September 23, 2026
Home » ୫ କ୍ଵିଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ୨ କାର ଓ ୧ ବାଇକ ଜବତ : ୩ ଗିରଫ

୫ କ୍ଵିଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ୨ କାର ଓ ୧ ବାଇକ ଜବତ : ୩ ଗିରଫ

0
WhatsApp Image 2026-09-23 at 1.43.33 PM

 

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ପୋଲିସ କୁ ମିଳିଛି ବଡ ସଫଳତା । ନଶା ମୁକ୍ତ ଓଡିଶା ସ୍ୱତନ୍ତ୍ର ଅଭିଯାନ କ୍ରମେ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯିବା ସହ ପ୍ରାୟ ୫୪୦ କେଜି ଗଞ୍ଜେଇ ଜବତ ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି l ଏଥିସହ ସେମାନଙ୍କ ନିକଟରୁ ୨ ଟି ଦାମୀ କାର, ଗୋଟିଏ ବଇକ୍ ଜବତ ହୋଇଛି। ଜବତ ଗଞ୍ଜେଇର ବଜାର ମୂଲ୍ୟ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି। ଏ ନେଇ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ । ଗୋଇନ୍ଦା ସୂଚନା ଆଧାରରେ ବୌଦ୍ଧ ଜିଲ୍ଲା ରୁ କାର ଯୋଗେ ସୁବଳୟା ରାସ୍ତା ଦେଇ ବିପୁଳ ପରିମାଣର ଗଞ୍ଜେଇ ସମ୍ବଲପୁର ପଟକୁ ଚୋରାଚାଲାଣ ହେଉଥିବା ଓ ଗଞ୍ଜେଇ ବ୍ୟବସାୟୀ କାରକୁ ପାଇଲଟ କରୁଥିବା ସୂଚନା ମିଳିଥିଲା। ସୂଚନା ଆଧାରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୀରମହାରାଜପୁର ଥାନା ପୋଲିସ କାର୍ (ନଂ. ଓଡି୧୭ଏଫ୍ ୭୭୧୭)କୁ ଅଟକ ରଖି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଯାଞ୍ଚ କରିବାରୁ ସେଥିରେ ୩ କ୍ୱିଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଥିଲା। କାର ରୁ ୨ ଗଞ୍ଜେଇ ଚୋରା ଚାଲାଣକାରୀ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଅଞ୍ଚଳର ପିଣ୍ଟୁ ସାହୁ (୩୩) ଓ ଅଭିଜିତ ସିଂହ (୨୮)ଙ୍କୁ ଗିରଫ କରାଯାଇଛି। ସେହିପରି ସୁବଳୟା ଥାନା ପୋଲିସ ଟିମ୍ କାର (ନଂ. ଓଡି ୦୨ବିଏମ୍ ୫୪୪୯)କୁ ଅଟକ ରଖି ଯାଞ୍ଚ କରିବାରୁ ୨ କ୍ୱିଣ୍ଟାଲ ୩୭ କିଲୋ ଗଞ୍ଜେଇ ମିଳିଥିଲା ବେଳେ ମାଫିଆ ମାନେ ପୋଲିସକୁ ଦେଖି ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। କିନ୍ତୁ ଗଞ୍ଜେଇ ମାଫିଆ ମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ଖୁବ୍‌ଶୀଘ୍ର ଗିରଫ କରା‌ଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ନିଜେ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାୟକ ମଧ୍ୟ ଚଢ଼ାଉ ସମୟରେ ଉପସ୍ଥିତ ଥିବା ନଜର କୁ ଆସିଥିଲେ । ସେହିପରି ରାମପୁର ଥାନା ଅଞ୍ଚଳରେ ଏକ ବାଇକ୍ (ନଂ. ଓଡି ୨୭ଡି ୯୧୪୬)ରୁ ୩ କିଲୋ ୪୭୦ଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତିଲପଙ୍ଗା ଅଞ୍ଚଳର ଶିବ ରଣା (୩୨) ଙ୍କୁ ଗିରଫ କରାଯାଇଛି । ସମୁଦାୟ ୫୪୦ କେଜି ଗଞ୍ଜେଇ, ୨ ଗୋଟି କାର ଓ ୧ ବାଇକ୍ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *