ଶିକ୍ଷୟିତ୍ରୀଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା : ଭାବବିହ୍ୱଳ ହେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
ବରଗଡ଼/ବିଜେପୁର : ଜଣେ ଶିକ୍ଷୟତ୍ରୀ ବିଦ୍ୟାଳୟରୁ ବିଦାୟ ନେଇ ଯାଇଛନ୍ତି ସତ। ହେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ହୃଦୟରେ ଛାଡ଼ି ଯାଇଥିବା ଅଭୁଲା ସ୍ମୃତିର ନିଦର୍ଶନ ପ୍ରତ୍ୟକ୍ଷଦର୍ଶୀଙ୍କୁ ହିଁ ହୃଦବୋଧ ହେବ। ଏଭଳି ଏକ ଭାବପୂର୍ଣ୍ଣ ପରିବେଶରେ ବରଗଡ଼ ଜିଲ୍ଲା ବିଜେପୁର ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କନ୍ଧରା ପ୍ରାଥମିକ ବିଦ୍ୟାଳୟରେ ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କବିତାରାଣୀ ସାହୁଙ୍କ ଉଦ୍ଦେଶ୍ୟରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ତଥା ଗ୍ରାମବାସୀଙ୍କ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଦାୟୀ ଶିକ୍ଷୟିତ୍ରୀଙ୍କୁ ମାନପତ୍ର, ଉପଢୌକନ ଓ ସମ୍ମାନ ଜଣାଇ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟିଟୋରମ ଲୁହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ବାଳକୃଷ୍ଣ ବାରିକ ଓ ସରୋଜ କୁମାର ମେହେର, ଏସ.ଏମ୍. ସି ଚେୟାରପର୍ସନ ହେମନ୍ତ କୁମ୍ଭାର, ଗ୍ରାମର ଭଦ୍ରବ୍ୟକ୍ତି ଶିକ୍ଷାବିତ୍ ମକରଧ୍ବଜ ଗଡତିଆ, ଜିତେନ୍ଦ୍ର ଅଦାବର, ପ୍ରମୋଦ ଗଡତିଆ ଉପସ୍ଥିତ ରହି ବିଦାୟୀ ଶିକ୍ଷୟିତ୍ରୀଙ୍କ ବିଶାଳ ହୃଦୟ ଓ ମହାନ ବ୍ୟକ୍ତିତ୍ୱ ଉପରେ ଆଲୋଚନା କରିଥିଲେ। ସି.ଆର.ସି.ସି ସୁଧାଂଶୁ ଶେଖର ଜାଲ ସଭା ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଲୁହା ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ଅତିଥି ଓ ଛାତ୍ରଛାତ୍ରୀମାନେ ନିଜ ନିଜର ଅଭିଭାଷଣରେ ଶିକ୍ଷୟିତ୍ରୀଙ୍କ ଅବଦାନ, ଅନୁଭୂତି ଓ ସ୍ମୃତିକୁ ମନେ ପକାଇ ଭାବବିହ୍ୱଳ ହୋଇ ପଡିଥିଲେ। ଅନେକ ମୁହୂର୍ତ୍ତ ଭାବପ୍ରବଣତାରେ ଭରି ଉଠିଥିଲା ପରିବେଶ। କେବଳ ଭାଷଣ ନୁହେଁ, ଛାତ୍ରଛାତ୍ରୀଙ୍କ ସ୍ୱାଗତ ନୃତ୍ୟ ଓ ବିଦାୟ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମକୁ ମଧ୍ୟ ବେଶ୍ ଆକର୍ଷଣୀୟ କରିଥିଲା। ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା ମେହେର ଅଙ୍ଗନୱାଡି କର୍ମୀ ବୀଣାପାଣି ଗଡତିଆ ଏସ୍.ଏମ୍.ସି. କମିଟି ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇଥିଲା।
