July 3, 2026
Home » ​ସୋନପୁର ମ୍ୟୁନିସିପାଲିଟି ମହାନଦୀ ଶାଖା ନଦୀ ଯୋଜନା

​ସୋନପୁର ମ୍ୟୁନିସିପାଲିଟି ମହାନଦୀ ଶାଖା ନଦୀ ଯୋଜନା

0
WhatsApp Image 2026-07-03 at 12.26.46 PM

ପୌରପରିଷଦ ବିକାଶର ପୋଲ୍ ଖୋଲିଲା ବର୍ଷା: ରାସ୍ତାରେ ୫ ଫୁଟ୍‌ ପାଣି, ଉନ୍ନତିକରଣ ନାଁରେ ଚେୟାରମ୍ୟାନ୍ ଓ ଇଓ ମାଲେମାଲ୍ l
​ସୁବର୍ଣ୍ଣପୁର:ସୋନପୁର ମ୍ୟୁନିସିପାଲିଟି ଅଞ୍ଚଳରେ ବିକାଶର ବାସ୍ତବ ଚିତ୍ର ଏବେ ପଦାରେ ପଡ଼ିଛି। ସାମାନ୍ୟ ବର୍ଷାରେ ସହରର ନିଷ୍କାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି। ବିଶେଷ କରି ମହାନଦୀ ଶାଖା ନଦୀ ଯୋଜନା ଏବଂ ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି। ଗୋକର୍ଣ୍ଣେଶ୍ୱର ୱାର୍ଡ ନମ୍ବର ୨ର ଅବସ୍ଥା ଏବେ ସବୁଠାରୁ ସଙ୍ଗୀନ ହୋଇପଡିଛି। ରାସ୍ତା ଉପରେ ପ୍ରାୟ ୫ ଫୁଟ୍ ଉଚ୍ଚର ପାଣି ଲହଡି ମାରୁଥିବା ବେଳେ ଲୋକଙ୍କ ଘରେ ଡ୍ରେନ୍ ପାଣି ପଶିଯାଇଛି। ଫଳରେ ସ୍ଥାନୀୟ ବାସିନ୍ଦା ହନ୍ତସନ୍ତ ହେଉଛନ୍ତି। ​ଜୁନ୍ ୧୫ ପରେ ଯୋଜନା, ହେଲା ଟଙ୍କା ହରିଲୁଟ୍ ସୂଚନା ଅନୁଯାୟୀ, ଜୁନ୍ ୧୫ ତାରିଖ ପରେ ପୋଖରୀ ଖୋଳା ଏବଂ ଅନ୍ୟାନ୍ୟ ଉନ୍ନତିକରଣ ଯୋଜନା ତରବରିଆ ଭାବେ ଆରମ୍ଭ କରାଯାଇଥିଲା। ବର୍ଷା ଦିନେ ଏଭଳି କାର୍ଯ୍ୟ ଆରମ୍ଭ କରିବା ପଛରେ ଏକ ବଡ଼ ଧରଣର ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ଉନ୍ନତିକରଣ ଯୋଜନା ନାଁରେ ପୌରପରିଷଦର ଚେୟାରମ୍ୟାନ୍ ଏବଂ ନିର୍ବାହୀ ଅଧିକାରୀ (ଇ.ଓ) ମାଲେମାଲ୍ ହୋଇଛନ୍ତି। ବିକାଶ ମୂଳକ କାର୍ଯ୍ୟ କେବଳ କାଗଜପତ୍ରରେ ସୀମିତ ରହିଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଯୋଜନାର ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଛି।

​ଦୁର୍ବିସହ ହୋଇପଡିଛି ଜନଜୀବନ l ଗୋକର୍ଣ୍ଣେଶ୍ୱର ୱାର୍ଡ ନମ୍ବର ୨ର ନାଳ ଗୁଡ଼ିକ ଠିକ୍ ସମୟରେ ସଫା ହୋଇନଥିବାରୁ ଆଜି ରାସ୍ତାରେ ୫ ଫୁଟ୍‌ର ବର୍ଷା ପାଣି ଜମି ରହିଛି। ନର୍ଦ୍ଦମା ପାଣି ସିଧାସଳଖ ଘରେ ପଶିବା ଫଳରେ ଆସବାବପତ୍ର ନଷ୍ଟ ହେବା ସହ ପରିବେଶ ଦୂଷିତ ହୋଇଛି ଏବଂ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ଜରୁରୀକାଳୀନ ପରିସ୍ଥିତି ସତ୍ତ୍ୱେ ମ୍ୟୁନିସିପାଲିଟି ପ୍ରଶାସନ କିମ୍ବା କୌଣସି ଅଧିକାରୀ ସେଠାରେ ପହଞ୍ଚି ନଥିବା ଜଣାପଡିଛି।​ଏହି ଦୁର୍ନୀତିର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ଗୋକର୍ଣ୍ଣେଶ୍ୱର ୱାର୍ଡର ଲୋକଙ୍କୁ ତୁରନ୍ତ ଏହି ଜଳବନ୍ଦୀ ସମସ୍ୟାରୁ ମୁକୁଳିବା ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *