April 25, 2026
Home » ସୁବର୍ଣ୍ଣପୁର ଜିଲ୍ଲାର ୬ ଟି ତହସିଲରେ ହାଇଟେକ ସର୍ଭେ ର ଚୂଡାନ୍ତ ପଟ୍ଟା ବଣ୍ଟନ କାର୍ଯ୍ୟ ଆରମ୍ଭ

ସୁବର୍ଣ୍ଣପୁର ଜିଲ୍ଲାର ୬ ଟି ତହସିଲରେ ହାଇଟେକ ସର୍ଭେ ର ଚୂଡାନ୍ତ ପଟ୍ଟା ବଣ୍ଟନ କାର୍ଯ୍ୟ ଆରମ୍ଭ

0
WhatsApp Image 2026-04-23 at 4.42.01 PM

ସୁବର୍ଣ୍ଣପୁର— ବୁଧବାର ଦିନ ଠାରୁ ସୁବର୍ଣ୍ଣପୁର ଜିଲ୍ଲାର ଅତି ପ୍ରତିକ୍ଷୀତ ହାଇଟେକ ସର୍ଭେ ର ଚୂଡାନ୍ତ ପଟ୍ଟା ବଣ୍ଟନ କାର୍ଯକ୍ରମର ଶୁଭାରମ୍ଭ ହୋଉଛି । ପ୍ରଥମ ଦିନରେ ଜିଲ୍ଲାର ୬ଟି ତହସିଲରେ ୧୬୦ରୁ ଅଧିକ ପଟ୍ଟା ବଣ୍ଟନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ପର୍ଯବେକ୍ଷଣ କମିଟିର ଅଧ୍ୟକ୍ଷ ତଥା ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ନିଜେ ଉପସ୍ଥିତ ରହି ବୀରମହାରାଜପୁର ତହସିଲ ଅନ୍ତର୍ଗତ ପିତାମହୁଲ ଠାରେ ଚୌହାନପୁର ମୌଜାର ହାଇଟେକ ସର୍ଭେର ଚୂଡାନ୍ତ ପଟ୍ଟା ବଣ୍ଟନ କରିଛନ୍ତି। ଏହି କାର୍ଯକ୍ରମରେ ଜିଲ୍ଲାପାଳ ଡ଼.ନୃପରାଜ ସାହୁ,ବୀରମହାରାଜପୁର ଉପଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ସାଂସଦଙ୍କ ପ୍ରତିନିଧି ନଳିନୀ ପଣ୍ଡା ଏବଂ ସମାଜସେବୀ ଶ୍ରୀ ବେଣୁଧର ଦାଶ ଯୋଗଦେଇଥିଲେ। ବୀରମହାରାଜପୁର ତହସିଲଦାର ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚୌହାନପୁର ମୌଜାର ମୋଟ ୨୫ ଜଣ ରୟତଙ୍କୁ ପଟ୍ଟା ପ୍ରଦାନ କରାଯାଇଛି।
ସେହିପରି ଉଲୁଣ୍ଡା ତହସିଲର ଘମଡିଆପାଲି ଗ୍ରାମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ ନିଜେ ଉପସ୍ଥିତ ରହି ୭୯ଟି ପଟ୍ଟା ବଣ୍ଟନ କରିଥିଲେ। ଜିଲ୍ଲାର ସୋନପୁର ତହସିଲ ଅନ୍ତର୍ଗତ ଶିଆଳଜୁରୀରେ ୩୮ ଜଣ ଗ୍ରାମବାସୀଙ୍କୁ ପଟ୍ଟା ଦିଆଯାଇଥିଲା। ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ସୋନପୁର ଉପଜିଲ୍ଲାପାଳ ଡ଼.ସୌମ୍ୟାରୁପା ରଥ, ତହସିଲଦାର ଜି. ରଶ୍ମିରେଖା ଓ ଡେପୁଟି କଲେକ୍ଟର ସିଦ୍ଧାର୍ଥ ଦାସ ଉପସ୍ଥିତ ଥିଲେ। ବିନକା ଏବଂ ରାମପୁର ତହସିଲରେ ୮ଟି ଲେଖାଏ ପଟ୍ଟା ବଣ୍ଟନ କରାଯାଇଛି।ଏହି ଅବସରରେ ଜିଲ୍ଲାପାଳ ଡ଼. ସାହୁ କହିଥିଲେ ଯେ, ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସହିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏହି କାର୍ଯକ୍ରମ ଆରମ୍ଭ ହୋଇଛି। ଦଶନ୍ଧିଧରି ଚାଲିଥିବା ସମସ୍ୟାକୁ ଏହା ଦୂର କରିବ। ସୂଚନା ଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲାର ୯୮୯ଟି ଗ୍ରାମ ମଧ୍ୟରୁ ୬୦୮ଟି ଗ୍ରାମରେ ସର୍ଭେ ସମାପ୍ତ ହୋଇଥିବାବେଳେ ଅବଶିଷ୍ଟ ଗ୍ରାମର କାମ ଅତିଶୀଘ୍ର ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରହିଛି । ଯେଉଁ ଗ୍ରାମ ମାନଙ୍କର ସର୍ଭେ ସରିଛି ସେହି ଗ୍ରାମ ମାନଙ୍କର ପଟ୍ଟା ବଣ୍ଟନ ଏବଂ ରହିଯାଇଥିବା ଗ୍ରାମ ମାନଙ୍କର ହାଇଟେକ ସର୍ଭେ କାମ ଏକା ସାଙ୍ଗରେ ଚାଲିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *