June 5, 2026
Home » ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ

ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ

0
WhatsApp Image 2026-06-05 at 2.40.22 PM

 

ଓଡ଼ିଶାର ଆମ୍ବ ପାଇଁ ଏକ ସ୍ୱତନ୍ତ୍ର ବ୍ରାଣ୍ଡିଂ ସୃଷ୍ଟି କରିବାର ଆବଶ୍ୟକତା ରହିଛି- ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଉଦ୍ୟାନକୃଷି ପରୀକ୍ଷଣ କେନ୍ଦ୍ର (CHES) ପରିସରରେ ୫ ଜୁନ୍ ୨୦୨୬ରେ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ICAR-IIHR, ବେଙ୍ଗାଲୁରୁ ଏବଂ ଓଡ଼ିଶା ସରକାରଙ୍କ ଉଦ୍ୟାନକୃଷି ନିର୍ଦ୍ଦେଶାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟର ସମୃଦ୍ଧ ଆମ୍ବ ସମ୍ପଦ, ଜୈବ ବିବିଧତା ସଂରକ୍ଷଣ ଏବଂ ସ୍ଥାୟୀ କୃଷିର ପ୍ରଦର୍ଶନ କରାଯାଇଥିଲା। ଜଳବାୟୁ-ଉପଯୋଗୀ ଉଦ୍ୟାନକୃଷିର ପ୍ରସାର ଏବଂ “କ୍ଷେତ ବଞ୍ଚାଅ ଅଭିଯାନ” ଅଧୀନରେ ଚାଷଜମିର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶତାଧିକ ଚାଷୀ, ବିଶେଷଜ୍ଞ ଏବଂ ଆମ୍ବ ପ୍ରେମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରକାଶ କରିଛନ୍ତି ଯେ, ଚାଷୀଙ୍କ ଆୟ ବୃଦ୍ଧି କରିବା ଏବଂ କୃଷି ରପ୍ତାନିକୁ ବଢ଼ାଇବା ପାଇଁ ଓଡ଼ିଶାର ଆମ୍ବର ଏକ ସ୍ୱତନ୍ତ୍ର ‘ବ୍ରାଣ୍ଡିଂ’ ବା ପରିଚୟ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଏହା ସହିତ କୃଷି ଉତ୍ପାଦନ ବଢ଼ାଇବା ପାଇଁ ସେ ଫସଲ ବିବିଧକରଣ ଉପରେ ଗୁରୁତ୍ୱ ଦେଇଥିଲେ। ପାରମ୍ପରିକ ଚାଷ ପଦ୍ଧତିରୁ ବାହାରି ଚାଷୀମାନେ ଡାଲି ଜାତୀୟ ଫସଲ, ତୈଳବୀଜ ଏବଂ ଔଷଧୀୟ ଗୁଣଯୁକ୍ତ ଡ୍ରାଗନ୍ ଫ୍ରୁଟ୍ ଭଳି ଫଳ ଚାଷ କରିବାକୁ ସେ ଆହ୍ୱାନ ଦେଇଥିଲେ। ଚାଷୀମାନଙ୍କୁ ଦେଶର ବିଭିନ୍ନ ରାଜ୍ୟରେ ହେଉଥିବା ସଫଳ ଚାଷ ପ୍ରଣାଳୀ ବିଷୟରେ ଅବଗତ କରାଇବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ବିଷୟରେ ସେ ସୂଚନା ଦେବା ସହ ଏଭଳି ଏକ କାର୍ଯ୍ୟକ୍ରମ ପାଇଁ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ।

ଉତ୍ସବରେ ଉପସ୍ଥିତ ଅନ୍ୟାନ୍ୟ ପ୍ରମୁଖ ଅତିଥିମାନେ କୃଷି କ୍ଷେତ୍ରର ସମସ୍ୟା ଓ ସୁଯୋଗ ବିଷୟରେ ଆଲୋଚନା କରିଥିଲେ। ମାନ୍ୟବର ବିଧାୟକ ସିଦ୍ଧାନ୍ତ ମହାପାତ୍ର ପରିବେଶର ସୁରକ୍ଷା ସହିତ କୃଷି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ଯାଦବ ସୂଚନା ଦେଇଥିଲେ ଯେ, ଓଡ଼ିଶାରେ ୨.୫ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଆମ୍ବ ଚାଷ ହେଉଛି। ଅନ୍ୟପଟେ, ICAR-IIHRର ନିର୍ଦ୍ଦେଶକ ପ୍ରଫେସର ତୁଷାର କାନ୍ତି ବେହେରା ଚାଷୀଙ୍କ ସହାୟତା ପାଇଁ ବିକଶିତ କରାଯାଇଥିବା ଅଧିକ ଅମଳକ୍ଷମ କିସମର ଫଳ ବିଷୟରେ ଆଲୋଚନା କରିଥିଲେ।

ଏହି ପ୍ରଦର୍ଶନୀରେ ଓଡ଼ିଶାର ପାରମ୍ପରିକ ଆମ୍ବ ସହିତ ବିଦେଶୀ କିସମର ‘ମିୟାଜାକି’ ଏବଂ ଅଧିକ ଅମଳକ୍ଷମ ‘ଅର୍କ’ ହାଇବ୍ରିଡ୍ ଭଳି ୬୦ରୁ ଅଧିକ କିସମର ଆମ୍ବ ପ୍ରଦର୍ଶିତ ହୋଇଥିଲା। ଏହି ପ୍ଲାଟଫର୍ମ ମାଧ୍ୟମରେ ବୈଜ୍ଞାନିକମାନେ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରି ବଗିଚା ପରିଚାଳନା ଏବଂ ପୋକ ନିୟନ୍ତ୍ରଣ ବିଷୟରେ ପରାମର୍ଶ ଦେଇଥିଲେ। ଏହା ସହିତ କେତେକ କୃଷକ ଉତ୍ପାଦକ ସଂଗଠନ ଗ୍ରାହକମାନଙ୍କୁ ସିଧାସଳଖ ଉନ୍ନତମାନର ଆମ୍ବ ବିକ୍ରି କରିବା ପାଇଁ ଷ୍ଟଲ୍ ପକାଇଥିଲେ, ଯାହା ବଜାର ସଂଯୋଗକୁ ସୁଦୃଢ଼ କରିଥିଲା।
ଆମ୍ବରୁ ପ୍ରସ୍ତୁତ ପ୍ରାକୃତିକ ଆଇସକ୍ରିମକୁ ଲୋକମାନେ ବିଶେଷ ଭାବେ ପସନ୍ଦ କରିଥିଲେ। କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ଡା, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ ଯୋଗଦେଇଥିଲେ ଏବଂ ପ୍ରମୁଖ ବୈଜ୍ଞାନିକ ଡ଼ଃ ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉଦ୍ୟାନକୃଷି ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଗୀତାଶ୍ରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *