August 21, 2026
Home » ୨୪ତମ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

୨୪ତମ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

0
WhatsApp Image 2026-02-07 at 8.23.44 PM

 

ଆମ ହସ୍ତତନ୍ତ ସ୍ଵଦେଶୀ, ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ: ମନ୍ତ୍ରୀ ଶ୍ରୀ ବଳ ସାମନ୍ତ

 

ଭୁବନେଶ୍ୱର, :ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଆରମ୍ଭ ହୋଇଛି । ଏହି ମେଳାକୁ ଆନୁଷ୍ଠାନିକ ଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ଉଦ୍‌ଘାଟନ କରି କହିଛନ୍ତି, “ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ନିଦର୍ଶନ । ଏହା ସ୍ଵଦେଶୀ, ସଂସ୍କୃତି ଓ ସମୃଦ୍ଧିର ପ୍ରତୀକ । ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାର ସହ ବୁଣାକାର ବନ୍ଧୁମାନଙ୍କୁ ଆର୍ଥିକଭାବେ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ।”ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ନିଜ ପ୍ରତିକ୍ରିୟାରେ କହିଛନ୍ତି, “ରାଜ୍ୟ ତଥା ଦେଶର ସମସ୍ତ ବୟନ କଳାକୁ ପ୍ରଦର୍ଶିତ କରିବା ସହ ବିକ୍ରୟ ପାଇଁ ଏହି ପ୍ରଦର୍ଶନୀ ଏକ ପ୍ରକୃଷ୍ଟ ମଂଚ । ଉତ୍କୃଷ୍ଟ ବୟନ କଳାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ପ୍ରଦର୍ଶନୀ ମାଧ୍ୟମରେ ବିପଣନ ସହ ଯୁବପିଢିଙ୍କୁ ଆକୃଷ୍ଟ କରିବା ଭଳି ନୂଆ ଡିଜାଇନ୍ ଓ ଡିଜିଟାଲ୍ ମାର୍କେଟିଂକୁ ମଧ୍ୟ ଆମେ ଉତ୍ସାହିତ କରୁଛୁ ।”ସୂଚନାଯୋଗ୍ୟ, ଗୋଟିଏ ସ୍ଥାନରେ ବୟନକଳାକୁ ପ୍ରଦର୍ଶିତ କରିବା ସହ ବୁଣାକାରମାନଙ୍କ ଆର୍ଥିକ ଉନ୍ନତି ନିମନ୍ତେ ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରିବା ହେଉଛି ଏହି ଆୟୋଜନର ମୂଳଲକ୍ଷ୍ୟ । ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଏହାର ପ୍ରାୟୋଜକ ଥିବା ବେଳେ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ୍ (ବୟନିକା) ହେଉଛି ଏହାର ଆୟୋଜକ ।ଏହି ମେଳା ୨୨ ଫେବୃଆରୀ ପର୍ଯ୍ୟନ୍ତ ଚାଲୁ ରହିବ । ପ୍ରତ୍ୟେକ ଦିନ ଦିବା ୧୧ ଘଟିକାରୁ ୯.୩୦ ମିନିଟ୍ ମଧ୍ୟରେ ଲୋକମାନେ ବିଶେଷ ରିହାତି ଦରରେ ମନପସନ୍ଦର ହାତତିଆରି ବସ୍ତ୍ର କିଣିପାରିବେ । ଚଳିତଥର ମୋଟ୍ ୮୦ ଟି ଷ୍ଟଲ୍ ଖୋଲାଯାଇଛି । ବୁଣାକାରଙ୍କ ହିତକୁ ପ୍ରାଥମିକତା ଦେବାକୁ ଯାଇ ପ୍ରଥମଥର ପାଇଁ ସମସ୍ତ ଷ୍ଟଲ୍ ବିନା ମୂଲ୍ୟରେ ବଣ୍ଟନ କରାଯାଇଛି ।

 

ଓଡ଼ିଶାର ୫୦ଟି ପ୍ରାଥମିକ ବୁଣାକାର ସମବାୟ ସମିତି, ଗୋପାଳପୁର ଟାଟା ଅନ୍ତରନ ସମେତ ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ ଏବଂ ରେଶମ ଓଡ଼ିଶା ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏହା ବ୍ୟତୀତ ରାଜ୍ୟ ବାହାରୁ ୨୦ ଜଣ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ହରିୟାଣା, ତାମିଲନାଡ଼ୁ, ତେଲେଙ୍ଗାନା, ଦିଲ୍ଲୀ, ବିହାର, ଉତ୍ତରାଖଣ୍ଡ, ପଞ୍ଜାବ, ଗୁଜରାଟର ବୁଣାକାର ଏଥିରେ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ଥିମ୍ ପାଭିଲିୟନ, ଯାହା ଧଉଳି ଶାନ୍ତିସ୍ତୁପ ଥିମ୍ ଉପରେ ନିର୍ମାଣ କରାଯାଇଛି ।ଏହି ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ଅଂଚଳର ଲୋକାଦୃତ ବୟନବସ୍ତ୍ର ଯଥା: ସମ୍ବଲପୁରୀ ଇକ୍କତ, ସୋନପୁରୀ, ବମକାଇ, ଖଣ୍ଡୁଆପାଟ, ମାଣିଆବନ୍ଧି, କୋଟପାଡ୍ ଆଦି ଉପଲବ୍ଧ ହେବ । ଏହି ପ୍ରଦର୍ଶନୀରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଜାମ୍ମୁ କାଶ୍ମୀରର ପଶ୍ମିନା-ସାଲ୍‌, ତାମିଲନାଡ଼ୁର କାଞ୍ଜିବରମ୍ ପାଟଶାଢ଼ୀ, ଦିଲ୍ଲୀ, ହରିୟାନାର ଫର୍ନିସିଙ୍ଗ୍‌ବସ୍ତ୍ର, କର୍ଣ୍ଣାଟକର ସିଲ୍କ ଶାଢ଼ୀ ଆଦି ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ।ଚଳିତବର୍ଷ ୧୦ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ବିଭାଗ ପକ୍ଷରୁ ଆଶା ରହିଛି । ଏହି ମେଳାରେ ବହୁ ସଂଖ୍ୟାରେ ଗ୍ରାହକମାନେ ଆସି ହସ୍ତତନ୍ତ ବସ୍ତ୍ର କ୍ରୟ କରିବା ସହ ବୁଣାକାରଙ୍କୁ ଉତ୍ସାହିତ କରିବା ପାଇଁ ବୟନିକା ପକ୍ଷରୁ ନିବେଦନ କରାଯାଇଛି । ୨୪ତମ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ ଦଘାଟନୀ ସଂଧ୍ୟାରେ ବୟନିକାର ପରିଚାଳନା ନିର୍ଦ୍ଦେଶକ ନିବେଦିତା ପୃଷ୍ଟି, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।