June 8, 2026
Home » ସାମସଫ୍ଟ କମ୍ପ୍ୟୁଟର ଏଡ଼ୁକେସନ ପକ୍ଷରୁ ସାର୍ଟିଫିକେଟ ବିତରଣ ଓ ସ୍ୱାଗତ ଉତ୍ସବ ଅନୁଷ୍ଠିତ

ସାମସଫ୍ଟ କମ୍ପ୍ୟୁଟର ଏଡ଼ୁକେସନ ପକ୍ଷରୁ ସାର୍ଟିଫିକେଟ ବିତରଣ ଓ ସ୍ୱାଗତ ଉତ୍ସବ ଅନୁଷ୍ଠିତ

0
WhatsApp Image 2026-06-08 at 11.14.23 AM

 

ପୁରୀ :ସାମସଫ୍ଟ କମ୍ପ୍ୟୁଟର ଏଡ଼ୁକେସନ ପକ୍ଷରୁ ସଫଳତାର ସହ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ବିତରଣ ଏବଂ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ଏକ ଭବ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା, ଦକ୍ଷତା ବିକାଶ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ବିଶିଷ୍ଟ ଅତିଥିମାନେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ଶଙ୍କର୍ଷଣ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ଦେଶ୍ୟ କରି କହିଥିଲେ ଯେ, ବର୍ତ୍ତମାନର ଡିଜିଟାଲ ଯୁଗରେ କମ୍ପ୍ୟୁଟର ଶିକ୍ଷା ଓ ବୈଷୟିକ ଜ୍ଞାନର ଗୁରୁତ୍ୱ ଦିନକୁ ଦିନ ବୃଦ୍ଧି ପାଉଛି। କେବଳ ପାଠ୍ୟପୁସ୍ତକ ଜ୍ଞାନ ନୁହେଁ, ବରଂ ପ୍ରଯୁକ୍ତିଗତ ଦକ୍ଷତା ହିଁ ଭବିଷ୍ୟତରେ ସଫଳତାର ମୂଳ ଆଧାର ହୋଇପାରିବ। ସେ ଛାତ୍ରଛାତ୍ରୀଙ୍କୁ ନିଷ୍ଠା ଓ ପରିଶ୍ରମ ସହିତ ନିଜ ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ।
ଅତିଥି ଭାବେ ଯୋଗଦେଇଥିବା ଅଧ୍ୟାପିକା ସଂଘମିତ୍ରା ମହାପାତ୍ର ଶିକ୍ଷା କ୍ଷେତ୍ରରେ କମ୍ପ୍ୟୁଟର ଜ୍ଞାନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ସମୟରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟବହାର ବଢ଼ୁଥିବାରୁ ଯୁବପିଢ଼ିଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।

ସେହିପରି କିଟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ଼ଃ ପ୍ରଦ୍ୟୁମ୍ନ ସାଥୁଆ ଛାତ୍ରଛାତ୍ରୀଙ୍କୁ ନିଜର ଦକ୍ଷତା ବୃଦ୍ଧି କରିବା ସହ ନୂତନ ନୂତନ ପ୍ରଯୁକ୍ତି ସମ୍ପର୍କରେ ସଚେତନ ରହିବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ, ଆତ୍ମବିଶ୍ୱାସ, ଅଧ୍ୟବସାୟ ଓ ନିରନ୍ତର ଶିକ୍ଷା ହିଁ ସଫଳତାର ଚାବିକାଠି।

ଏହି ଅବସରରେ ସଂସ୍ଥାର ପ୍ରତିଷ୍ଠାତା ପ୍ରେମାନନ୍ଦ ଥାଟୋଇ ଏବଂ ପରିଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ଥାଟୋଇ ଉପସ୍ଥିତ ସମସ୍ତ ଅତିଥି, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇ ସଂସ୍ଥାର ବିଭିନ୍ନ ଶିକ୍ଷାମୂଳକ କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସେମାନେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସଂସ୍ଥାର ଅବଦାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କହିଥିଲେ।
ପରେ ସଫଳତାର ସହ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ କରକମଳରେ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ସାର୍ଟିଫିକେଟ ପାଇଥିବା ଛାତ୍ରଛାତ୍ରୀମାନେ ନିଜର ଅନୁଭୂତି ପ୍ରକାଶ କରି ସଂସ୍ଥାର ଶିକ୍ଷାଦାନ ପଦ୍ଧତି ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।
ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ, ସଙ୍ଗୀତ, ଆବୃତ୍ତି ଓ ବିଭିନ୍ନ ସାଂସ୍କୃତିକ ପରିବେଷଣ କରାଯାଇଥିଲା। ଏହି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକମାନଙ୍କ ମନୋରଞ୍ଜନ କରିବା ସହ ସମଗ୍ର ପରିବେଶକୁ ଉତ୍ସବମୁଖର କରିଥିଲା। ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମର ସମାପନ ଘୋଷଣା କରାଯାଇଥିଲା।

Leave a Reply

Your email address will not be published. Required fields are marked *

You may have missed