ଶ୍ରୀମନ୍ଦିର ରେ ଭିଆଇପି ଦର୍ଶନ ନାଁରେ ଚାଲିଥିଲା ଭକ୍ତ ଙ୍କୁ ଠକେଇ ଅଭିଯୋଗ
ଆକ୍ସନ ମୋଡ୍ରେ ପୁରୀ ପୋଲିସ
୮ ଜଣ ଦଲାଲ ଙ୍କୁ ଗିରଫ କଲା ପୋଲିସ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଶୋଷଣ କରୁଥିବା ଦଲାଲଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁରୀ ପୋଲିସ। ସିଂହଦ୍ଵାର ଥାନା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କରାଯାଇ ଗତ ୫ ଦିନ ମଧ୍ୟରେ ୧୧ ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଆଜି ୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁରୀ ଏସପି ପ୍ରତୀକ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଗିରଫ ଅଭିଯୁକ୍ତମାନେ ହେଲେ ଶଙ୍କର ବିଶ୍ବାଳ, ଅରୁଣ ପାତ୍ର, ବାବୁନି ମହାପାତ୍ର, ସର୍ବେଶ୍ଵର ରାଉତ, ରଣଜିତ ସାମନ୍ତରାୟ, ବିକ୍ରମ ପ୍ରଧାନ, ଅଜୟ କୁମାର ଜେନା ଏବଂ ଉମାକାନ୍ତ ପାଢୀ।
ଶ୍ରୀମନ୍ଦିର ରେ ଭିଆଇପି ଦର୍ଶନ କରାଇବା କହି କିଛି ଦଲାଲ ରାଜ୍ଯ ବାହାର ର ଭକ୍ତ ଙ୍କୁ ଟାର୍ଗେଟ କରୁଥିଲେ। ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଲମ୍ବା ଲାଇନ୍ ରହୁଥିବା ବେଳେ ପ୍ରାୟ ଦୁଇ ଘଣ୍ଟା ବ୍ୟାରିକେଡ଼ ରେ ରହିବାକୁ ପଡୁଛି। ଏହାର ଫାଇଦା ନେଇ କିଛି ଦଲାଲ ଗଳା ବାଟ ରେ ଶ୍ରୀମନ୍ଦିର ରେ ପ୍ରବେଶ କରାଇ ଭିଆଇପି ଦର୍ଶନ କରାଇବା କହି ୫ ଶହ ରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଦାବି କରୁଥିଲେ। ଆଉ ଏହି ଦଲାଲ ଙ୍କ ହାବୁଡ ରେ ପଡି ଭକ୍ତ ମାନେ ଠକେଇ ର ଶିକାର ହେଉଥିଲେ। ଟଙ୍କା ନେଇ ଏହି ଦଲାଲ ମାନେ ଫେରାର ହୋଇଯାଉଥିଲେ। ତେବେ ଏ ନେଇ ବାରମ୍ବାର ମିଡିଆ ରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ଆସିଛି ପୁରୀ ପୋଲିସ। ପୁରୀ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଦଲାଲ ଙ୍କ ବିରୁଦ୍ଧ ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ତେବେ ଏନେଇ ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି ଯେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ କୌଣସି ପ୍ରକାରେ ଦଲାଲ୍ଙ୍କ ସଂସ୍ପର୍ଶରେ ନ ଆସି ସିଧାସଳଖ ଶୃଙ୍ଖଳିତ ଭାବେ ଦର୍ଶନ କରନ୍ତୁ। ଶ୍ରୀମନ୍ଦିର ରେ କୌଣସି ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ନାହିଁ। ଏଣୁ କେହି ଯଦି ସ୍ବତନ୍ତ୍ର ଦର୍ଶନ ନାଁରେ ଟଙ୍କା ଦାବି କରୁଛନ୍ତି ତେବେ ଭକ୍ତ ମାନେ ସତର୍କ ରୁହନ୍ତୁ। ସଙ୍ଗେ ସଙ୍ଗେ ନିକଟ ରେ ଥିବା ପୋଲିସ କୁ ସୂଚନା ଦିଅନ୍ତୁ। ଉକ୍ତ ଦଲାଲ ଙ୍କ ବିରୁଦ୍ଧ ରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ତେବେ ଶ୍ରୀମନ୍ଦିର ପରିସର ଏବଂ ଏହାର ଆଖପାଖ ଅଞ୍ଚଳକୁ ଦଲାଲମୁକ୍ତ କରିବା ପାଇଁ ଆଗାମୀ ଦିନରେ ମଧ୍ୟ ଏହି ଚଢ଼ାଉ ଜାରି ରହିବ।
