ସରକାରଙ୍କର ପ୍ରଗତି ଯାତ୍ରାରେ ସାହିତ୍ୟିକ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର, ସରକାରଙ୍କର ପ୍ରଗତି ଯାତ୍ରାରେ ସାହିତ୍ୟିକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାହିତ୍ୟିକମାନେ ସେମାନଙ୍କର କଲମ ମୁନରେ ଲୋକ କଲ୍ୟାଣକାରୀ କାର୍ଯ୍ୟଗୁଡ଼ିକର ସୁନ୍ଦର ମୂଲ୍ୟାୟନ କରିଥାନ୍ତି । ସେମାନଙ୍କର ସାରସ୍ୱତ ସୃଷ୍ଟିରେ ସରକାରଙ୍କର ଜନକଲ୍ୟାଣ ବାର୍ତ୍ତା ଯାଜୁଲ୍ୟମାନ ହୋଇ ରହିଥାଏ । ସରକାର ସାହିତ୍ୟିକ ଓ ସାହିତ୍ୟ ସଂସ୍କୃତିର ଉନ୍ନତି ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ରେଡକ୍ରସ ଭବନ ସଭା ଗୃହରେ ବହୁପୁରାତନ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ଚଲାପଥର ଏକ ବିଶେଷ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଚଲାପଥର ସଭାପତି ବିଜୟଲକ୍ଷ୍ମୀ ମହାନ୍ତିପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଚଲାପଥର ପ୍ରତିଷ୍ଠାତା ମୂଖ୍ୟ ଉପଦେଷ୍ଟା, ବରିଷ୍ଠ ରାଜନେତା ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ବିଶେଷ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବିଶିଷ୍ଟ ଲେଖକ ତଥା ପ୍ରାକ୍ତନ ବିଚାରପତି ଭିକାରୀ ଚରଣ ରାଉତ ଉଦ୍ଘାଟକ ଭାବେ ଯୋଗ ଦେଇଥିଲେ, ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ସଂସ୍କୃତିର ଉପାସକ ତଥା ରାଜ୍ୟ ଗୃହ ବିଭାଗର ଆଡ଼ିସ୍ନାଲ ସେକ୍ରେଟାରୀ ବରିଷ୍ଠ ପ୍ରଶାସକ ଭବେଶ କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ସାରସ୍ୱତ ସାଧକ, ବରିଷ୍ଠ ପ୍ରଶାସକ ଦାନଗଦି ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ, ସାହିତ୍ୟିକ ଧ୍ରୁବ ଚରଣ ସେଠୀ, କବୀ ଦିପ୍ତୀରେଖା ଦାସ, ଅଧ୍ୟାପିକା ଗୀତାଶ୍ରୀ ପ୍ରିୟମ୍ବଦା, ଚଲାପଥର ଉପସଭାପତି ଭୂବନ ମୋହନ ମହାନ୍ତି, ଚଲାପଥର ପ୍ରତିଷ୍ଠାତା ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ହଳଧର ଧୀର ପ୍ରମୁଖ ଉଦ୍ବୋଧନ ଦେଇ ସାହିତ୍ୟିକ ମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ବରିଷ୍ଠ ପ୍ରଶାସକ ଦିଗନ୍ତ କୁମାର ରାଉତରାୟ, ଆକାଶବାଣୀର ଉପନିର୍ଦ୍ଦେଶକ ପ୍ରକାଶ ଦାସ ଓ ଡାକ୍ତର ପ୍ରଫେସ୍ ପାତ୍ରଙ୍କୁ ସମ୍ମାନ ଜନକ ଚଲାପଥ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଏକ ମନୋଜ୍ଞ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ କବି ଅଂଶ ଗ୍ରହଣ କରିଥିଲେ ।
