୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ଵର: ୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଏହି ମେଳା ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ସବିଶେଷ ତଥ୍ୟ ରଖି କହିଥିଲେ, ବୁଣାକାର ଓ କାରିଗରଙ୍କ ପାଇଁ ତୋଷାଳି ସ୍ଵଦେଶୀ ମେଳା ସମୃଦ୍ଧିର ମହାକୁମ୍ଭ ହେବ । ସେମାନଙ୍କ ଜୀବନ-ଜୀବିକାକୁ ଅଧିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି ।
ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଥିଲେ, ୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ଆମର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ସଂସ୍କୃତିର ପ୍ରକୃତ ନିଦର୍ଶନ ସାଜିବ । ପାରମ୍ପରିକ ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ସହ ସାମଗ୍ରୀର ବିକ୍ରୟ ନିମନ୍ତେ ଏହି ମେଳା ଭଲ ସୁଯୋଗ ପ୍ରଦାନ କରିବ ।
ସୂଚନାଯୋଗ୍ୟ, ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଚଳିତବର୍ଷ “୨୦ ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା” ଚଳିତ ୧୪ ରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନ ଠାରେ ଆୟୋଜନ ହେବାକୁ ଯାଉଛି । ଚଳିତବର୍ଷର ଥିମ୍ ରହିଛି ସ୍ଵଦେଶୀ ଓ ଆତ୍ମନିର୍ଭର ଭାରତ । ଓଡ଼ିଶା ସମେତ ଦେଶର ୨୦ଟି ରାଜ୍ୟର କାରିଗର, ବୁଣାକାରମାନେ ଏହି ମେଳାରେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ଉତ୍ପାଦ ପ୍ରଦର୍ଶନ କରିବେ ।

ଚଳିତବର୍ଷ ଏହି ମେଳାରେ ୯୦୫ ଗୋଟି ଷ୍ଟଲର ଆୟୋଜନ ହୋଇଛି । ଭାରତ ସରକାରଙ୍କ ହସ୍ତଶିଳ୍ପ ବିକାଶ ଆୟୁକ୍ତଙ୍କ ପ୍ରାୟୋଜିତରେ ବିଭିନ୍ନ ରାଜ୍ୟରୁ ୧୫୦ ଗୋଟି ଷ୍ଟଲରେ ହସ୍ତଶିଳ୍ପ କାରିଗର ଏବଂ ହସ୍ତତନ୍ତ ବିକାଶ ଆୟୁକ୍ତଙ୍କ ପକ୍ଷରୁ ୫୦ ଷ୍ଟଲରେ ବୁଣାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ । ସେହିପରି ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟଙ୍କ ପ୍ରଯୋଜନାରେ ଯଥାକ୍ରମେ ୨୮୧ ଜଣ କାରିଗର ଓ ୧୫୦ ଜଣ ବୁଣାକାର ସେମାନଙ୍କ ଉତ୍ପାଦ ଷ୍ଟଲରେ ପ୍ରଦର୍ଶନ କରିବେ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବର୍ଗର ଉତ୍ପାଦ ୨୦୦ ଗୋଟି ଷ୍ଟଲରେ ଉପଲବ୍ଧ ହେବ । ୬୦ ଗୋଟି ଷ୍ଟଲରେ ଦର୍ଶକମାନେ ସ୍ଵଦେଶୀ ଖାଦ୍ୟର ସ୍ଵାଦ ଚାଖିବେ । ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ରେଶମ ଓଡ଼ିଶା, ଉତ୍କଳିକା ୪ ଗୋଟି ଷ୍ଟଲରେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବେ ।
ହସ୍ତଶିଳ୍ପ; ହସ୍ତତନ୍ତ ଓ ବୟନ ଏବଂ ରେଶମ କ୍ଷେତ୍ରକୁ ନେଇ ପୃଥକ ପୃଥକ ଭାବେ ୩ ଗୋଟି ଥିମ୍ ପାଭିଲିଅନ୍ ପ୍ରସ୍ତୁତ ହୋଇଛି । ଏହି ଥିମ୍ ପାଭିଲିଅନ୍ ରେ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନାର ସଫଳତା ଏବଂ ଘୋଷଣାନାମା ଓ ନୂତନ ପଦକ୍ଷେପ ସମ୍ପର୍କରେ ପ୍ରଦର୍ଶିତ ହେବ । ଏହା ସହ ଲାଇଭ୍ ଡେମନଷ୍ଟ୍ରେସନ୍ ବା ଜୀବନ୍ତ ପ୍ରଦର୍ଶନୀର ବ୍ୟବସ୍ଥା କରାଯାଇଛି ।
ଫେବୃଆରୀ ୨୪ ତାରିଖରେ ସ୍ଥାନୀୟ ଗଣ୍ଡମୁଣ୍ଡା ସ୍ଥିତ କଳାଭୂମି ଠାରେ ୧୦୦୦ ଟେରାକୋଟା ଶିଳ୍ପୀଙ୍କ ମଧ୍ୟରେ ବିଶାଳ ଟେରାକୋଟା କୃତି ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜନ ହେବ ।
ଦିବା ୧୧ ଘଟିକା ଠାରୁ ୨ ଘଟିକା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୪ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ମେଳା ଚାଲୁ ରହିବ । ଖରାକୁ ଦୃଷ୍ଟିରେ ରଖି ଦିବା ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ମେଳା ବନ୍ଦ ରହିବ । ପ୍ରତ୍ୟେକ ଦିନ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ।
ରାଜ୍ୟର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ “ଫ୍ୟାଶନ ଶୋ” ଆୟୋଜନ କରାଯିବ ଯେଉଁଠି ପରିଚିତ ମାଷ୍ଟର ଡିଜାଇନର ଏବଂ ମାଷ୍ଟର ବୁଣାକାରମାନେ ପ୍ରଥମଥର ପାଇଁ ଏଥିରେ ଅଂଶଗ୍ରହଣ କରିବେ । ପ୍ରଥମଥର ପାଇଁ ତୋଷାଳି ସ୍ଵଦେଶୀ ମେଳାରେ “ଡ୍ରୋନ୍ ଶୋ” ପ୍ରଦର୍ଶିତ ହେବ । ପ୍ରତ୍ୟେକ ଦିନ ଆଲୋଚନାଚକ୍ର ଆୟୋଜନ ହେବ ।
ତୋଷାଳି ମେଳା ପରିସରରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଯଥା ଦମକଳ ବାହିନୀ, ନିରାପତ୍ତା ସହାୟତା, ବେସାମରିକ ପ୍ରତିରକ୍ଷା, ସ୍ୱେଚ୍ଛାସେବୀ, ପ୍ରାଥମିକ ଚିକିତ୍ସା ସେବା, ଆମ୍ବୁଲାନ୍ସ ସେବା, ପାନୀୟ ଜଳ, ଶୌଚାଳୟ, ATM କାଉଣ୍ଟର ପାଇଁ ଆମେ ପଦକ୍ଷେପ ନେଇଛୁ । ମହିଳା କାରିଗର ଓ ବୁଣାକାରମାନଙ୍କ ନିମନ୍ତେ ମାଗଣା ରହଣି ତଥା ପରିବହନ ସୁବିଧା ଆଦିର ବ୍ୟବସ୍ଥା କରାଯାଇଛି । ଏହି ମେଳାକୁ ବୟସ୍କ ତଥା ଦିବ୍ୟାଙ୍ଗ ଅନୁକୁଳ ବାତାବରଣରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଅଛି । ହୁଇଲ ଚେୟାର ସହ ଦିବ୍ୟ।ଙ୍ଗ ଓ ବୟସ୍କ ପରିଦର୍ଶକଙ୍କ ପାଇଁ ଏକ ସ୍ଵତନ୍ତ୍ର ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇଛି । ଦିବ୍ୟ।ଙ୍ଗ ମହିଳା ଓ ପୁରୁଷ ପରିଦର୍ଶକମାନଙ୍କ ନିମନ୍ତେ ସ୍ଵତନ୍ତ୍ର ଶୌଚାଳୟର ବନ୍ଦୋବସ୍ତ ହୋଇଛି । ସର୍ବୋପରି ମା’ ଓ ଶିଶୁଙ୍କ ପାଇଁ ଏକ ସ୍ଵତନ୍ତ୍ର ଶିଶୁ ଯତ୍ନ ଗୃହର ପରିକଳ୍ପନା କରାଯାଇଅଛି ।
ଚଳିତ ବର୍ଷ ମେଳାରେ ୩୦ ଲକ୍ଷ ଜନ ସମାବେଶ ସହିତ ୩୦ କୋଟି ଟଙ୍କାର ସାମଗ୍ରୀ ବିକ୍ରି ହେବ ବୋଲି ଆଶା କରାଯାଉଛି ।
ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରାଳୟର ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଓ ବିକାଶ ଆୟୁକ୍ତ (ହସ୍ତତନ୍ତ)ଙ୍କ ମିଳିତ ସହଯୋଗରେ ଏହି ମେଳା ଆୟୋଜନ ହେବାକୁ ଯାଉଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଶାସନ ସଚିବ ପ୍ରତାପ ଚନ୍ଦ୍ର ହୋତା, ହସ୍ତଶିଳ୍ପ ନିର୍ଦ୍ଦେଶକ ଡକ୍ଟର ନିବେଦିତା ପୃଷ୍ଟି, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଯୁଗ୍ମ ସଚିବ ମମତା ନାୟକ, ଉପଶାସନ ସଚିବ ସୁବ୍ରତ କୁମାର ବେହେରା, ଲୋକସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
