ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ
ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କର ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ। ଆରବିଆଇ ଗଭର୍ଣ୍ଣର ସପତ୍ନୀକ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କର ଦର୍ଶନ ସହ ଆଶିଷ ଲାଭ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଆରବିଆଇ ଗଭର୍ଣ୍ଣର ପହଞ୍ଚିବା ପରେ ତାଙ୍କୁ ସେବାୟତ, ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଖଣ୍ଡୁଆ ପାଟ ଦିଆଯାଇ ସ୍ବାଗତ କରାଯାଇଥିଲା। ସିଂହଦ୍ଵାର ଦେଇ ଆରବିଆଇ ଗଭର୍ଣ୍ଣର ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ବେଶ୍ ଭାବ ବିଭୋର ହୋଇଥିଲେ। ପରେ ମା ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କୁ ମଧ୍ୟ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ।
ତେବେ ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର। ଦୀର୍ଘ ତିନି ବର୍ଷ ପରେ ମହାପ୍ରଭୁଙ୍କର ଦର୍ଶନ କରିବାର ଆଜି ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଦେଶର ମଙ୍ଗଳ କାମନା ସହ ଅର୍ଥନୀତି କ୍ଷେତ୍ରରେ ଆମ ଦେଶର ଯେଭଳି ଉତ୍ତରତ୍ତୋର ଉନ୍ନତି ହେବ ସେନେଇ ମଧ୍ୟ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି ଆରବିଆଇ ଗଭର୍ଣ୍ଣର। ଓଡ଼ିଶା ଠାରୁ ଦୂରରେ ରହିଲେ ମଧ୍ୟ ସବୁବେଳେ, ସବୁ କାର୍ଯ୍ୟରେ ସେ ମହାପ୍ରଭୁଙ୍କୁ ସ୍ମରଣ କରନ୍ତି। ଦୀର୍ଘ ତିନି ବର୍ଷ ପରେ ମହାପ୍ରଭୁଙ୍କର ଦର୍ଶନ କରି ଯେଉଁ ଅନୁଭୂତି ଓ ଶାନ୍ତି ମିଳିଛି ତାହା ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ କହିଛନ୍ତି ଆରବିଆଇ ଗଭର୍ଣ୍ଣର।