September 13, 2026
Home » ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ

ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ

0
WhatsApp Image 2026-09-13 at 4.06.21 PM

 

ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ଓ ଜନସେବାରୁ ପ୍ରେରଣା ନେଇ ଦେଶବ୍ୟାପୀ ଭାବେ ଆରମ୍ଭ ହେଉଥିବା ‘ସେବା ସଂକଳ୍ପ ଅଭିଯାନ’କୁ ଓଡ଼ିଶାରେ ଏକ ବ୍ୟାପକ ଜନସେବା ଅଭିଯାନରେ ପରିଣତ କରାଯିବ । ସେବାକୁ କେବଳ ଏକ କାର୍ଯ୍ୟକ୍ରମରେ ସୀମିତ ନରଖି ଏହାକୁ ଜନଭାଗିଦାରୀର ଏକ ଆନ୍ଦୋଳନରେ ପରିଣତ କରିବାକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଆହ୍ୱାନ ଦେଇଛନ୍ତି ।

ଡଃ ମହାପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ୨୫ ବର୍ଷର ସାର୍ବଜନୀନ ଜୀବନ ହେଉଛି ସେବା, ସମର୍ପଣ ଓ ରାଷ୍ଟ୍ର ନିର୍ମାଣର ଏକ ଦୀର୍ଘ ଯାତ୍ରା । ଏହି ଯାତ୍ରାରୁ ପ୍ରେରଣା ନେଇ ‘ସେବା ସଂକଳ୍ପ’ ଅଭିଯାନର ଲକ୍ଷ୍ୟ ହେଉଛି ସମାଜର ପ୍ରତ୍ୟେକ ବର୍ଗ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜନସେବା ସହ ଯୋଡ଼ିବା । ରାଜନୀତି କେବଳ ନିର୍ବାଚନକୁ କେନ୍ଦ୍ର କରି ନୁହେଁ, ବରଂ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଓ ଆବଶ୍ୟକ ସମୟରେ ଲୋକଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ଜନସେବା ବୋଲି ସେ କହିଛନ୍ତି ।

ଓଡ଼ିଶାରେ ଏହି ଅଭିଯାନକୁ ସାଂଗଠନିକ ଜିଲ୍ଲା, ମଣ୍ଡଳ ଓ ବୁଥ୍ ସ୍ତର ପର୍ଯ୍ୟନ୍ତ ନେଇଯିବା ସହ ସମାଜର ଶେଷ ପର୍ଯ୍ୟାୟରେ ଥିବା ଲୋକଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱ ଦିଆଯିବ । ଜନଜାତି ସମାଜ, ମହିଳା, ଚାଷୀ, ଯୁବକ, ଗରିବ ଓ ବଞ୍ଚିତ ବର୍ଗଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ଶୁଣିବା, ସେମାନଙ୍କ ଆବଶ୍ୟକତା ବୁଝିବା ଏବଂ ଯଥାସମ୍ଭବ ସହଯୋଗ କରିବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ରହିବ ।

ଅଭିଯାନ ଅବସରରେ ରକ୍ତଦାନ ଶିବିର, ସ୍ୱଚ୍ଛତା ଅଭିଯାନ, ଶ୍ରମଦାନ, ବୃକ୍ଷରୋପଣ, ଜନସଚେତନତା ଓ ବିଭିନ୍ନ ସାମାଜିକ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେବା କେବଳ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସୀମିତ ନରହି ସାଧାରଣ ନାଗରିକଙ୍କୁ ମଧ୍ୟ ଏହାର ସକ୍ରିୟ ଅଂଶୀଦାର କରିବାକୁ ଉଦ୍ୟମ କରାଯିବ ।

ଡଃ ମହାପାତ୍ର କହିଛନ୍ତି, “ସେବାର ଆକାର ବଡ଼ ହେବା ଆବଶ୍ୟକ ନାହିଁ, ସେବାର ଭାବନା ବଡ଼ ହେବା ଆବଶ୍ୟକ ।” ଜଣେ ବ୍ୟକ୍ତି ରକ୍ତଦାନ କରି, ଗଛ ଲଗାଇ, ସ୍ୱଚ୍ଛତା କାର୍ଯ୍ୟରେ ଯୋଗଦେଇ କିମ୍ବା ଜଣେ ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ସରକାରୀ ଯୋଜନାର ଲାଭ ପାଇବାରେ ସହଯୋଗ କରି ମଧ୍ୟ ରାଷ୍ଟ୍ରସେବାରେ ନିଜର ଯୋଗଦାନ ଦେଇପାରିବେ ।

ଯୁବଶକ୍ତିକୁ ଅଭିଯାନର ଏକ ପ୍ରମୁଖ ଅଂଶ କରାଯିବ। ସ୍କୁଲ ଓ କଲେଜ ସ୍ତରରେ ଚିତ୍ରାଙ୍କନ, ଭାଷଣ, ଆଲୋଚନା ଓ ବିଭିନ୍ନ ସୃଜନଶୀଳ ପ୍ରତିଯୋଗିତା ମାଧ୍ୟମରେ ‘ବିକଶିତ ଭାରତ-୨୦୪୭’, ରାଷ୍ଟ୍ର ନିର୍ମାଣ, ଜନସେବା ଓ ଯୁବଶକ୍ତି ଭଳି ବିଷୟ ଉପରେ ଯୁବପିଢ଼ିଙ୍କ ଚିନ୍ତନ ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରାଯିବ । ଆଜିର ଯୁବପିଢ଼ି କେବଳ ନିଜର ଭବିଷ୍ୟତ ନୁହେଁ, ଓଡ଼ିଶା ଓ ଭାରତର ଭବିଷ୍ୟତ ଗଢ଼ିବାର ମୁଖ୍ୟ ଶକ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ମହିଳା ସଶକ୍ତୀକରଣ, ଚାଷୀଙ୍କ ସମୃଦ୍ଧି, ଯୁବକଙ୍କ ଦକ୍ଷତା ବିକାଶ, ଗରିବଙ୍କ କଲ୍ୟାଣ ଓ ଜନଜାତି ସମାଜର ଉନ୍ନତିକୁ ମଧ୍ୟ ଏହି ଅଭିଯାନର ସେବାମୂଳକ ଦୃଷ୍ଟିକୋଣ ସହ ଯୋଡ଼ାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଓ ସୁବିଧା ସମାଜର ଶେଷ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବା ନେଇ ଜନସଚେତନତା ଓ ସହଯୋଗମୂଳକ କାର୍ଯ୍ୟକ୍ରମକୁ ଗତିଶୀଳ କରାଯିବ ।

“ସେବା ସଂକଳ୍ପ ଅଭିଯାନ କେବଳ ଏକ ମାସର କାର୍ଯ୍ୟକ୍ରମ ନୁହେଁ; ଏହା ଏକ ଚିନ୍ତାଧାରା, ଏକ ଦାୟିତ୍ୱ ଓ ଏକ ଦୀର୍ଘକାଳୀନ ସଂକଳ୍ପ। ସେବାରୁ ସମୃଦ୍ଧି, ସଂକଳ୍ପରୁ ବିକାଶ ଏବଂ ଜନଭାଗିଦାରୀରୁ ବିକଶିତ ଓଡ଼ିଶା—ଏହା ଆମର ଲକ୍ଷ୍ୟ,” ଡଃ ମହାପାତ୍ର କହିଛନ୍ତି ।

ଏହି ଅବସରରେ ସେ ଓଡ଼ିଶାବାସୀଙ୍କୁ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଦେଇ କହିଛନ୍ତି ଯେ, ଗୋଟିଏ ଦିନର ଶ୍ରମଦାନ, ଗୋଟିଏ ୟୁନିଟ୍ ରକ୍ତଦାନ, ଗୋଟିଏ ଗଛରୋପଣ, ଜଣେ ଅସହାୟଙ୍କୁ ସହାୟତା କିମ୍ବା ଜଣେ ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ତାଙ୍କ ଅଧିକାର ଓ ସରକାରୀ ସୁବିଧା ବିଷୟରେ ସଚେତନ କରିବା—ପ୍ରତ୍ୟେକ ଛୋଟ ଯୋଗଦାନ ମଧ୍ୟ ରାଷ୍ଟ୍ରସେବାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ।

ସେ କହିଛନ୍ତି, “ଆସନ୍ତୁ, ସେବାକୁ କେବଳ ଏକ କାର୍ଯ୍ୟକ୍ରମରେ ସୀମିତ ନରଖି ଏହାକୁ ଜନଜୀବନର ଏକ ଅଭ୍ୟାସରେ ପରିଣତ କରିବା । ସେବାରୁ ସଂକଳ୍ପ, ସଂକଳ୍ପରୁ ବିକାଶ ଏବଂ ବିକାଶରୁ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନ କରିବା”

Leave a Reply

Your email address will not be published. Required fields are marked *