August 21, 2026
Home » ସଂସଦ ଚାଲ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଯୁବା ସଂଗଠନର ସାଥୀ ସାମିଲ

ସଂସଦ ଚାଲ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଯୁବା ସଂଗଠନର ସାଥୀ ସାମିଲ

0
WhatsApp Image 2026-07-27 at 7.46.24 PM

 

କଟକ: ଗତ ତିନି ଦଶନ୍ଧି ଧରି ଗାନ୍ଧୀବାଦୀ ଚିନ୍ତାଧାରାକୁ ଆଧାର କରି କାର୍ଯ୍ୟ କରିଆସୁଥିବା ଅଖିଳ ଭାରତୀୟ ଯୁବ ସଂଗଠନ “ରାଷ୍ଟ୍ରୀୟ ଯୁବ ସଂଗଠନ”ର ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଦୁଇଶହ ଯୁବ ସାଥୀ ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଯୁବ ଆନ୍ଦୋଳନ ଏବଂ ୨୦ ଜୁଲାଇର ଚାଲ ସଂସଦ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସମ୍ଭାବ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଓ ଗିରଫଦାରୀର ଆଶଙ୍କାକୁ ଦୃଷ୍ଟିରେ ରଖି ସଂଗଠନ ପକ୍ଷରୁ ବହୁ ପୂର୍ବରୁ ଜନ୍ତର-ମନ୍ତରରେ ପହଂଚି ଆନ୍ଦୋଳନରତ ଯୁବକ ମାନଙ୍କ ସହ ଅବସ୍ଥାନ କରିବା ସହିତ ସଂସଦ ଅଭିମୁଖେ ପଦଯାତ୍ରାରେ ମଧ୍ୟ ସାମିଲ ହୋଇଥିଲେ । ସାଥୀମାନେ ‘ହମଲା ଚାହେ ଜୈସେ ହୋଗା, ହାତ ହମାରା ନେହିଁ ଉଠେଗା’ ତଥା ‘ପୋଲିସ ହମାରା ଭାଇ ହେ, ଉସସେ ନେହିଁ ଲଢାଇ ହେ’ ଆଦି ସ୍ଲୋଗାନ ମାନ ଦେଇ ଏହି ଯାତ୍ରାରେ ସାମିଲ ହୋଇଥିଲେ । ଅନେକ ସାଥୀଙ୍କ ସହ ଓଡ଼ିଶାର ଅରୁଣ ଭୋଳ, ସୁବ୍ରତ କୁମାର ଭୋଇ, କର୍ମବୀର କଳ୍ପତରୁ ଦାସ ପ୍ରମୁଖ ଲାଠିମାଡ଼ ଓ ଲୁହ ବୁହା ଗ୍ୟାସର ଶୀକାର ହୋଇଛନ୍ତି ବୋଲି ସଂଗଠନ ପକ୍ଷରୁ ପ୍ରେସ ବାର୍ତ୍ତାରେ କୁହାହୋଇଛି ।
ପରଦିନ ମାନଙ୍କରେ ମଧ୍ୟ ସାଥୀମାନେ ପୁଣି ଜନ୍ତର-ମନ୍ତରରେ ପହଞ୍ଚି ପୋଲିସ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଜାରି ରଖିଥିଲେ । ଆନ୍ଦୋଳନରେ ନିଜର ଅନୁଭୂତି ବର୍ଣ୍ଣନା କରି ସାଗର ଦାସ କହିଛନ୍ତି ଯେ,“ଆମେ ଜନ୍ତର-ମନ୍ତରକୁ ଦର୍ଶକ ଭାବେ ନୁହେଁ, ବରଂ ସାରା ଦେଶରୁ ଆସିଥିବା ଯୁବଗୋଷ୍ଠୀମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହେବାକୁ ଯାଇଥିଲୁ । ୨୦ ଜୁଲାଇରେ ଲାଠିଚାର୍ଜ ହେଲା, ଲୁହବୁହା ଗ୍ୟାସ ଛଡ଼ାଗଲା, ସାଥୀମାନେ ବିଛିନ୍ନ ହୋଇଗଲେ; କିନ୍ତୁ କାହାରି ସାହସ ଭାଙ୍ଗିନଥିଲା । ସେହିଦିନ ଆମେ କେବଳ ରାଷ୍ଟ୍ରଶକ୍ତିର କଠୋରତା ଦେଖିନଥିଲୁ, ବରଂ ସତ୍ୟାଗ୍ରହର ଶକ୍ତିକୁ ମଧ୍ୟ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଥିଲୁ । ଗାନ୍ଧୀଜୀଙ୍କ ଅହିଂସାର ପାଠକୁ ଏପର୍ଯ୍ୟନ୍ତ ପୁସ୍ତକରେ ପଢ଼ିଥିଲୁ, ଆଜି ତାହାକୁ ଜନ୍ତର-ମନ୍ତରର ରାସ୍ତାରେ ବାସ୍ତବରେ ଜୀବନ୍ତ ରୂପରେ ଅନୁଭବ କଲୁ ।”
ରାଷ୍ଟ୍ରୀୟ ସଂଯୋଜକ ସୂର୍ଯ୍ୟନାରାୟଣ ନାଥ କହିଛନ୍ତି ଯେ ଜନ୍ତର-ମନ୍ତରର ଅନୁଭୂତି ଏହି ବିଶ୍ୱାସକୁ ଆହୁରି ସୁଦୃଢ଼ କରିଛି ଯେ, ଦେଶର ଯୁବସମାଜ ଗଣତାନ୍ତ୍ରିକ ମୂଲ୍ୟବୋଧ, ଅହିଂସାତ୍ମକ ସଂଘର୍ଷ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଆଗେଇ ଆସିବାକୁ ପ୍ରସ୍ତୁତ । ସଂଗଠନ ଆନ୍ଦୋଳନରେ ସାମିଲ ଯୁବକ ମାନଙ୍କର ଶୃଙ୍ଖଳା, ସାହସ, ସେବାଭାବ ଏବଂ ପରସ୍ପର ସହଯୋଗର ଉଚ୍ଚ ପ୍ରଶଂସା କରିଛି ।
ରାଷ୍ଟ୍ରୀୟ ଯୁବ ସଂଗଠନ ନିଷ୍ପତ୍ତି ନେଇଛି ଯେ ଜନ୍ତର-ମନ୍ତରରୁ ଉଠିଥିବା ଏହି ସନ୍ଦେଶକୁ ସମଗ୍ର ଦେଶରେ ପହଞ୍ଚାଯିବ । ନିମନ୍ତେ ଆସନ୍ତା ଛଅ ସପ୍ତାହ ଧରି ସଂଗଠନ ବିଭିନ୍ନ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା, ସମସ୍ତ ସରକାରଙ୍କର ଗଣତାନ୍ତ୍ରିକ ଉତ୍ତରଦାୟିତ୍ୱ ଏବଂ ସାମ୍ପ୍ରଦାୟିକ ସଦଭାବ ପ୍ରସଙ୍ଗରେ ଜନସଂଳାପ, ସଭା, ପଦଯାତ୍ରା ଓ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ ଆୟୋଜନ କରିବ । ଏହି ଅଭିଯାନର ପ୍ରମୁଖ କାର୍ଯ୍ୟକ୍ରମ କ୍ରାନ୍ତି ଦିବସ ୯ ଅଗଷ୍ଟ, ସ୍ୱାଧୀନତା ଦିବସ ତଥା ଅଗଷ୍ଟ ଶେଷ ସପ୍ତାହରେ ପାଳିତ ହେଉଥିବା ଇଦ୍-ଏ-ମିଲାଦ ଓ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆୟୋଜିତ ହେବ । ସଂଗଠନର ମତ ଅନୁଯାୟୀ, ଶିକ୍ଷା, ଗଣତନ୍ତ୍ର ଓ ସାମାଜିକ ସଦଭାବକୁ ସମାନ ଗୁରୁତ୍ୱ ଦେଇ ଗଢ଼ିଉଠୁଥିବା ଜନ ଆନ୍ଦୋଳନ ହିଁ ଭାରତର ଭବିଷ୍ୟତକୁ ନୂତନ ଦିଗ ପ୍ରଦାନକରିବ ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।