ଅଙ୍ଗନୱାଡ଼ି ଶିଶୁ ଙ୍କୁ ଶୀତବସ୍ତ୍ର ଯୋଗାଣ ଟେଣ୍ଡର ପ୍ରକ୍ରିୟା ରେ ଅନିୟମିତତା ଅଭିଯୋଗ l
ସୁବର୍ଣ୍ଣପୁର —- ବୀରମହାରାଜପୁର ବ୍ଲକ ର ଅଙ୍ଗନୱାଡି କେନ୍ଦ୍ର ଛାତ୍ର ଛାତ୍ରୀ ଙ୍କୁ ଶୀତବସ୍ତ୍ର ଯୋଗାଣ ପାଇଁ ଟେଣ୍ଡର ପ୍ରକ୍ରିୟା ରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି l ଏହାର ଶେଷ ତାରିଖ ନଭେମ୍ବର 10 ତାରିଖ ସୁଦ୍ଧା ଆବେଦନ କରାଯିବାର ଅବଧି ରହିଥିଲା l
ଶୀତର ପ୍ରକୋପ ବଢ଼ୁଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ରର କୁନି କୁନି ଶିଶୁମାନଙ୍କୁ ଶୀତରୁ ରକ୍ଷା କରିବା ପାଇଁ ସରକାରଙ୍କ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନର ବ୍ୟବସ୍ଥା କରାଯାଇଛି। କିନ୍ତୁ, ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ ଏବେ ସ୍ୱଚ୍ଛତା ଉପରେ ଉଠିଛି ବଡ଼ ପ୍ରଶ୍ନବାଚୀ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ ଶୀତ ବସ୍ତ୍ର ଯୋଗାଣ ପ୍ରକ୍ରିୟାକୁ ଅତ୍ୟନ୍ତ ଗୋପନୀୟ ରଖାଯାଇ ଅର୍ଥ ବାଟମାରଣା କରିବାକୁ ଚକ୍ରାନ୍ତ ଚାଲିଥିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ଚର୍ଚ୍ଚା ଜୋର ଧରିଛି।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନଭେମ୍ବର 6 ତାରିଖରେ (ଚିଠି ନମ୍ବର- 4037) ଜିଲ୍ଲାର ସମସ୍ତ ବ୍ଲକକୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏଥିରେ ଅଙ୍ଗନବାଡ଼ି ଶିଶୁମାନଙ୍କୁ ଶୀତ ବସ୍ତ୍ର ଯୋଗାଇବା ପାଇଁ ଆଗ୍ରହୀ ଏମ୍.ଏସ୍.ଇ (MSE) ଉତ୍ପାଦକ ଓ ସଂସ୍ଥାମାନଙ୍କୁ ଗତ 10 ତାରିଖ ମଧ୍ୟରେ ନିଜର ସମସ୍ତ ଦଲିଲ ସହ ଆବେଦନ କରିବାକୁ କୁହାଯାଇଥିଲା।
ମାତ୍ର 4 ଦିନର ଏହି ସ୍ୱଳ୍ପ ସମୟ ସୀମା ମଧ୍ୟରେ ବୀରମହାରାଜପୁର ବ୍ଲକର ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ଆଗ୍ରହୀ ଉତ୍ପାଦକ କିମ୍ବା ସଂସ୍ଥାକୁ ଏ ସମ୍ପର୍କରେ ସୂଚନା ଦିଆଯାଇ ନଥିବା ଅଭିଯୋଗ ହୋଇଛି। ଏପରିକି ବ୍ଲକ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କୌଣସି ସୂଚନା ପ୍ରସାର କରାଯାଇ ନଥିବାରୁ ସ୍ଥାନୀୟ ଉତ୍ପାଦକମାନେ ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି।
ସାଧାରଣରେ ଅଭିଯୋଗ ହେଉଛି ଯେ, ଜାଣିଶୁଣି କାହାକୁ ସୂଚନା ନଦେଇ ପରବର୍ତ୍ତୀ ସମୟରେ “କେହି ଆବେଦନ କରିନାହାନ୍ତି” ବୋଲି ଦର୍ଶାଇବାକୁ ଯୋଜନା କରାଯାଇଛି। ଏହାଦ୍ୱାରା ବିଭାଗର କିଛି ଅସାଧୁ ଅଧିକାରୀ ମୁନାଫାଖୋର ବ୍ୟକ୍ତିଙ୍କ ସହ ହାତ ମିଳାଇ ଅଙ୍ଗନବାଡ଼ି ଶିଶୁମାନଙ୍କୁ ନିମ୍ନମାନର ଶୀତ ବସ୍ତ୍ର ଯୋଗାଇ ଦେବେ ଏବଂ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଲକ୍ଷାଧିକ ଟଙ୍କାକୁ ହଡ଼ପ କରିବାକୁ ଉଦ୍ୟମ କରୁଥିବା ସନ୍ଦେହ କରାଯାଉଛି।
ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ (DSWO)ଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, “ଆମ ପାଖରେ ବହୁତ କମ୍ ସମୟ ଥିଲା। ତେବେ କାର୍ଯ୍ୟାଳୟ ନୋଟିସ୍ ବୋର୍ଡରେ ଲଗାଇବା ସହ ଆଗ୍ରହୀ ସଂସ୍ଥାମାନଙ୍କୁ ଜଣାଇବା କଥା l ଯଦି ସେମାନେ ଜଣାଇ ନାହାନ୍ତି, ତେବେ କାହିଁକି ଏପରି ହେଲା ମୁଁ ନିଶ୍ଚୟ ବୁଝିବି ବୋଲି ପ୍ରକାଶ କରିଥିଲେ l ସୁବର୍ଣ୍ଣପୁର ଜିଲ୍ଲା ର 6 ଟି ବ୍ଲକରେ 1556 ଟି ଅଙ୍ଗନୱାଡି କେନ୍ଦ୍ର ରହିଥିବା ଜଣାପଡିଛି l ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ବ୍ଲକ ରେ 240 ଟି, ବିନିକା ବ୍ଲକ ରେ 258 ଟି, ଡୁଙ୍ଗୁରିପାଲି ବ୍ଲକ ରେ 268 ଟି, ତରଭା ବ୍ଲକ ରେ 261 ଟି, ବୀରମହାରାଜପୁର ବ୍ଲକ ରେ 280 ଟି ଓ ଉଲୁଣ୍ଡା ବ୍ଲକ ରେ 249 ଟି ଅଙ୍ଗନୱାଡି କେନ୍ଦ୍ର ରହିଛି l ଅନ୍ୟପଟେ, ଏନେଇ ବୀରମହାରାଜପୁର ଭାରପ୍ରାପ୍ତ ସିଡିପିଓ (CDPO)ଙ୍କ ମତାମତ ନେବା ପାଇଁ ବାରମ୍ବାର ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍ ଗ୍ରହଣ କରିନଥିଲେ, ଯାହାକି ସନ୍ଦେହକୁ ଆହୁରି ଘନୀଭୂତ କରିଛି। ମାତ୍ର 4 ଦିନର ସମୟ ଦେଇ ପ୍ରଶାସନ କାହାକୁ ସୁହାଇଲା ଭଳି କାମ କରୁଛି?
ସିଡିପିଓ ଏବଂ ମିଶନ ଶକ୍ତି ବିଭାଗ କାହିଁକି ସ୍ଥାନୀୟ ଏମ୍.ଏସ୍.ଇ ଉତ୍ପାଦକମାନଙ୍କୁ ଅନ୍ଧାରରେ ରଖିଲେ?
କୁନି ପିଲାଙ୍କ ହକ୍ର ଶୀତ ବସ୍ତ୍ରରେ ଦୁର୍ନୀତି ହେଲେ ଏଥିପାଇଁ ଦାୟୀ ରହିବ କିଏ?
ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏହି ଆବେଦନ ପ୍ରକ୍ରିୟାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଆଗ୍ରହୀ ଉତ୍ପାଦକମାନଙ୍କୁ ପୁନଃ ସୁଯୋଗ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ.
