August 8, 2026
Home » ୧୨ ତମ ଜାତୀୟ ହସ୍ତତନ୍ତ ଦିବସ: ଭୁବନେଶ୍ୱରରେ ଆକର୍ଷଣୀୟ ଫ୍ୟାଶନ୍ ସୋ’ରେ ଝଲସିଲା ଓଡ଼ିଶାର ହସ୍ତତନ୍ତ ଓ ବୟନ ଶିଳ୍ପ

୧୨ ତମ ଜାତୀୟ ହସ୍ତତନ୍ତ ଦିବସ: ଭୁବନେଶ୍ୱରରେ ଆକର୍ଷଣୀୟ ଫ୍ୟାଶନ୍ ସୋ’ରେ ଝଲସିଲା ଓଡ଼ିଶାର ହସ୍ତତନ୍ତ ଓ ବୟନ ଶିଳ୍ପ

0
WhatsApp Image 2026-08-08 at 4.22.14 PM (1)

ଭୁବନେଶ୍ୱର,: ୧୨ ତମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରା, ବୁଣାକାରଙ୍କ ଅତୁଳନୀୟ କାରୁକାର୍ଯ୍ୟ ଏବଂ ଏହାର ଆଧୁନିକ ଆଭିମୁଖ୍ୟକୁ ନେଇ ୭ ଅଗଷ୍ଟ ୨୦୨୬ ରେ ଭୁବନେଶ୍ୱରଠାରେ ଓଡିଶାସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏକ ବ୍ୟାପକ ଫ୍ୟାଶନ୍ ସୋ’ ଆୟୋଜିତ ହୋଇଯାଇଛି। ରାଜ୍ୟର ହସ୍ତତନ୍ତ କ୍ଲଷ୍ଟରଗୁଡ଼ିକର ପ୍ରଚାର ପ୍ରସାର କରିବା ସହ ପାରମ୍ପରିକ ବୁଣାକାରୀକୁ ଆଧୁନିକ ଫ୍ୟାଶନ୍ ଶୈଳୀ ସହ ଯୋଡ଼ିବା ପାଇଁ ଆୟୋଜିତ ଏହି ସ୍ୱତନ୍ତ୍ର ର‍୍ୟାମ୍ପ ଶୋ’ରେ ‘ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି’ (ନିଫ୍ଟ), ଭୁବନେଶ୍ୱର ଏବଂ ‘ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଲିଭା’ (Liva) ଦ୍ୱାରା ମୋଟ ୪ଟି ପର୍ଯ୍ୟାୟ(Sequences) ପ୍ରଦର୍ଶିତ ହୋଇଥିଲା। ନିଫ୍ଟ ଭୁବନେଶ୍ୱର ଦ୍ୱାରା ପ୍ରଦର୍ଶିତ ପ୍ରଥମ ଦୁଇଟି ପର୍ଯ୍ୟାୟରେ ଜି.ଆଇ. (GI) ଟ୍ୟାଗ୍ ପ୍ରାପ୍ତ ହସ୍ତତନ୍ତ ବସ୍ତ୍ରକୁ ନେଇ ପ୍ରସ୍ତୁତ ପୋଷାକ ସ୍ଥାନ ଗ୍ରହଣ କରିଥିଲା; ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ଐତିହାସିକ ଧଳାପଥର ପରଦା ଓ ଫ୍ୟାବ୍ରିକ୍‌ରୁ ପ୍ରସ୍ତୁତ ୧୦ଟି ଆଧୁନିକ ପୋଷାକ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଟସର ଫ୍ୟାବ୍ରିକ୍‌ର ୧୦ଟି ଆକର୍ଷଣୀୟ ପୋଷାକ ସ୍ଥାନ ପାଇଥିଲା। ଏହାପରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ‘ଲିଭା’ ଦ୍ୱାରା ପ୍ରଦର୍ଶିତ ଅନ୍ୟ ଦୁଇଟି ପର୍ଯ୍ୟାୟରେ ପାରମ୍ପରିକ ଶିଳ୍ପକଳା ଓ ସମସାମୟିକ ଫ୍ୟାଶନ୍‌ର ଅପୂର୍ବ ମିଶ୍ରଣ ଦେଖିବାକୁ ମିଳିଥିଲା । ଏଥିମଧ୍ୟରୁ ତୃତୀୟ ପର୍ଯ୍ୟାୟରେ ପ୍ରସିଦ୍ଧ ନୂଆପାଟଣା ହସ୍ତତନ୍ତ କ୍ଲଷ୍ଟରର ୧୨ଟି ସୁନ୍ଦର ଶାଢ଼ୀ ଏବଂ ଚତୁର୍ଥ ପର୍ଯ୍ୟାୟରେ ବରଗଡ଼ ଡବଲ୍ ଇକତ୍ ର ଜଟିଳ କଳାତ୍ମକତାକୁ ନେଇ ୧୨ଟି ଆଧୁନିକ ପୋଷାକ (୬ଟି ପୁରୁଷ ଓ ୬ଟି ମହିଳା ପୋଷାକ) ପ୍ରଦର୍ଶିତ ହୋଇଥିଲା । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବୁଣାକାର ସମ୍ପ୍ରଦାୟକୁ ସମ୍ମାନିତ କରିବା, ଆଞ୍ଚଳିକ କାରିଗରୀ କ୍ଲଷ୍ଟରର ବିକାଶ କରିବା ଏବଂ ଓଡ଼ିଶାର ହସ୍ତତନ୍ତକୁ ବିଶ୍ୱ ଫ୍ୟାଶନ୍ ମଞ୍ଚରେ ପ୍ରତିଷ୍ଠିତ କରିବା ପାଇଁ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ସଫଳତାର ସହ ପ୍ରତିଫଳିତ କରିଛି ।ଖୁସିର ବିଷୟ ଯେ, ଆଜି ସକାଳେ (୦୭/୦୮/୨୦୨୬) ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ‘ଲିଭା’ (LIVA) ସହିତ ପୁନରୁଦ୍ଧାରଯୋଗ୍ୟ ଫାଇବର କ୍ଲଷ୍ଟର (ବିଶେଷ କରି LYOCELL) ର ବିକାଶ ଓ ସୁସ୍ଥାୟିତ୍ୱ ପାଇଁ ଏକ ସହମତି ପତ୍ର (MoU) ସ୍ୱାକ୍ଷର କରିଛନ୍ତି।

ବିଭାଗର ସୂଚନା ମୁତାବକ ଏହି ଫ୍ୟାସନ୍ ଶୋ’ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି
ସୁସ୍ଥାୟୀ ଫ୍ୟାସନ୍ (Sustainability): ପାରମ୍ପରିକ କୌଶଳକୁ ସମ୍ମାନ ଦେବା ସହ ପରିବେଶ ଉପରେ ପଡ଼ୁଥିବା କୁପ୍ରଭାବକୁ କମ୍ କରି ଏକ ସୁସ୍ଥାୟୀ ଫ୍ୟାସନ୍ ମଡେଲ୍ ପ୍ରତିଷ୍ଠା କରିବାରେ ଏହା ସହାୟକ ହୋଇଛି।
ମୂଲ୍ୟ ଶୃଙ୍ଖଳା ବିକାଶ (Value Chain Development): ବୁଣାକାର, ଡିଜାଇନର ଏବଂ ଯୋଗାଣ ଶୃଙ୍ଖଳା ସହଯୋଗୀମାନଙ୍କୁ ଏକାଠି ଯୋଡ଼ି ହସ୍ତତନ୍ତ ଗୃହ ଓ କାର୍ଯ୍ୟାଳୟ ବ୍ୟବହାର୍ଯ୍ୟ ବସ୍ତ୍ରଗୁଡ଼ିକର ମାନ ବୃଦ୍ଧି କରିବାରେ ଏହା ସାହାଯ୍ୟ କରିଛି।
ବିଶ୍ୱ ବଜାରରେ ପହଞ୍ଚ (Global Market Access): ବିଶ୍ୱସ୍ତରୀୟ ଗୃହ ଏବଂ କାର୍ଯ୍ୟାଳୟ ଡିଜାଇନ୍ ବଜାରରେ ହସ୍ତତନ୍ତ ରପ୍ତାନି ବୃଦ୍ଧି କରିବା ପାଇଁ ଡିଜାଇନ୍-ଭିତ୍ତିକ ଉତ୍ପାଦ ବିକାଶକୁ ଆଗେଇ ନେବା ଏହାର ପ୍ରମୁଖ ଲକ୍ଷ୍ୟ।

ଏହି ସନ୍ଧ୍ୟାରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ୍ ତାପସ କୁମାର, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ମଧୁସ୍ମିତା ବେହେରା, ଯୁଗ୍ମ ସଚିବ ମମତା ନାୟକ, ସ୍ୱତନ୍ତ୍ର ଅଧିକାରୀ ଇନ୍ଦିରା ବେହେରା, ଜନସଂପର୍କ ଅଧିକାରୀ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ। ଏହାସହ ନିଫ୍ଟ, ଭୁବନେଶ୍ୱର ର ନିର୍ଦ୍ଦେଶିକା ପ୍ରଫେସର ଡକ୍ଟର ବିଭାବରୀ କୁମାର, ଆଦିତ୍ୟ ବିର୍ଲା ଲିଭା ଶାଢ଼ୀ ବର୍ଗର ସିନିଅର ଭାଇସ୍ ପ୍ରେସିଡେଣ୍ଟ ପ୍ରିୟଙ୍କା ପ୍ରିୟଦର୍ଶିନୀ, ଆଦିତ୍ୟ ବିର୍ଲା ଗ୍ରୁପ୍ ତରଫରୁ ଭାବନା ମଲ୍, ଶୁଭେନ୍ଦୁ ବର୍ମନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

 

Leave a Reply

Your email address will not be published. Required fields are marked *