ ମାଛରା ଠାରେ ଉକ୍ତ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ତରଫରୁ ପୁଷ୍ଟି ଶସ୍ୟ ଫସଲ କାଟିବା ଓ ଅମଳ କରିବା ପାଇଁ ଆଧୁନିକ ଓ ଉନ୍ନତ କୃଷି ଯନ୍ତ୍ରପାତିର କ୍ଷେତ୍ର ପ୍ରଦର୍ଶନ କରାଯାଇଛି I
ଏହି କାର୍ଯ୍ୟକ୍ରମରେ କୋରାପୁଟ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପ୍ରଦୀପ କୁମାର ମହାନ୍ତି , କୃଷି ଯାନ୍ତ୍ରିକରଣ ପରାମର୍ଶଦାତା ଇ କ୍ରି ସା ଟ,ଶ୍ରୀ ସଂଗ୍ରାମ କେଶରୀ ସ୍ୱାଇଁ , ଇ କ୍ରି ସା ଟ କ୍ଷେତ୍ର ବୈଜ୍ଞାନିକ ଡ଼ଃ ପ୍ରସାଦ କାମୁଡି, ନିର୍ଦେଶକ ଏମ ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଂଡେସନ ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ା , ଶ୍ରୀ ଅନ୍ନ ଅଭିଯାନ ଯୋଜନା ଅଧିକାରୀ ଶ୍ରୀ ତାପସ ଚନ୍ଦ୍ର ରାୟ କୃଷି ବିଭାଗର କର୍ମକର୍ତ୍ତା, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର ପ୍ରତିନିଧି ଓ କୃଷକ ମାନେ ଉପସ୍ଥିତ ରହିଥିଲେ। କୃଷକ ମାନେ ଏହା ଦ୍ୱାରା ପୁଷ୍ଟି ଶସ୍ୟ ଚାଷରେ ଅଳ୍ପସମୟରେ, ସହଜରେ, ଅଳ୍ପ ଖର୍ଚରେ ଓ ଅଳ୍ପ ପରିଶ୍ରମରେ ଫସଲ କାଟିବା ପାଇଁ ଶକ୍ତିଚାଳିତ ଫସଲ କଟା ଯନ୍ତ୍ରର କ୍ଷୁଦ୍ରଶସ୍ୟ ଗୁଡିକୁ ଅମଳ କରି ପାରିବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଶ୍ରୀ ସ୍ୱାଇଁ ଏହି ସବୁ ଯନ୍ତ୍ର ଦ୍ୱାରା ମାଣ୍ଡିଆ, ସୁ ଆଁ ଓ କାଙ୍ଗୁ ଭଳି କ୍ଷୁଦ୍ରଶସ୍ୟ ଗୁଡିକ କଟାଯାଇ ପାରିବ ଏବଂ ଅମଳ କରାଯାଇପାରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ କୁ ଏମ ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଂଡେସନ ର ପ୍ରକଳ୍ପ ସଂଯୋଜକ ନିରଞ୍ଜନ ଗୌଡ଼ ପରିଚାଳନା କରିଥିଲେ ।
ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ