ମା’ଲଙ୍କେଶ୍ୱରୀ ଙ୍କ ଖଣ୍ଡାବସା ପର୍ବ ମହାସମାରୋହରେ ପାଳିତ, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମା’ଲଙ୍କେଶ୍ଵରୀ ପୀଠ
କଳାହାଣ୍ଡିର ସର୍ବପୁରାତନ ମନ୍ଦିର ମାଳିନି ସହର ଜୁନାଗଡର ଅଧୀଷ୍ଠାତ୍ରୀ ଦେବୀ ମାଁ ଲଙ୍କେଶ୍ୱରୀଙ୍କ ପୀଠରେ ମଧ୍ୟ ପାଳିତ ହୋଇଛି ଷୋଡଶ ଉପଚାର ପୂଜା । ଏଠାରେ ମାଙ୍କ ବାର ମାସରେ ତେର ପର୍ବ ପଳିତ ହୋଇଥାଏ ସେଥିମଧ୍ଯରୁ ଖଣ୍ଡାବସା ଯାତ୍ରା ଅନ୍ଯତମ । ଏହି ଯାତ୍ରା ଆଶ୍ୱିନ ମାସ ମୂଳାଷ୍ଟମୀରୁ ୧୬ ଦିନ ଧରି ଚାଲିଥାଏ । କିମ୍ବଦନ୍ତୀ ଅନୁଯାୟୀ ପୁରାତନ କାଳରୁ ନାଗବଂଶୀୟ ରାଜା ଯୁଦ୍ଧକୁ ଯିବା ପୂର୍ବରୁ ଶତ୍ରୁକୁ ପରାସ୍ତ କରିବା ପାଇଁ ମା ଲଙ୍କେଶ୍ୱରୀ ଙ୍କୁ ସୁମରଣ କରିନ୍ତି । ସେହି ଦିନ ଠାରୁ ଏହି ଖଣ୍ଡା ବସା ଯାତ୍ରା ପାଳନ ହୋଇଆସୁଛି ।
କଳାହାଣ୍ଡି ଜିଲା ଜୁନାଗଡର ଅଧୃଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ଵରୀଙ୍କ ଖଣ୍ଡାବସା ପର୍ବ ମଙ୍ଗଳବାର ସନ୍ଧାରେ ମହାସମାରୋହରେ ପାଳିତ। କଳାହାଣ୍ଡି ମହାରାଜ ଅନନ୍ତ ପ୍ରସାଦ ଦେଓଙ୍କ ଉପସ୍ଥିତିରେ ପର୍ବ ପାଳିତ ହୋଇଛି। ମା’ଙ୍କ ଦର୍ଶନ ସିଧାସଳଖ ଭାବେ କରିଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ସନ୍ଧ୍ୟା ୬ଟା ୧୫ରେ ମା’ ଲଙ୍କେଶ୍ଵରୀଙ୍କ ମନ୍ଦିରରୁ ସ୍ଥାନୀୟ ଘଣ୍ଟ ଦଳ ସହ ଏକ ଶୋଭାଯାତ୍ରାରେ ପୂଜକ ମା’ଙ୍କ ପାଟଖଣ୍ଡାକୁ ଧରି ନିକଟ ଡାକବଙ୍ଗଳାରେ ତିଆରି ଅସ୍ଥାୟୀ ଝୁପୁଡି କୁଡିଆ ଘରକୁ ନେଇଥିଲେ। ସେହିପରି ବୁଢାରଜା ମନ୍ଦିରରୁ ଶଂଙ୍ଖୁଆରୀ ଆଉ ଏକ ଖଣ୍ଡା ଧରି ସେଠାକୁ ଆଣିଥିଲେ। ଉପରୋକ୍ତ ଅସ୍ଥାୟୀ ଘରେ ମା’ ଲଙ୍କେଶ୍ଵରୀଙ୍କ ପାଟଖଣ୍ଡା ଓ ବୁଢା ରଜାଙ୍କ ଖଣ୍ଡାକୁ ସ୍ବର୍ଣ୍ଣାକାର ବାଳକୃଷ୍ଣ ଆଚାରୀ ପୂଜାର୍ଚ୍ଚନା କରି ମାର୍ଜନା କରିଥିଲେ। ମାର୍ଜନା ପରେ ଲଙ୍କେଶ୍ଵରୀ ମନ୍ଦିର ପୂଜକ ମା’ଙ୍କ ଖଣ୍ଡାକୁ ଧରି ଲଙ୍କେଶ୍ଵରୀ ମନ୍ଦିରକୁ ଯାଇଥିଲେ। ସେହିପରି ଶଂଙ୍ଖୁଆରୀ ମା’ଲଙ୍କେଶ୍ବରୀଙ୍କ ପାଟ ଖଣ୍ଡାକୁ ମାର୍ଜନ ପାଇଁ ମଧ୍ୟ ତାଙ୍କ ଖଣ୍ଡାକୁ ନେଇ ବୁଢାରଜା ମନ୍ଦିରକୁ ଯାଇଥିଲେ। ମା’ ଲଙ୍କେଶ୍ଵରୀଙ୍କ ପାରମ୍ପରିକ ରୀତିନୀତରେ ପୂଜାର୍ଚ୍ଚନା ପରେ ରାତିରେ ମା’ଙ୍କ ପାଟଖଣ୍ଡାକୁ ଚାଉଳ ଉପରେ ବସାଯାଇଥିଲା। କିଛି ସମୟ ପରେ ଏକ ଛୋଟ ପଶୁ (ପାଟଗଡରା) ବଳି ଦିଆଯାଇଥିଲା। ମଧ୍ୟ ରାତ୍ରିରେ ଦେବୀଙ୍କ ମନ୍ଦିର ପରିସରରେ ଥିବା ଶିମୁଳି ଗଛ ମୁଳରେ ମହାପଶୁ (ପୋଢ) ବଳି ଦିଆଯାଇଥିଲା। ପର୍ବ ଶାନ୍ତିଶୃଙ୍ଖଳା ସହିତ ହେବ ସେ ନେଇ ଜୁନାଗଡ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ଏଥିପାଇଁ ୧ ପ୍ଲାଟୁନ ପୋଲିସ ନିୟୋଜିତ ଥିଲେ। ଧର୍ମଗଡ଼ ଉପଖଣ୍ଡର ବିଭିନ୍ନ ଥାନାରୁ ଏସଆଇ ଓ ଏଏସଆଇ ପୋଲିସ ଅଧିକାରୀ ଯୋଗଦେଇ ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ। ଖଣ୍ଡାବସା ଉପଲକ୍ଷେ ମା’ଙ୍କ ପୀଠ ନିକଟରେ ସ୍ଥାନୀୟ ମେଲୋଡି ଗ୍ରୁପ ପକ୍ଷରୁ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିପରି ଲଙ୍କେଶ୍ୱରୀ କ୍ଲବ ପକ୍ଷରୁ ଏକ ଡ୍ୟାନ୍ସ ବିଚିତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କୁମାର ସାହେବ ତଥା ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ସମ୍ମାନିତ ଅତିଥି ଭାବେ ଜୁନାଗଡ ଏନ୍ଏସି ଉପାଧ୍ୟକ୍ଷା ହିମାଦ୍ରୀ ନାଏକ,ବରିଷ୍ଠ ଆଇନଜୀବୀ ହିମାଂଶୁ ଶେଖର ବରାଡ଼,ଖବରଦାତା ସନ୍ତୋଷ ସିଂଦେଓ, ଲଙ୍କେଶ୍ୱରୀ କ୍ଲବର ସଭାପତି ସୁରେନ୍ଦ୍ର ସାହୁ,ପଣ୍ଡରାମାଲି ସମାଜର ସଭାପତି ପ୍ରକାଶ ଚନ୍ଦ୍ର ନାଏକ ସମେତ ଏନ ଏସି କାଉନସିଲର ମାନେ ଯୋଗଦେଇ ମା’ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ଉପରେ କହିଥିଲେ। କାର୍ଯ୍ୟକ୍ରମ କୁ ମନୋଜ ମେହେର ଓ ଚନ୍ଦ୍ରଧ୍ଵଜ ଗୁରୁ ପରିଚାଳନା କରିଥିଲେ।ସେହିପରି କାର୍ଯ୍ୟକ୍ରମ ଆରମ୍ଭରେ କ୍ଲବର ଉପଦେଷ୍ଟା ଦୁର୍ଗା ପ୍ରସାଦ ନାଏକ ସ୍ୱାଗତ ଭାଷଣ ଦେଇଥିଲେ। ପରେ ଡ୍ୟାନ୍ସ ବିଚିତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସ୍ଥାନୀୟ ଅନେକ କଳାକାର ଯୋଗଦେଇ ନିଜର କଳା ପରିବେଷଣ କରିଥିଲେ।ଯାହାକି ବେଶ ଚିତାକର୍ଷକ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକି ଉଠିଥିଲା ମା’ଲଙ୍କେଶ୍ଵରୀଙ୍କ ପୀଠ। ପରେ କୃତୀ ହୋଇଥିବା ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଖଣ୍ଡାବସା ପର୍ବରେ ଜିଲା ତଥା ଜିଲା ବାହାରର ଅନେକ ଶ୍ରଦ୍ଧାଳୁ ଯୋଗଦେଇଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….