May 30, 2026
Home » ରୋଗାକ୍ରାନ୍ତ ଓ ଆହତ ପଶୁଙ୍କ ପାଇଁ ଆଧୁନିକ ସୁବିଧା ସମ୍ପନ୍ନ ଶଯ୍ୟା ସ୍ଥାପନ ଦାବି

ରୋଗାକ୍ରାନ୍ତ ଓ ଆହତ ପଶୁଙ୍କ ପାଇଁ ଆଧୁନିକ ସୁବିଧା ସମ୍ପନ୍ନ ଶଯ୍ୟା ସ୍ଥାପନ ଦାବି

0
WhatsApp Image 2026-05-29 at 2.59.43 PM

 

ବ୍ରହ୍ମପୁର;  ବ୍ରହ୍ମପୁର ପଶୁ ଚିକିତ୍ସାଳୟ କେବଳ ଗୋଟିଏ ସାଧାରଣ ଚିକିତ୍ସା କେନ୍ଦ୍ର ନୁହେଁ, ବରଂ ସମଗ୍ର ଦକ୍ଷିଣ ଓଡ଼ିଶାର କେନ୍ଦ୍ର ବିନ୍ଦୁ। ବ୍ରହ୍ମପୁର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ପ୍ରତିଦିନ ଅନେକ ରୋଗାକ୍ରାନ୍ତ ଗାଈଗୋରୁ, ଛେଳି, କୁକୁର, ବିଲେଇ ଓ ଅନ୍ୟାନ୍ୟ ପଶୁ ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି । ବିଶେଷକରି ସଡ଼କ ଦୁର୍ଘଟଣାରେ ଆହତ ଏବଂ ଆବାରଜ ପଶୁଙ୍କ ପାଇଁ ଏହି ଚିକିତ୍ସାଳୟ ହିଁ ଏକମାତ୍ର ଆଶାର କେନ୍ଦ୍ର ପାଲଟିଛି ।
କିନ୍ତୁ ଦୁଃଖର ବିଷୟ, ଦିନକୁ ଦିନ ପଶୁଚିକିତ୍ସା ସେବାର ଚାହିଦା ବଢ଼ୁଥିବା ସତ୍ତ୍ୱେ ବ୍ରହ୍ମପୁରରେ ଆଜି ପର୍ଯ୍ୟନ୍ତ ରୋଗାକ୍ରାନ୍ତ ଓ ଗୁରୁତର ଆହତ ପଶୁମାନଙ୍କ ପାଇଁ ଆଧୁନିକ ସୁବିଧା ସମ୍ପନ୍ନ ଏକ ସ୍ଥାୟୀ ଶଯ୍ୟା ବ୍ୟବସ୍ଥା ପଶୁ ଚିକିତ୍ସାଳୟ ନାହିଁ । ଫଳରେ ଅନେକ ପଶୁ ଆବଶ୍ୟକୀୟ ଚିକିତ୍ସା ଓ ପରିଚର୍ଯ୍ୟା ନ ପାଇ ଅକାଳରେ ପ୍ରାଣ ହରାଉଛନ୍ତି । ଅତ୍ସୋପଚାର ପରେ ପଶୁମାନଙ୍କୁ ରଖିବା ପାଇଁ ସଠିକ୍ ବ୍ୟବସ୍ଥା ନଥିବାରୁ ଡାକ୍ତରମାନେ ମଧ୍ୟ ବହୁ ସମୟରେ ସୀମିତ ସୁବିଧା ମଧ୍ୟରେ କାମ କରିବାକୁ ବାଧ୍ୟ ହେଉଛନ୍ତି ।
ସେଥିପାଇଁ ବ୍ରହ୍ମପୁରରେ ଅତିଶୀଘ୍ର ୫୦ ଶଯ୍ୟା ବିଶିଷ୍ଟ ଏକ ଆଧୁନିକ ପଶୁ ଚିକିତ୍ସାଳୟ ସ୍ଥାପନ କରାଯିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଏହି ଚିକିତ୍ସାଳୟରେ ଆହତ ଓ ରୋଗାକ୍ରାନ୍ତ ପଶୁମାନଙ୍କ ପାଇଁ ଆପାତକାଳୀନ ଚିକିତ୍ସା ସହ ସ୍ଥାୟୀ ରହଣୀ ବ୍ୟବସ୍ଥା ରହିବା ଆବଶ୍ୟକ । ଏଥିସହ ଆବାରଜ ଓ ଦୁର୍ଘଟଣାଗ୍ରସ୍ତ ପଶୁମାନଙ୍କ ପାଇଁ ପୃଥକ ରିକଭରି ୱାର୍ଡର ବ୍ୟବସ୍ଥା କରାଗଲେ ଅନେକ ନିରୀହ ପଶୁଙ୍କ ଜୀବନ ରକ୍ଷା ପାଇପାରିବ ।
ଏହି ପ୍ରସ୍ତାବିତ ଚିକିତ୍ସାଳୟ କେବଳ ବ୍ରହ୍ମପୁର ସହର ପାଇଁ ନୁହେଁ, ବରଂ ସମଗ୍ର ଦକ୍ଷିଣ ଓଡ଼ିଶା ପାଇଁ ଏକ ବଡ଼ ସ୍ୱାସ୍ଥ୍ୟ ପରିକାଷ୍ଠା ହୋଇପାରିବ । ହଜାର ହଜାର ଚାଷୀ ଓ ପଶୁପାଳକ ଏଥିରୁ ସିଧାସଳଖ ଉପକୃତ ହେବେ । ଗାଈଗୋରୁ ଓ ଅନ୍ୟାନ୍ୟ ପଶୁ ସୁସ୍ଥ ରହିଲେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବା ସହ ଚାଷୀଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହେବ । ସେହିପରି ପଶୁପ୍ରେମୀମାନେ ମଧ୍ୟ ଉନ୍ନତ ଚିକିତ୍ସା ସେବା ଦୁର୍ଘଟଣା ଗ୍ରସ୍ଥ ପଶୁମାନଙ୍କୁ ଯୋଗାଇ ପାରିବେ ।
ସରକାର “ପଶୁକଳ୍ୟାଣ” ଓ “ସ୍ମାର୍ଟ ସିଟି” ଭଳି ଯୋଜନାର କଥା କହୁଥିବା ବେଳେ ବ୍ରହ୍ମପୁର ଭଳି ବଡ଼ ସହରରେ ଏକ ଆଧୁନିକ ପଶୁ ଚିକିତ୍ସାଳୟର ଅଭାବ ନିଶ୍ଚୟ ଚିନ୍ତାଜନକ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ କେବଳ ପଶୁଙ୍କ ଜୀବନ ରକ୍ଷା ହେବ ନୁହେଁ, ମାନବିକତା ଓ ପଶୁକଳ୍ୟାଣ କ୍ଷେତ୍ରରେ ଓଡ଼ିଶା ପାଇଁ ଏକ ନୂତନ ଦୃଷ୍ଟାନ୍ତ ମଧ୍ୟ ସୃଷ୍ଟି ହୋଇପାରିବ ।
ବ୍ରହ୍ମପୁରରେ ଆହତ ଓ ରୋଗାକ୍ରାନ୍ତ ପଶୁମାନଙ୍କ ଉନ୍ନତ ଚିକିତ୍ସା ସୁବିଧା ନିମନ୍ତେ ଶୀଘ୍ର ୫୦ ଶଯ୍ୟା ବିଶିଷ୍ଟ ଆଧୁନିକ ପଶୁ ଚିକିତ୍ସାଳୟ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥମଞ୍ଜୁରୀ କରାଯାଇ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ରାଜ୍ୟ ସରକାର ଓ ପଶୁସମ୍ପଦ ବିକାଶ ବିଭାଗଙ୍କୁ ଦୃଢ଼ ଦାବି ଜଣାଇବା ସହ ସମୟୋଚିତ ପଦକ୍ଷେପ ଗ୍ରହଣ କରାଯାଇପାରିଲେ ଦକ୍ଷିଣ ଓଡ଼ିଶାର ଅସଂଖ୍ୟ ଅସହାୟ ଓ ନିରୀହ ପଶୁ ଉପଯୁକ୍ତ ଚିକିତ୍ସା ସେବା ପାଇ ନୂତନ ଜୀବନ ପାଇପାରିବେ ବୋଲି ସେ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *