July 6, 2026
Home » ସଙ୍କଳ୍ପ ସିନିୟର୍ ସେକେଣ୍ଡାରୀ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ପରିବେଶ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପ

ସଙ୍କଳ୍ପ ସିନିୟର୍ ସେକେଣ୍ଡାରୀ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ପରିବେଶ ସୁରକ୍ଷା ପାଇଁ ସାମୂହିକ ସଂକଳ୍ପ

0
WhatsApp Image 2026-07-06 at 2.50.12 PM

ବ୍ରହ୍ମପୁର, ରାଳବସ୍ଥିତ ସଙ୍କଳ୍ପ ସିନିୟର୍ ସେକେଣ୍ଡାରୀ ବିଦ୍ୟାଳୟ, ପକ୍ଷରୁ ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ବନମହୋତ୍ସବ ସପ୍ତାହ ଅବସରରେ ଆଜି ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ୍ୟ ଓ ଭାବଗମ୍ଭୀର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ଅଭ୍ୟର୍ଥନା, ସମବେତ ସଙ୍ଗୀତ, ଅଧ୍ୟକ୍ଷୀୟ ଅଭିଭାଷଣ, ଛାତ୍ରଛାତ୍ରୀଙ୍କ ଦ୍ୱାରା ପଥପ୍ରାନ୍ତ କ୍ଷୁଦ୍ର ନାଟିକା ‘ବନମହୋତ୍ସବ : ପରିବେଶ ବଞ୍ଚାଅ–ଜୀବନ ବଞ୍ଚାଅ’, ଫ୍ୟାନ୍ସି ଡ୍ରେସ୍, ଦଳଗତ ନୃତ୍ୟ, କୃତଜ୍ଞତା ଜ୍ଞାପନ ଓ ଜାତୀୟ ସଙ୍ଗୀତ ପରିବେଷଣ ସହ କାର୍ଯ୍ୟକ୍ରମ ସୁସମ୍ପନ୍ନ ହୋଇଥିଲା।

ମୁଖ୍ୟ ଅତିଥି ଶ୍ରୀ ସନ୍ନି ଖୋଖର (ଆଇଏଫଏସ୍), ଡିଏଫଓ ନିଜ ବକ୍ତବ୍ୟରେ କହିଥିଲେ ଯେ କେବଳ ବୃକ୍ଷରୋପଣ କଲେ ହେବ ନାହିଁ, ବରଂ ବୃକ୍ଷର ସୁରକ୍ଷା ଓ ପରିଚର୍ଯ୍ୟା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ସେ ବିଦ୍ୟାଳୟକୁ ବିଭିନ୍ନ ପ୍ରଜାତିର ଚାରା ଓ ବୀଜ ପ୍ରଦାନ କରିବାକୁ ଘୋଷଣା କରିବା ସହ ଛାତ୍ରଛାତ୍ରୀଙ୍କୁ ସେଗୁଡ଼ିକୁ ଘରେ ଓ ସ୍ଥାନୀୟ ଅଞ୍ଚଳରେ ରୋପଣ କରି ପରିବେଶ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଜଣାଇଥିଲେ। ସେ ଆହୁରି କହିଥିଲେ ଯେ ବୃକ୍ଷ ଭୂସ୍ଖଳନ ରୋକିବା ସହ ପାହାଡ଼ିଆ ଝରଣା ଓ ପ୍ରାକୃତିକ ସନ୍ତୁଳନର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।ସମ୍ମାନିତ ଅତିଥି ଡ଼. ଶଙ୍କର ନାରାୟଣ ବେଜୋ, ଅବସରପ୍ରାପ୍ତ ବିଇଓ, ଦିଗପହାଣ୍ଡି ବନମହୋତ୍ସବର ଐତିହାସିକ ପୃଷ୍ଠଭୂମି ଉପସ୍ଥାପନ କରି କହିଥିଲେ ଯେ ୧୯୫୦ ମସିହାରେ ଏହାର ଶୁଭାରମ୍ଭ ହୋଇଥିଲା ଏବଂ ଚଳିତ ବର୍ଷ ୭୭ତମ ବର୍ଷ ପାଳନ କରାଯାଉଛି। ପରିବେଶ ସଂରକ୍ଷଣକୁ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ସେ “ଗୋଟିଏ ଗଛ—କୋଟିଏ ଟଙ୍କା” ମହାମନ୍ତ୍ରକୁ ଆପଣାଇବାକୁ ଆହ୍ୱାନ ଜଣାଇଥିଲେ। ବିଦ୍ୟାଳୟର ଚେୟାରମ୍ୟାନ୍ ନିଜ ଅଭିଭାଷଣରେ ବୃକ୍ଷ, ଜଳ ଓ ବିଦ୍ୟୁତ୍ ସମ୍ପଦର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିବା ସହ ଏକକ-ବ୍ୟବହାରଯୋଗ୍ୟ (ସିଙ୍ଗଲ୍-ୟୁଜ୍) ପ୍ଲାଷ୍ଟିକର ବ୍ୟବହାର ପରିହାର କରିବାକୁ ଆହ୍ୱାନ ଜଣାଇଥିଲେ। ଏହି ପରିବେଶ ସୁରକ୍ଷାର ବାର୍ତ୍ତାକୁ ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବା ପାଇଁ ସେ ସମସ୍ତଙ୍କୁ ପ୍ରେରିତ କରିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମନରେ ପରିବେଶ ସୁରକ୍ଷାର ମୂଲ୍ୟବୋଧ ସୁଦୃଢ଼ ଭାବେ ବିକଶିତ ହୋଇଛି। ସେ କହିଥିଲେ, ଛାତ୍ରଛାତ୍ରୀମାନେ କେବଳ ବୃକ୍ଷରୋପଣ ନୁହେଁ, ବରଂ ପ୍ରତ୍ୟେକ ଗଛର ସୁରକ୍ଷା ଓ ଯତ୍ନକୁ ନିଜର ଦାୟିତ୍ୱ ବୋଲି ଗ୍ରହଣ କରିଛନ୍ତି। ବିଦ୍ୟାଳୟରେ ଶିକ୍ଷା ସହ ପରିବେଶ ସଂରକ୍ଷଣର ସଂସ୍କାରକୁ ସମାନ ଗୁରୁତ୍ୱ ଦିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ।
ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣରେ କାର୍ଯ୍ୟକ୍ରମଟି ସଫଳ, ସୁଶୃଙ୍ଖଳ ଓ ସ୍ମରଣୀୟ ହୋଇଥିଲା। ବନମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ବରଂ ପ୍ରକୃତି ସଂରକ୍ଷଣ ପ୍ରତି ସାମୂହିକ ଦାୟିତ୍ୱବୋଧ ଜାଗ୍ରତ କରିବାର ଏକ ସାର୍ଥକ ପ୍ରୟାସ ବୋଲି ଉପସ୍ଥିତ ସମସ୍ତେ ମତ ପ୍ରକାଶ କରିଥିଲେ।

 

brahmpur epa ru narasingh dakua nka report

Leave a Reply

Your email address will not be published. Required fields are marked *