୨୦୩୬ ମସିହାକୁ ମୋ ନୟାଗଡ଼ ଜିଲ୍ଲାର ଦୃଷ୍ଟିକୋଣ ଉପରେ ସ୍ଵପ୍ନ ରଖି ବୌଦ୍ଧିକ ଆଲୋଚନା ଓ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି
।
ନୟାଗଡ ( ଇପିଏ ) ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା ଆନୁକୁଲ୍ୟରେ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହ ଠାରେ ସଭାପତି ବସିରନ୍ ବିବିଙ୍କ ସଭାପତିତ୍ବରେ ୨୦୩୬ ମସିହା ମୋ ନୟାଗଡ ଜିଲ୍ଲାର ଦୃଷ୍ଟିକୋଣ ଉପରେ ସ୍ଵପ୍ନ ରଖି ବୌଦ୍ଧିକ ଆଲୋଚନା ଓ କାର୍ଯ୍ୟ ଖସଡ଼ା ପ୍ରସ୍ତୁତିକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଯୋଗ ଦେଇଥିଲେ। କବି ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଅନୁଷ୍ଠାନର ଉପ ସଭାପତି ଅରୁଣ କୁମାର ମହାନ୍ତି ସ୍ବାଗତ ଭାଷଣ ରଖିଥିଲେ।

ଆଲୋଚକ ଭାବେ ଉତ୍କଳ ସମ୍ମିଳନୀ ରାଜ୍ୟ ଶାଖାର କେନ୍ଦ୍ରୀୟ ସଂପାଦକ ପ୍ରଶାନ୍ତ କୁମାର ସାହୁ – ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ସହିତ ଜିଲ୍ଲା ପର୍ଯ୍ୟଟନ, ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଓମାର ମଲିକ୍ ଶିକ୍ଷା, ପ୍ରଶାନ୍ତ କୁମାର ହଜାରୀ, ମୃତ୍ତିକା ସଂରକ୍ଷଣ, ଜଳ ସେଚନ ଓ କୃଷି, ସସ୍ମିତା ଦାଶ ମହିଳା ଓ ଶିଶୁ ସୁରକ୍ଷା ଉପରେ ତଥ୍ୟ ସମ୍ବଳିତ ଉପସ୍ଥାପନା ରଖିଥିଲେ। ଡାକ୍ତର ଅରବିନ୍ଦ ଦାସ, ସ୍ବାସ୍ଥ୍ୟ ସମସ୍ଯା ଏବଂ ଏହାର ସମାଧାନ ଉପରେ ଏକ ଆକର୍ଷଣୀୟ ବିବରଣୀ ପ୍ରଦାନ କରିଥିଲେ। ଶ୍ରୀକୁମାର ରଥ, ଜ୍ଞାନ ପ୍ରକାଶ ବାରିକ, ହାଡ଼ିବନ୍ଧୁ ମହାଖୁଡ଼, କମ୍ରେଡ୍ ବିଶ୍ବନାଥ ମହାପାତ୍ର, ଶ୍ରୀଧର ସାହୁ, ବିଘ୍ନେଶ୍ୱର ବେହେରା, କାମାକ୍ଷା ପ୍ରସାଦ ଦାଶ ଓ ଗୋକୁଳ କୁମାର ଷଡ଼ଙ୍ଗୀ ପ୍ରମୁଖ ପ୍ରଶ୍ନୋତ୍ତର ମାଧ୍ୟମରେ ଆଲୋଚନା ଚକ୍ରକୁ ଚଳ ଚଞ୍ଚଳ କରିଥିଲେ ।


ମୁଖ୍ୟ ଅତିଥି ଇଂ ଦେବାଶିଷ ପଟ୍ଟନାୟକ ନିଜର ବକ୍ତବ୍ୟ ମାଧ୍ୟମରେ, ଆଲୋଚନାର ନିର୍ଯ୍ଯାସକୁ ନେଇ ଜିଲ୍ଲା ପ୍ରଶାସନ ଓ ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ମଧ୍ୟରେ ଏହି ଉପାଦେୟ ଆଲୋଚ୍ଯ ତଥ୍ଯର ସମନ୍ଵୟ ରକ୍ଷା କରିବା ନିମନ୍ତେ ଘୋଷଣା କରିଥିଲେ ଓ ନୟାଗଡ ଜିଲ୍ଲାକୁ ଉନ୍ନତି ପଥରେ ଆଗେଇ ନେବାରେ ମୋର ସହଯୋଗ ରହିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଶ୍ରୀମତୀ ନିରୁପମା ଖଟେଇ ନୟାଗଡ ଜିଲ୍ଲାର ଉନ୍ନତି ପଥରେ ମୁଁ ସବୁବେଳେ ଅଛି ଓ ରହିବି ବୋଲି କହିଥିଲେ ।

ସଭାପତି ଶ୍ରୀମତୀ ବସିରନ୍ ବିବି ଏହି ଆଲୋଚନାଚକ୍ରର ଉପାଦେୟତା, ସମାଜ ଉପକାର ସହିତ ୨୦୩୬ ମସିହାକୁ ବିକଶିତ ନୟାଗଡ ଜିଲ୍ଲା ଓ ବିକଶିତ ଓଡ଼ିଶା ଓଡି଼ଶା ଗଠନରେ ନୟାଗଡ଼ ଜିଲ୍ଲା ଦୃଷ୍ଟିକୋଣ କଣ ହେବା ଉଚିତ ସେହି ବିଷୟ ଉପରେ ଆଲୋକପାତ କରିଥିଲେ ଓ ଆଜିର ଆଲୋଚନାର ବିବରଣୀ, ଉତ୍କଳ ସମ୍ମିଳନୀ ରାଜ୍ୟ ଶାଖାକୁ ପ୍ରେରଣ କରାଯିବ ବୋଲି କହିଥିଲେ । ଉତ୍କଳ ସମ୍ମିଳନୀ ଦଶପଲ୍ଲା ଶାଖାର ସଭ୍ୟ ବୃନ୍ଦ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ନୟାଗଡ ବୁଦ୍ଧିଜୀବି ଓ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହାକୁ ସଫଳ କରିଥିଲେ। ପରିଶେଷର ଅନୁଷ୍ଠାନର ସମ୍ପାଦକ ସୁଦର୍ଶନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନର ସଭ୍ୟମାନଙ୍କ ସାହାଯ୍ୟ ସହଯୋଗରେ ଆଜିର କାର୍ଯକ୍ରମଟି ସଫଳ ରୂପାୟନ ହୋଇପାରିଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
