August 21, 2026
Home » ରାଜ୍ୟରେ ଧାନକିଣା ଦୂରାବସ୍ଥା ନେଇ ସରକାରଙ୍କୁ ଦାୟିକଲା କଂଗ୍ରେସ

ରାଜ୍ୟରେ ଧାନକିଣା ଦୂରାବସ୍ଥା ନେଇ ସରକାରଙ୍କୁ ଦାୟିକଲା କଂଗ୍ରେସ

0
WhatsApp Image 2026-01-20 at 7.58.09 PM (1)
ଭୁବନେଶ୍ୱର: ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ଏଠାରେ ମୁଖ୍ୟ ଫସଲ ଧାନ । ଚଳିତ ଖରିଫରେ ଚାଷୀ ନିଜର ଆବଶ୍ୟକତା ପାଇଁ ଧାନ ରଖିବା ପରେ ପ୍ରାୟ ୧୦୦ଲକ୍ଷ ମେଟ୍ରିକ୍ ଟନରୁ ଉର୍ଦ୍ଧ୍ୱ ଧାନ ଉତ୍ପାଦନ ଆକଳନ କରାଯାଉଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶାସନକୁ ଆସିବା ପାଇଁ ବିଜେପି ଦଳ ତାଙ୍କ ନିର୍ବାଚନ ପ୍ରତିଶ୍ରୁତିରେ ୨୩ଶହ ଟଙ୍କା ଏମଏସପି ସହିତ ୮ଶହ ଟଙ୍କା ଇନ୍‌ପୁଟ ସହାୟତା ଦେଇ ଓଡ଼ିଶା ଚାଷୀଙ୍କଠାରୁ କ୍ୱିଣ୍ଟାଲ ପ୍ରତି ୩୧ଶହ ଟଙ୍କାରେ ସବୁ ବଳକା ଧାନ ନିର୍ଦ୍ଧାରିତ ସମୟରେ କିଣିବାକୁ ଚାଷୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।  କଟନୀ ଛଟନୀ କରା ନ ଯାଇ ସୁବ୍ୟବସ୍ଥିତ ଢଙ୍ଗରେ ମଣ୍ଡିରୁ ଧାନ କିଣାଯିବ । କିନ୍ତୁ ଚଳିତ ଥର ପ୍ରଥମ କରି ଫଳ ହେଲା ଓଲଟା ବୋଲି ଆଜି ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ପିସିସି ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ସିଧା ସଳଖ ସରକାରଙ୍କୁ ଦାୟି କରିଛନ୍ତି ।  ଧାନ ବିକ୍ରି ପାଇଁ ୧୯ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ସେମାନଙ୍କ ନାମ ପଞ୍ଜିକରଣ କଲେ । ପରବର୍ତ୍ତୀ ପର୍ଯ୍ୟାୟରେ ତୃଟି ଦର୍ଶାଇ ୧୭ଲକ୍ଷ ୮୮ହଜାର ୮୮୦ ଜଣ ଯୋଗ୍ୟ ବିବେଚିତ କରାଗଲା । କିନ୍ତୁ ଦୁଃର୍ଭାଗ୍ୟର ବିଷୟ ଜାନୁଆରୀ ଶେଷ ହେବାକୁ ବସିଲାଣି, ଏପର୍ଯ୍ୟନ୍ତ ମାତ୍ର ୫ଲକ୍ଷ ୫୨ ହଜାର ୩୮୦ ଜଣ ଚାଷୀଙ୍କଠାରୁ ୨୪ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଛି ।
ଉପକୂଳବର୍ତ୍ତୀ ଜିଲ୍ଲାରେ କାଁ ଭାଁ ମଣ୍ଡି ଖୋଲା ଯାଇଥିବା ବେଳେ ପୁରୀ, ଭଦ୍ରକ, ଜଗତସିଂହପୁର ଜିଲ୍ଲାରେ ମଣ୍ଡି ଖୋଲିବାରେ ଖାତା ଖୋଲିନି । ଗତବର୍ଷ ଯେଉଁମାନଙ୍କୁ ୧୦୦ କ୍ୱିଣ୍ଟାଲର ଟୋକେନ ଦିଆଯାଇଥିଲା ଚଳିତଥର ଜାଣିଶୁଣି ତାହାକୁ କମାଇ ଦିଆଯାଇ ୫୦ କ୍ୱିଣ୍ଟାଲର ଟୋକନ ଆସୁଛି । ଏଥି ସହିତ ନଭେମ୍ବର ୧ ରୁ ମଣ୍ଡି ଖୋଲିବା ପରିବର୍ତ୍ତେ ବହୁ ବିଳମ୍ବରେ ମଣ୍ଡି ଖୋଲା ଯାଇଛି । ଚାଷୀ ପରିବହନ ଓ ଅଖା ଖର୍ଚ୍ଚ ମଧ୍ୟ ପାଉନାହିଁ । ସରକାର ଓ ମିଲର ସହିତ ବିବାଦ ଭେଳିକି ସାଜିଛି । ଖୋଦ୍ ମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟର ସମସ୍ତ ଜିଲ୍ଲାରେ ଜାନୁଆରୀ ୧୦ ତାରିଖ ସୁଦ୍ଧା ଧାନକିଣା ଆରମ୍ଭ ହେବ । ହେଲେ ଟାର୍ଗେଟର ୧୦ ଦିନ ବିତିଲା । ସବୁ ମଣ୍ଡି ଖୋଲାଗଲା ନାହିଁ । ଯୋଗାଣ ବିଭାଗ, କୃଷି ବିଭାଗ ଓ ସମବାୟ ବିଭାଗ ମନ୍ତ୍ରୀଙ୍କ ବୟାନବାଜୀ ଚାଷୀଙ୍କ ପାଇଁ କଟା ଘା’ରେ ଚୁନ ସଦୃଶ ହୋଇଛି । ଯେଉଁ ଚାଷୀମାନେ ୧୫୦ କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରି କରିବେ, ସେମାନଙ୍କୁ ୮ଶହ ଟଙ୍କା ଇନପୁଟ୍ସ ସହାୟତା ଦିଆଯିବ ନାହିଁ ବୋଲି ରୋକ୍‌ଠୋକ୍ କୁହାଯିବା କେତେଦୂର ଯୁ୍‌କ୍ତି ଯୁକ୍ତ । ନିର୍ଦ୍ଧାରିତ ଏମଏସପି ୨୩୬୯ ଟଙ୍କା ୮ଶହ ଟଙ୍କା ଇନପୁଟ୍ସ ସହାୟତା ମୋଟ ୩୧୬୯ ପରିବର୍ତ୍ତେ ଅନେକ ଜିଲ୍ଲାରେ ଚାଷୀ ଅଭାବୀ ଦରରେ ବାଧ୍ୟ ହୋଇ ଧାନ କ୍ୱିଣ୍ଟାଲ ପ୍ରତି ୧୬ଶହ ୧୭ଶହ ଟଙ୍କାରେ ବିକ୍ରି କରୁଛନ୍ତି । ସରକାର ଧାନ କିଣିବା ପରିବର୍ତ୍ତେ ମିଲର ଧାନ କିଣୁଛି । ଫାଇଦା କେବଳ ସରକାର, ପ୍ରଶାସନ ଓ ମିଲରର । ଚାଷୀ ଶୀତ କାକରରେ ଖୋଲା ଆକାଶ ତଳେ ବସିରହି ଧାନ ନ ଉଠିବାରୁ ବହୁ ଦୁଶ୍ଚିନ୍ତାରେ ରହିଛନ୍ତି । ଧାନ କିଣା ପ୍ରକ୍ରିୟାରେ ସରକାରଙ୍କର ଆଦୌ ତତ୍ପରତା ଓ ସ୍ୱଚ୍ଛତା ନାହିଁ । କେବଳ ପ୍ରଚାର ଓ ଭାଷଣ ସର୍ବସ୍ୱ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । କାଳ ବିଳମ୍ବ ନ କରି ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟଧାର୍ଯ୍ୟ ମୁତାବକ ୭୩ଲକ୍ଷ ମେଟ୍ରିକ୍ ଟନ୍ ଧାନ ଓ ଅନ୍ୟ ବଳକା ଧାନକୁ ୮ଶହ ଟଙ୍କା ଇନପୁଟ୍ସ ସହାୟତା ସହ ୩୧୬୯ଟଙ୍କାରେ କିଣାଯିବାକୁ ସରକାରଙ୍କ ନିକଟରେ କଂଗ୍ରେସ ପକ୍ଷରୁ ବାରମ୍ବାର ଦାବୀ କରାଯାଇଛି । ଯଦି ବ୍ୟବସ୍ଥିତ ଢଙ୍ଗରେ ସରାକର ତୁରନ୍ତ ଚାଷୀଙ୍କଠାରୁ ସବୁ ବଳକା ଧାନ କିଣା ନ କିଣନ୍ତି ସାରା ରାଜ୍ୟରେ  ଚାଷୀ ଆନ୍ଦୋଳନକୁ କଂଗ୍ରେସ ପକ୍ଷରୁ ଦୁର୍ବାର କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।