August 29, 2026
Home » ଲଗାଣ ବର୍ଷାରେ କ୍ଷୟକ୍ଷତି ଆକଳନରେ ବିଳମ୍ବ ଯୋଗୁଁ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି

ଲଗାଣ ବର୍ଷାରେ କ୍ଷୟକ୍ଷତି ଆକଳନରେ ବିଳମ୍ବ ଯୋଗୁଁ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି

0
WhatsApp Image 2026-08-08 at 2.25.31 PM

 

ସୁବର୍ଣ୍ଣପୁର –ଜୁନରେ ଅନାବୃଷ୍ଟି ଏବଂ ଜୁଲାଇରେ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲ୍ଲାରେ ଚାଷୀ ଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି l ସେଥିମଧ୍ୟରୁ ବୀରମହାରାଜପୁର ତହସିଲ ଅଞ୍ଚଳର ଚାଷୀଙ୍କ ପାଇଁ ଦ୍ୱିମୁଖୀ ବିପର୍ଯ୍ୟୟ ସୃଷ୍ଟି କରିଛି। ଧାନ, କପା ସମେତ ବିଭିନ୍ନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଠିକ୍‌ କ୍ଷୟକ୍ଷତିର ଆକଳନ ହୋଇ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କ୍ଷତିଗ୍ରସ୍ତ ଚାଷୀମାନେ ଶୀଘ୍ର ସର୍ଭେ କରି କ୍ଷତିପୂରଣ ପ୍ରଦାନ ପାଇଁ ଦାବି ଜୋରଦାର କରିଛନ୍ତି। ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ ଏହି ପ୍ରବାଦ ଚଳିତବର୍ଷ ବୀରମହାରାଜପୁର ଅଞ୍ଚଳରେ ସତ୍ୟରେ ପ୍ରମାଣିତ ହୋଇଥିବା ଚାଷୀମାନେ କହୁଛନ୍ତି। ବର୍ଷା ଅଭାବରେ ବିଳମ୍ବରେ ଚାଷ ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଲଗାଣ ବର୍ଷା ଯୋଗୁ ଅଧିକାଂଶ ଚାଷଜମି ଜଳମଗ୍ନ ହୋଇପଡ଼ିଛି। ଫଳରେ ଧାନ ତଳି ରୁଆ, ବିହୁଡ଼ା ଓ ତଳି ପାଣିରେ ପଚି ନଷ୍ଟ ହୋଇଥିବାବେଳେ ଅନେକ ଜମିରେ ବାଲିଚର ମଧ୍ୟ ପଡ଼ିଛି।
ଜୁଲାଇରେ ଜିଲ୍ଲାର ସ୍ବାଭାବିକ ବର୍ଷା ପରିମାଣଠାରୁ ବହୁଗୁଣା ଅଧିକ ରେକର୍ଡ ହୋଇଥିଲା। ସାଧାରଣତଃ ଜିଲ୍ଲା ରେ ଜୁଲାଇରେ ଚାଷ ପାଇଁ ୩୯୨.୯ ମି.ମି. ବର୍ଷା ଆବଶ୍ୟକ ଥିବାବେଳେ ଜିଲ୍ଲା ରେ ସମୁଦାୟ ୭,୨୪୯ ମି.ମି. ରେକର୍ଡ ବର୍ଷା ହୋଇଥିଲା। ତନ୍ମଧ୍ୟରୁ ବୀରମହାରାଜପୁର ବ୍ଲକରେ ଏହି ମାସରେ ୧୨୩୮ ମି.ମି. ବୃଷ୍ଟିପାତ ହୋଇଥିବା ରେକର୍ଡ ହୋଇଛି। ବ୍ଲକରେ ମାସର ୧୯ ଦିନ ବର୍ଷା ହୋଇଥିବାବେଳେ ୬ ଦିନରେ ୧୦୦ ମି.ମି.ରୁ ଅଧିକ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଚାଷଜମି ଦୀର୍ଘଦିନ ଧରି ଜଳମଗ୍ନ ରହି ଫସଲ କ୍ଷତିଗ୍ରସ୍ତ ହୋଇଛି। କେବଳ ଚାଷ ନୁହେଁ, ଅତିବୃଷ୍ଟିରେ ବହୁ କଚ୍ଚାଘର ମଧ୍ୟ ଭୁଶୁଡ଼ି ପଡ଼ିଛି। ରାଜସ୍ବ ବିଭାଗର ସୂଚନା ଅନୁସାରେ, କେନଝିରିଆପାଲି ଆର୍‌ଆଇ ଅଞ୍ଚଳରେ ୧୬ଟି, ଖଣ୍ଡହତାରେ ୪ଟି, ଉଫୁଲାରେ ୨୫ଟି, ସୁବଳୟାରେ ୫ଟି ଏବଂ ମୁର୍ଷୁଣ୍ଢୀ ଅଞ୍ଚଳରେ ୨୫ଟି ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ, ପ୍ରକୃତ କ୍ଷତି ଏହାଠାରୁ ଅଧିକ।
ବହଳପଦର ପଞ୍ଚାୟତ ଭାଲୁଡୁଙ୍ଗୁରୀ ଗ୍ରାମର ଚାଷୀ ଶେଷଦେବ ମାଝୀଙ୍କ ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବାଧ୍ୟହୋଇ ସେ ପୁଣିଥରେ ତଳି ରୋପଣ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଧିକାରୀ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିନାହାନ୍ତି। ସେହିପରି ଖଣ୍ଡହତା ଗ୍ରାମର ଚାଷୀ ନିତ୍ୟାନନ୍ଦ ସାହୁ ଙ୍କ ୩ ଥର ଧାନ ତଳି ବର୍ଷା ପାଣିରେ ପଚି ନଷ୍ଟ ହୋଇଥିଲେ ମଧ୍ୟ କୌଣସି ସରକାରୀ ସର୍ଭେ ହୋଇନାହିଁ। ଖଣ୍ଡହତା ରାଜସ୍ବ ନିରୀକ୍ଷକ ପୀତାମ୍ବର ସାହୁ କହିଛନ୍ତି, ଘରଭଙ୍ଗା ସମ୍ପର୍କରେ ଅଭିଯୋଗ ମିଳିଲେ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରାଯାଉଛି। ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲେ ମଧ୍ୟ ପ୍ରଶାସନ ତୁରନ୍ତ ସର୍ଭେ କରି କ୍ଷତିପୂରଣ ପ୍ରଦାନ କରିବାରେ ବିଫଳ ହୋଇଛି। ଶୀଘ୍ର କ୍ଷୟକ୍ଷତିର ଆକଳନ କରି ସହାୟତା ପ୍ରଦାନ ନ କରାଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ଚାଷୀ ମାନେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ବୀରମହାରାଜପୁରର ଭାରପ୍ରାପ୍ତ ବ୍ଲକ କୃଷି ଅଧିକାରୀ ଶୁଭଲକ୍ଷ୍ମୀ ସାହୁ ଓ ବିଭାଗର ଭିଏଡବ୍ଲ୍ୟୁ ଓ ଅନ୍ୟ କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରୁଛନ୍ତି। ସରକାରୀ ନିୟମ ଅନୁଯାୟୀ, ବାଲିଚର ପଡ଼ିଥିବା ଜମି ପାଇଁ ସହାୟତା ବ୍ୟବସ୍ଥା ରହିଛି। ତେବେ କ୍ଷତିପୂରଣ ନେଲେ ପୁନର୍ବାର ସେହି ଜମିରେ ଉତ୍ପାଦିତ ଫସଲ ମଣ୍ଡିରେ ବିକ୍ରି କରିବା ସମ୍ଭବ ନ ହେବାର ବ୍ୟବସ୍ଥା ଥିବାରୁ ଅନେକ ଚାଷୀ ଆବେଦନ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *