November 23, 2026
Home » ଲଣ୍ଡନ ଫ୍ୟାଶନ ୱିକ୍ ରେ ଚମକିଲା କଳାହାଣ୍ଡି ଜିଲ୍ଲାର ହାବସପୁରୀ ପାଟ।

ଲଣ୍ଡନ ଫ୍ୟାଶନ ୱିକ୍ ରେ ଚମକିଲା କଳାହାଣ୍ଡି ଜିଲ୍ଲାର ହାବସପୁରୀ ପାଟ।

0
WhatsApp Image 2026-11-23 at 2.12.05 PM

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାର ହାବସପୁରୀ ହସ୍ତତନ୍ତ ଏବେ ବିଶ୍ୱ ଦରବାରରେ ଚମକିଛି। ଲଣ୍ଡନରେ ଆୟୋଜିତ ଅନ୍ତର୍ଜାତୀୟ ଫ୍ୟାଶନ ଶୋ’ ‘ଲଣ୍ଡନ ଫ୍ୟାଶନ ୱିକ୍’ରେ କଳାହାଣ୍ଡିର ପାରମ୍ପରିକ ହାବସପୁରୀ ପାଟ ଶାଢ଼ି ପ୍ରଦର୍ଶିତ ହୋଇ କଳାହାଣ୍ଡି ଜିଲ୍ଲା ସମେତ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛି। ଏହି ଗୌରବମୟ ସଫଳତା ପଛରେ ରହିଛନ୍ତି କୁନାଗଡ଼ ବ୍ଲକ ଚିଚେଇଗୁଡ଼ା ଗ୍ରାମର ଅନ୍ତର୍ଜାତୀୟ ଫ୍ୟାଶନ ଡିଜାଇନର ସୁଜିତ ମେହେର।ଲଣ୍ଡନ ହାମରସ୍ମିତ ଠାରେ ରବିବାର ଆୟୋଜିତ ଏହି ଫ୍ୟାଶନ ଶୋ’ରେ ସୁଜିତ ଭାରତର ପ୍ରତିନିଧିତ୍ଵ କରି ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ହାବସପୁରୀ ପାଟକୁ ନିଜର ସ୍ୱତନ୍ତ୍ର କଲେକ୍ସନ ଭାବେ ଉପସ୍ଥାପନ କରିଥିଲେ।

ସୁଜିତ ନିଜର ଫ୍ୟାଶନ ଲେବଲ ‘ତିଳୋତ୍ତମା’ମାଧ୍ୟମରେ ସମ୍ବଲପୁରୀ ଓ ହାବସପୁରୀ ବସ୍ତ୍ରର ପୁନରୁଦ୍ଧାର ଏବଂ ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରୁଛନ୍ତି। ଏହି ସଫଳତା ସମ୍ପର୍କରେ ସୁଜିତ କହିଛନ୍ତି, ଲଣ୍ଡନ ଫ୍ୟାଶନ ୱିକ ର ବିଶ୍ବସ୍ତରୀୟ ମଞ୍ଚରେ ଓଡ଼ିଶାର ହାବସପୁରୀ ଓ ସମ୍ବଲପୁରୀ ହସ୍ତତନ୍ତକୁ ଆଧୁନିକ ବିବାହ ପୋଷାକର ନୂଆ ଶୈଳୀରେ ଉପସ୍ଥାପନ କରିବା ତାଙ୍କ ପାଇଁ ଏକ ଅବିସ୍ମରଣୀୟ ଅନୁଭୂତି।ଏହା କେବଳ ଏକ ଫ୍ୟାଶନ ଶୋ’ନୁହେଁ, ବରଂ ନିଜ ମାଟି, ଗାଁ, ସଂସ୍କୃତି ଓ ହସ୍ତତନ୍ତର ଗୌରବକୁ ବିଶ୍ବ ଦରବାରରେ ପହଞ୍ଚାଇବାର ଏକ ଭାବପୂର୍ଣ୍ଣ ଯାତ୍ରା । ନିଜ ଗାଁର ପରିଚୟ ହାବସପୁରୀ ହସ୍ତତନ୍ତକୁ ପୁନର୍ଜୀବିତ କରିବା ତାଙ୍କ ଜୀବନର ଗର୍ବର ଅଧ୍ୟାୟ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ହାବସପୁରୀ ହସ୍ତତନ୍ତବିଶ୍ବର ବୃହତ୍ତମ ଫ୍ୟାଶନ ମଞ୍ଚରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବୁଣାକାରମାନେ ଉଚିତ ସମ୍ମାନ ଓ ସ୍ୱୀକୃତି ପାଆନ୍ତୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *