ସାଇ ଇଣ୍ଟରନ୍ୟାଶନାଲ୍ କଲେଜରେ ‘ଜୁଭେଣ୍ଟିକା ଆଉଟ୍ରିଚ୍’ କାର୍ଯ୍ୟକ୍ରମ
ସାଇବର ଅପରାଧ, ନାରୀ ସୁରକ୍ଷା ଓ ବାଲ୍ୟବିବାହ ନିରାକରଣ ଉପରେ ସଚେତନତା
ଜୟପୁର,: ଅନ୍ତର୍ଜାତୀୟ କନ୍ୟାଶିଶୁ ଦିବସ ଅବସରରେ ଜୟପୁରସ୍ଥିତ ସାଇ ଇଣ୍ଟରନ୍ୟାଶନାଲ୍ କଲେଜରେ ଆୟୋଜିତ ‘ଜୁଭେଣ୍ଟିକା ଆଉଟ୍ରିଚ୍’ କାର୍ଯ୍ୟକ୍ରମର ଗୁରୁତ୍ୱ ବିଶେଷ ଭାବେ ଉଲ୍ଲେଖନୀୟ। ଗତ ୯ ଅକ୍ଟୋବରରେ ଜୟପୁର ଟାଉନ୍ ଥାନା ପକ୍ଷରୁ କଲେଜର ଚେୟାରମ୍ୟାନ୍ ଶ୍ରୀ ଦୀପକ ପଟ୍ଟନାୟକଙ୍କ ସହଯୋଗରେ ଏହି ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଜୟପୁର ଟାଉନ୍ ଥାନାର ସବ୍-ଇନ୍ସପେକ୍ଟର ଦୀପକ ପଣ୍ଡା ଓ ସବ୍-ଇନ୍ସପେକ୍ଟର ରାଜେନ୍ଦ୍ର ପାଙ୍ଗି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସାଇବର ଅପରାଧ, ଅନଲାଇନ୍ ଠକେଇରୁ ସୁରକ୍ଷା, ସୋସିଆଲ୍ ମିଡିଆର ସୁରକ୍ଷିତ ବ୍ୟବହାର ଏବଂ ନାରୀ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ।


ଏଥିସହ ବାଲ୍ୟବିବାହର କୁପରିଣାମ, କନ୍ୟାଶିଶୁଙ୍କ ଅଧିକାର ଓ ସେମାନଙ୍କ ଶିକ୍ଷା ତଥା ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।ଏହି ଅବସରରେ କଲେଜର ଜୀବବିଜ୍ଞାନ ଅଧ୍ୟାପକ ଉଦ୍ଧବ ସାହୁ, ଆଇଟି ଅଧ୍ୟାପକ ନିରଞ୍ଜନ ସାହୁ ଏବଂ ଇଂରାଜୀ ଅଧ୍ୟାପକ ନରେଶ ପ୍ରଧାନଙ୍କ ସମେତ କଲେଜର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ। ସମସ୍ତଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ପରିଚାଳିତ ହୋଇଥିଲା।ଅନ୍ତର୍ଜାତୀୟ କନ୍ୟାଶିଶୁ ଦିବସ ଅବସରରେ ଏଭଳି ସଚେତନତାମୂଳକ ପଦକ୍ଷେପ କନ୍ୟାଶିଶୁଙ୍କ ଅଧିକାର, ସମ୍ମାନ, ସୁରକ୍ଷା ଓ ସମାନ ସୁଯୋଗ ସମ୍ପର୍କରେ ସମାଜକୁ ସଚେତନ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ଆଇନ ପ୍ରତି ସମ୍ମାନ ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି କରିବାରେ ସହାୟକ ହେବ।
