ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଙ୍କୁ ସାକ୍ଷାତ କଲେ ଇଫକୋ ପ୍ରବନ୍ଧ ନିର୍ଦ୍ଦେଶକ ଡ଼ଃ.ଉଦୟ ଶଙ୍କର ଅୱସ୍ତି : ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା
ପାରାଦୀପ – ବିଶ୍ବର ସର୍ବ ବୃହତ୍ତମ ସମବାୟ ସଂସ୍ଥା ଇଫକୋ ର ପ୍ରବନ୍ଧ ନିର୍ଦ୍ଦେଶକ ଡଃ.ଉଦୟ ଶଙ୍କର ଅୱସ୍ଥି ତିନି ଦିନିଆ ଓଡ଼ିଶା ଗ୍ରସ୍ତରେ ଆସି ୭୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଇଫକୋ ପାରାଦ୍ବୀପ ୟୁନିଟ୍ କୁ ଆସିଥିଲେ । ଓଡ଼ିଶାର ପାରାଦୀପ ୟୁନିଟ୍ ଗସ୍ତ ସମୟରେ ଇଫକୋ ର ପ୍ରବନ୍ଧ ନିର୍ଦ୍ଦେଶକ ଡକ୍ଟର ଉଦୟ ଶଙ୍କର ଅୱସ୍ଥି, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏବଂ ଓଡିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ( ଆଇଏଏସ୍ ), ଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ । ତାଙ୍କ ସହିତ ଉପସ୍ଥିତ ଥିଲେ ଇଫକୋ ପାରାଦୀପ ୟୁନିଟର ନିର୍ଦ୍ଦେଶକ ତଥା ୟୁନିଟ୍ ମୁଖ୍ୟ କେ.ଜେ.ପଟେଲ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନାରେ ଡକ୍ଟର ଅୱସ୍ଥି ଇଫକୋ ସାର କାରଖାନା ର ଓଡିଶାର କୃଷି କ୍ଷେତ୍ରରେ ଅବଦାନ ଉପରେ ଆଲୋକପାତ କରି ଇଫକୋ ନାନୋ ତରଳ ସାର, ଡିଏପି ଏବଂ ୟୁରିଆ ସାର ଉତ୍ପାଦନ ଉପରେ ଧ୍ୟାନ ଆକର୍ଷଣ କରାଇଥିଲେ। ସେ ଭାରତର ଖାଦ୍ୟ ନିରାପତ୍ତାରେ ପାରାଦୀପ ୟୁନିଟର ଗୁରୁତ୍ବପୂର୍ଣ ଭୂମିକା ଉପରେ ମଧ୍ଯ ଆଲୋଚନା କରିଥିଲେ ।
ସେହିପରି ମୁଖ୍ୟ ଶାସନ ସଚିବ ମନୋଜ ଅହୁଜା ଙ୍କ ସହ ବୈଠକରେ ଡକ୍ଟର ଅୱସ୍ଥି ଇଫକୋ ର ନୂତନ ପୁଞ୍ଜି ବିନିଯୋଗ ଏବଂ ଓଡିଶାରେ ଚାଲିଥିବା ପ୍ରକଳ୍ପ ସହିତ ପାରାଦୀପରେ ସଲଫୁରିକ୍ ଏସିଡ୍ ପ୍ଲାଣ୍ଟ, ନାନୋ ଫର୍ଟିଲାଇଜର୍ ପ୍ଲାଣ୍ଟ ଏବଂ ନଦୀ ଭିଭିକ ବନ୍ଦର ଜେଟି ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ । କଟକ ଏବଂ ପାରାଦୀପ ମଧ୍ଯରେ ଯାତାୟାତ ସୁବିଧା ସୁଦୃଢ କରିବା ପାଇଁ ସେ ଏକ ନୂତନ ମେଟ୍ରୋ ରେଳର ବିକାଶ ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ଏଥିସହ, ସ୍ଥାନୀୟ ଅଞ୍ଚଳର ବାସିନ୍ଦା ମାନଙ୍କ ସ୍ବାସ୍ଥ୍ୟ ସେବା ବୃଦ୍ଧି ପାଇଁ ପାରାଦୀପରେ ଏକ ଆଧୁନିକ ଡାକ୍ତରଖାନା ତଥା ସୁପର ସ୍ପେସିଆଲିଟି ହସ୍ପିଟାଲ ର ପ୍ରତିଷ୍ଠା ସହ ଶିଳ୍ପାନୁଷ୍ଠାନ ର ଆର୍ଥିକ ଅନୁଦାନ ପ୍ରାପ୍ତ ତଥା ପରିଚାଳିତ ହେଉଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମାନଙ୍କୁ ନିୟୋଜିତ କରିବା ପ୍ରମୁଖ ବିଷୟ ଉପରେ ଆଲୋଚନା କରିଥିଲେ । ଏତଦବ୍ୟତୀତ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଙ୍କ ସହ ସାକ୍ଷାତକାରରେ ଡକ୍ଟର ଅୱସ୍ଥି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ର ଶିଳ୍ପ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ଭାବରେ ଶ୍ରୀ ସ୍ବାଇଁ ଙ୍କୁ ସମ୍ବର୍ଦ୍ଧିତ କରି ଇଫକୋ ପାରାଦୀପ ୟୁନିଟରେ ଚାଲିଥିବା ପ୍ରକଳ୍ପ ଏବଂ ଶିଳ୍ପ ଅନୁଦାନ ପ୍ରାପ୍ତ ସୁପର ସ୍ପେସିଆଲିଟି ହସ୍ପିଟାଲ ଏବଂ ପ୍ରସ୍ତାବିତ ନୂତନ ମେଟ୍ରୋ ରେଳ ପ୍ରକଳ୍ପ ପରି ଅଞ୍ଚଳବାସୀ ଙ୍କ ପାଇଁ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଉପରେ ଆଲୋଚନା କରିଥିଲେ l