June 11, 2026
Home » ଯୁବବର୍ଗଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର

ଯୁବବର୍ଗଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର

0
WhatsApp Image 2026-06-11 at 2.25.40 PM

ସମ୍ବଲପୁର: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷା ପରିଚାଳନାରେ ବ୍ୟାପକ ତ୍ରୁଟି ଅଭିଯୋଗକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ରଣହୁଙ୍କାର ଦେଇଛନ୍ତି ଯୁବ କଂଗ୍ରେସ ନେତା କହ୍ନେୟା କୁମାର। କଂଗ୍ରେସ ଓ ଏନଏସୟୁଆଇ ପକ୍ଷରୁ ଆୟୋଜିତ ବିଶାଳ ଆକ୍ରୋଶ ରାଲିରେ ଯୋଗ ଦେଇ ଶ୍ରୀ କୁମାର ଯୁବବର୍ଗଙ୍କୁ ରୋଜଗାର ଦେବାରେ ବିଫଳ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। କେନ୍ଦ୍ର ସରକାର ଦେଶର କୌଣସି ନିଯୁକ୍ତି ପରୀକ୍ଷାକୁ ନିର୍ବିଘ୍ନରେ କରିପାରୁ ନାହାନ୍ତି। ପଢ଼ିବ​‌ା ପାଇଁ ବହୁ ଅଧିକ ଫି’ ଅସୁଲ୍ କରାଯାଉଛି। ପଢ଼ି ସାରିବା ପରେ ଗୋଟିଏ ବି ପରୀକ୍ଷା ଠିକ୍ ସମୟରେ ହେଉନାହିଁ। ପରୀକ୍ଷା ଦେଇକି ଆସିଲେ ଜଣାପଡ଼ୁଛି ଯେ, ପେପର ଲିକ୍ ହୋଇଯାଇଛି। ​‌ସରକାରଙ୍କ ଏଭଳି ବ୍ୟବସ୍ଥା ଦେଶର ଯୁବବର୍ଗଙ୍କ ଭବିଷ୍ୟତକୁ ଖେଳ ଘର କରି ରଖି ଦେଇଛି। ପେପର ଲିକ୍ କରି ନିଜ ସ୍ବାର୍ଥ ସାଧନ କରିବାକୁ ଚାହୁଁଥିବା ବ୍ୟକ୍ତି ହିଁ ପ୍ରକୃତ ଦେଶଦ୍ରୋହୀ ବୋଲି ସେ ଆଖ୍ୟା ଦେଇଛନ୍ତି। ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଏଣୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ ବୋଲି ସମ୍ବଲପୁର ଧନକଉଡ଼ାଠାରେ ଆୟୋଜିତ ଏହି ଯୁବ ଛାତ୍ର ଆକ୍ରୋଶ ସମାବେଶରେ କହ୍ନେୟା କହିଛନ୍ତି।
ସଭାରେ କହ୍ନେୟା କହିଲେ, ଦେଶକୁ ଊଈ ଭଳି ଖାଉଥିବା ସରକାର ଓ ସେମାନଙ୍କ ଲୋକ ଏ ଦେଶର ଯୁବବର୍ଗଙ୍କୁ ‘କକ୍‌ରୋଚ୍’ କହୁଛନ୍ତି। ସମଗ୍ର ବ୍ୟବସ୍ଥାକୁ କ୍ରୟ କରି ନିର୍ବାଚନ ଜିତିବାର ମନୋଭାବ ରଖିଥିବାରୁ ସେମାନେ ଏଭଳି କହିବାକୁ ସାହସ କରୁଛନ୍ତି। ରାଜ୍ୟସଭାରେ କଂଗ୍ରେସର ଜଣେ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ପକ୍ଷପାତ ପୂର୍ଣ୍ଣ ଭାବେ ନାକଚ କରି ଦିଆଯିବା ତାହାର ଏକ ନଗ୍ନ ଉଦାହରଣ। ଦେଶରେ ୪୫ବର୍ଷ ମଧ୍ୟରେ ଏତେ ଅଧିକ ବେରୋଜଗାରୀ କେବେ ନ ଥିଲା। ଏମାନଙ୍କୁ ହିନ୍ଦୁରାଷ୍ଟ୍ର କରିବାର ନାହିଁ, ବିଜେପି ଭାରତକୁ ମୂର୍ଖଙ୍କ ରାଷ୍ଟ୍ର କରିବାକୁ ଚାହୁଁଛି। ଆମକୁ ନିଜ ଚିନ୍ତା ନାହିଁ କିନ୍ତୁ ଦେଶର ଯୁବବର୍ଗ, ବିଦ୍ୟାର୍ଥୀ କୃଷକମାନଙ୍କ ସହ ଯେଉଁ ଅନ୍ୟାୟ ହେଉଛି ହେଉଛି ତାହା ହେବାକୁ ଦେବୁ ନାହିଁ। ଦେଶର ଦଳିତ, ଆଦିବାସୀ, ପଛୁଆବର୍ଗ, ମହିଳା, ଅଳ୍ପ ସଂଖ୍ୟକ ଓ ଗରିବ ଲୋକଙ୍କ ପ୍ରତି ହେଉଥିବା ଅନ୍ୟାୟ ହେବାକୁ ଦେବୁ ନାହିଁ। ଏବେ ସଡ଼କରୁ ସଂସଦ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି କହିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଆକ୍ଷେପ କରି ସେ କହିଥିଲେ, ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଓ ସମ୍ବଲପୁରର ନାମ ମାଟିରେ ମିଶାଉଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କହ୍ନେୟା କୁମାରଙ୍କୁ ବିରୋଧ କରି ପୋଷ୍ଟର ଲଗାଇଥିବା ହେତୁ ସେ ମଞ୍ଚରୁ କହିଥିଲେ ​‌େ​‌ଯ ବିଦ୍ୟାର୍ଥୀ ପରିଷଦ ଏ ଦେଶରେ ପେପର ଲିକ୍, ପେପର ଚୋରିକୁ ଦେଖି ଜାଣି ମଧ୍ୟ ଚୁପ ରହିବା ଲଜ୍ଜାଜନକ। ସେମାନେ ଯଦି ଏ ଦେଶର ଲୁଣ ଖାଇଛନ୍ତି ତେବେ ଦେଶ ସହିତ ବିଶ୍ବାସଘାତ କରନ୍ତୁ ନାହିଁ ବୋଲି ସେ କହିଥିଲେ।
ପିସିସି ସଭାପତି ଭକ୍ତଚରଣ ଦାସ କହିଥିଲେ ସମ୍ବଲପୁରକୁ ଆଜି ଛାତ୍ର କଂଗ୍ରେସ ନ୍ୟାୟ ମାଗିବାକୁ ଆସିଛି। ସବୁ ଜାଗାରେ ଛାତ୍ରଛାତ୍ରୀ ଶୋଷିତ ଓ ବଞ୍ଚିତ ହେଉଛନ୍ତି। ଆଜି ପର୍ଯ୍ୟନ୍ତ ୮୯ ପେପର୍ ଲିକ୍ ହୋଇ ସାରିଲାଣି ହେଲେ କାହିଁକି ମନ୍ତ୍ରୀ ନୈତିକ ଦାୟିତ୍ବ ନେଉ ନାହାନ୍ତି। ଏଥିରେ ସମ୍ପୃକ୍ତ ସବୁ ଲୋକଙ୍କୁ କାହିଁକି ଗିରଫ କରାଯାଉ ନାହିଁ। ଯୁବବର୍ଗ ସଂଘର୍ଷ ନ କରିବା ପର୍ଯ୍ୟନ୍ତ ନ୍ୟାୟ ମିଳିବ ନାହିଁ। ଡବଲ ଇଞ୍ଜିନ ସରକାର ଛାତ୍ର ସମାଜକୁ ଅବହେଳିତ କରୁଛି। ୯ବର୍ଷ ହେଲା ଛାତ୍ର ନିର୍ବାଚନ ହୋଇପାରି ନାହିଁ। ସମାବେଶରେ ଛାତ୍ର କଂଗ୍ରେସ ରାଷ୍ଟ୍ରୀୟ ସଭାପତି ବିନୋଦ ଜାଖଡ଼, ରାଜଗାଙ୍ଗପୁର ବିଧାୟକ ସି.ଏସ ରାଜେନ ଏକ୍କାଙ୍କ ସହ ଅନେକ ରାଜ୍ୟସ୍ତରୀୟ ନେତୃବୃନ୍ଦ ମଞ୍ଚାସୀନ ଥିଲେ। ରାଜ୍ୟ କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅରବିନ୍ଦ ଦାସ ମଞ୍ଚ ପରିଚାଳନା କରିଥିଲେ।
ଅପରାହ୍ଣ ୫ଟାରେ କହ୍ନେୟା ଓ ଅନ୍ୟ ନେତାଗଣ ସମ୍ବଲପୁରର ଅଇଁଠାପାଲିରେ ଆସି ପହଞ୍ଚିବା ପରେ ଏକ ବିଶାଳ ଶୋଭାଯାତ୍ରାରେ ସମାବେଶ ସ୍ଥଳକୁ ସେମାନଙ୍କୁ ପାଛୋଟି ଅଣାଯାଇଥିଲା। ସମାବେଶରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଯୋଗଦାନ କରିଥିଲେ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *