May 13, 2025
Home » ସୋଆରେ ଲେଖା ସମ୍ପାଦନା ଉପରେ ୫-ଦିନିଆ କର୍ମଶାଳା ଆରମ୍ଭ

ସୋଆରେ ଲେଖା ସମ୍ପାଦନା ଉପରେ ୫-ଦିନିଆ କର୍ମଶାଳା ଆରମ୍ଭ

0
workshop

ଭୁବନେଶ୍ୱର, ଏପ୍ରିଲ ୨୩ : ପୁରାତନ ଓଡ଼ିଆ ପୋଥିଗୁଡ଼ିକର ଲେଖା ସମ୍ପାଦନା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଠାରେ ବୁଧବାର ଏକ ୫-ଦିନିଆ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି। ଏହି କର୍ମଶାଳାରେ ଲେଖା ସମ୍ପାଦନାରେ ଦକ୍ଷତା ବୃଦ୍ଧି ପାଇଁ ୧୫ ଜଣ ଗବେଷକଙ୍କୁ ତାଲିମ ଦିଆଯିବ। ସୋଆ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ୧୫ ଜଣ ଗବେଷକ ଏହି କର୍ମଶାଳାରେ ଯୋଗ ଦେଇଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଲୋଚକ ଓ ଅନୁବାଦକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଯୋଗ ଦେଇ କହିଥିଲେ ଯେ ପୁରାତନ ଓଡ଼ିଆ ପୋଥିଗୁଡ଼ିକୁ ପଢ଼ି ସେଗୁଡ଼ିକ ଉଦ୍ଧାର କରିବା ନିମନ୍ତେ ଦକ୍ଷତା ଆବଶ୍ୟକ। ମାତ୍ର ଏ ବିଷୟରେ ଓଡ଼ିଶାର କୈଣସି ବିଶ୍ୱବିଦ୍ୟାଳୟରେ ଶିକ୍ଷା ଦିଆଯାଉ ନାହିଁ। ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି କର୍ମଶାଳା ଆୟୋଜନ ଏକ ସମୟପୋଯୋଗୀ ପଦକ୍ଷେପ ବୋଲି ସେ କହିଥିଲେ।
ଏହି କର୍ମଶାଳାକୁ ସୋଆ ପରିଚାଳିତ ସେଂଟର ଫର ପ୍ରୋପାଗେସନ୍‌, ପ୍ରିଜରଭେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ଦ୍ୱାରା ଆୟୋଜନ କରାଯାଇଛି। ଏହି କ୍ଷେତ୍ରରେ ବିଶେଷ ପାରଦର୍ଶିତା ଥିବା ତିନି ଜଣ ବିଶେଷଜ୍ଞ ପ୍ରଫେସର ଗୌରାଙ୍ଗ ଚରଣ ଦାଶ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଓ ପ୍ରଫେସର ସନ୍ତୋଷ କୁମାର ରଥ କର୍ମଶାଳାରେ ଯୋଗ ଦେଇଥିବା ଗବେଷକମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ପ୍ରାଚୀନ ପକ୍ଷରୁ ବର୍ତମାନ ସାରୋଳଦାସ ମହାଭାରଥର ସମ୍ପାଦନା କାର୍ଯ୍ୟ ଜାରି ରହିଛି। ସମ୍ପାଦକମାନଙ୍କୁ ତାଲିମ ଦେଇ ଦକ୍ଷତା ବୃଦ୍ଧି କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା କହିଥିଲେ ଯେ ଏ ପର୍ଯ୍ୟନ୍ତ ଓଡ଼ିଶାରେ ଏହି ଧରଣର କର୍ମଶାଳା ଆୟୋଜିତ ହୋଇ ନଥିଲା। ପ୍ରଫେସର ଗୌରାଙ୍ଗ ଚରଣ ଦାଶ କର୍ମଶାଳାର ପୃଷ୍ଠଭୂମି ବିଷୟରେ ବକ୍ତବ୍ୟ ରଖିଥିଲେ। ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଡ. ନିହାର ରଞ୍ଜନ ମିଶ୍ର ଓ ଶ୍ରୀ ଜୀବନ କୁମାର ପଣ୍ଡା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *