ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଆରମ୍ଭ

0 11

ଆଶ୍ୱିନ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ଠାକୁରଙ୍କୁ ରାଧାଦାମୋଦର ବେଶ ହୋଇ ଥାଏ। କାର୍ତ୍ତିକ ମାସରେ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ବେଶର ଏପରି ନାମକରଣ କରାଯାଇଛି । କାର୍ତ୍ତିକ ମାସରେ ରାତ୍ର ଦୁଇଘଡି ଥାଇ ଆଳତି ଅବକାଶ ସରି ତାପରେ ରାଧାଦାମୋଦର ବେଶ ହୋଇ ଠାକୁର ବାଳଧୂପ ପର୍ଯ୍ୟନ୍ତ ରୁହନ୍ତି ।ଏହି ଦାମୋଦର ବେଶ ବା ରାଧାଦାମୋଦର ପୂଜାର ମୂଳରେ ହେଉଛନ୍ତି ଗୋପୀମାନେ କାର୍ତ୍ତିକ ବ୍ରତ ଆଚରଣ କରି ଯମୁନା କୂଳରେ ରାଧାଦାମୋଦରଙ୍କୁ ପୂଜା କରୁଥିଲେ ।
ଏହି ବେଶରେ ଲାଗିହେଉଥିବା ସୁବର୍ଣ୍ଣ ଅଳଙ୍କାରମାନ ହେଲା ସୁବର୍ଣ୍ଣ ଘାଗଡା, କଟି ଓଡିଆଣି, ଚନ୍ଦ୍ରସୁର୍ଯ୍ୟ , ଚନ୍ଦ୍ରିକା ତ୍ରିମୁଣ୍ତି , ତିଳକ , ନଳୀଭୂଜ , କୁଣ୍ତଳ, ତଡଗି ।ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ଲାଗେ । ଫୁଲଠାରୁ ଅଧିକା ସୁବର୍ଣ୍ଣ ଅଳଙ୍କାର ଲାଗେ । ହସ୍ତରେ ନଳୀଭୂଜ ଲଗାଇଦିଆଯାଏ । ମହାପ୍ରଭୁଙ୍କର ଚୂଳରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ତ୍ରିମୁଣ୍ତି ଉପରେ ରହିଥାଏ । ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଏ । କର୍ଣ୍ଣଦେଶରେ କୁଣ୍ତଳ , କଟିଦେଶରେ ଓଡିଆଣୀ, ମସ୍ତକରେ ତଡଗି, ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର , ସୁନା ଅଳଙ୍କାର ସହ ପାଟଶାଢୀ, ଫୁଟା ଶିରିକପଡା, ପହରଣ, ବଳା, ଅଧରବଳା, ଓ ଉତ୍ତରୀୟ ଲାଗିହୁଏ । ଏହି ସମୟରେ ବାଳଭୋଗ ହୁଏ । ତେବେ ଠାକୁର ମାନେ କାର୍ତ୍ତିକ ପଞ୍ଚୁକ ସମୟରେ ରାଧାଦାମୋଦର ବେଶ ନ ହୋଇ ଅନ୍ୟ ପାଞ୍ଚଗୋଟି ବେଶ ହୁଅନ୍ତି। ଲକ୍ଷ୍ମୀ ନାରାୟଣ ବେଶ, ବାଙ୍କଚୂଳ ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶ, ଓ ରାଜରେଜେଶ୍ୱର ବେଶ ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.