ଅଡ଼ୁଆରେ ବିଜେଡି: ରାଜା, ଦିଲୀପ, ବିକ୍ରମଙ୍କୁ ନିଲମ୍ବନ କରିପାରୁନି ଦଳ
ଭୁବନେଶ୍ବର: ନିମାପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଦିଲୀପ ନାୟକ ମାସକ ତଳେ ଇଓଡବ୍ଲ୍ୟୁ ଦ୍ବାରା ଗିରଫ ହୋଇଥିଲେ। ୧୨ କୋଟି ଟଙ୍କାର ଏକ ଜମି ଠକେଇ ମାମଲାରେ ସେ ଅଭିଯୁକ୍ତ ଥିଲେ। ମାସେ ହେଲା ଦିଲୀପ ଜେଲ୍ରେ ଅଛନ୍ତି। କିନ୍ତୁ ବିଜେଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରୁନି। ନା ନିଲମ୍ବନ କରିପାରୁଛି ନା ତାଙ୍କୁ ନିର୍ଦ୍ଦୋଷ ବୋଲି ଯୁକ୍ତି ବାଢ଼ିପାରୁଛି।ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ ପଣ୍ଡା ଗିରଫ ହୋଇଛନ୍ତି। ହତ୍ୟା ଷଡ୍ଯନ୍ତ୍ର ଅଭିଯୋଗରେ ସେ ଏବେ ଅଭିଯୁକ୍ତ। ସବୁବେଳେ ଆଇନ ତା’ ବାଟରେ ଯିବ ବୋଲି କହୁଥିବା ବିଜେଡି ଆଜି ଭିନ୍ନ ଅବତାରରେ ଆସିଛି। ଏହାକୁ ଶାସକ ଦଳର ଷଡ୍ଯନ୍ତ୍ର କହି ବିକ୍ରମଙ୍କ ପଛରେ ଠିଆ ହୋଇଛି। ତେଣୁ ତାଙ୍କୁ ମଧ୍ୟ ଦଳରୁ ନିଲମ୍ବନ କରିବାର ପ୍ରଶ୍ନ ଉଠୁନି ବୋଲି ଆଜି ସ୍ପଷ୍ଟ ହୋଇଛି। କିଛି ମାସ ତଳେ କେନ୍ଦୁଝରର ଜଣାଶୁଣା ବିଜେଡି ଯୁବ ନେତା ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳର ହାତ ଯାଇନି। ତାଙ୍କୁ ନିଲମ୍ବନ କରାଯାଇନି କି ତାଙ୍କର କାର୍ଯ୍ୟକଳାପକୁ ଦଳ ନିନ୍ଦା କରିନି। ବିଜେଡି କ୍ଷମତାରେ ଥିଲା ବେଳେ କୋର୍ ଗ୍ରୁପ୍ ସହ ରାଜା ଚକ୍ରଙ୍କର କି ସମ୍ପର୍କ ଥିଲା ଓ କେନ୍ଦୁଝରରେ ସେ କିପରି ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିଲେ, ତାହା କାହାରିକୁ ଅଛପା ନାହିଁ। ଏହା ସତ୍ତ୍ବେ ରାଜାଙ୍କ କାର୍ଯ୍ୟକୁ ନିନ୍ଦା କରିବାକୁ ବିଜେଡି ପାଖରେ ସାହସ ନାହିଁ, ତାହା ସ୍ପଷ୍ଟ ହୋଇଥିଲା।ବିଜେଡିର ଏହି ଆଗ ଧାଡ଼ିର ନେତାମାନେ ଗିରଫ ହେଲା ପରେ ଦଳ ପାଇଁ ଅଡ଼ୁଆ ବଢ଼ିଯାଇଛି। ଯଦିଓ ଦଳ ବିକ୍ରମଙ୍କ ପାଇଁ ବାହାରିଛି, ତେବେ ଦଳର ଆଭିମୁଖ୍ୟ ଗ୍ରହଣୀୟ ହୋଇପାରୁନି। ରାଜା, ଦିଲୀପ, ବିକ୍ରମ କେତେ ଦୂର ଦୋଷୀ, ତାହା ବିଚାର ପ୍ରକ୍ରିୟାରେ ସ୍ପଷ୍ଟ ହେବ। କିନ୍ତୁ କ୍ଷମତାରେ ଥିଲା ବେଳେ ଓ କ୍ଷମତାଚ୍ୟୁତ ହେଲା ପରେ ବିଜେଡିର ଭିନ୍ନ ଭିନ୍ନ ଅବତାର ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଶାସନରେ ଥିଲା ବେଳେ କ୍ଷମତାକୁ ଅପବ୍ୟବହାର କରି ଶତ୍ରୁଙ୍କ ଭାବମୂର୍ତ୍ତିକୁ କିପରି କ୍ଷୁଣ୍ଣ କରାହୁଏ, ତାହାକୁ ବିଜେଡିର କୋର୍ ଗ୍ରୁପ୍ ବେଶ୍ ଚତୁରତାର ସହ କାର୍ଯ୍ୟକାରୀ କରୁଥିଲେ। ଦଳ ଭିତରେ ଯିଏ ତୁଣ୍ଡ ଖୋଲୁଥିଲା, ତା’କୁ ପୁଲିସ ବଳ ଲଗାଇ ଚୁପ୍ କରିଦିଆଯାଉଥିଲା। ମିଛ ମାମଲାରେ ଛନ୍ଦି ଦିଆଯାଉଥିଲା। ଶେଷରେ ଜନବିରୋଧୀ ଆଖ୍ୟା ଦିଆଯାଉଥିଲା। କିନ୍ତୁ ଦଳର ସୁପ୍ରିମୋ ଗଣମାଧ୍ୟମରେ ପୁଲିସର କାର୍ଯ୍ୟକୁ ଯଥାର୍ଥ ଦର୍ଶାଇ ‘ଆଇନ ତା’ବାଟରେ ଯିବ’ ବୋଲି ଧାଡ଼ିକିଆ ମନ୍ତବ୍ୟ ଦେଉଥିଲେ।ଏବେ ଖୋଦ୍ ବିଜେଡି ସେହି ଗାତରେ ପଡ଼ିଯାଇଛି। ପୁଲିସ ଯେତେବେଳେ ସେହି ଦଳର ବ୍ଲୁ ଆଏଡ୍ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହାକୁ ଷଡ୍ଯନ୍ତ୍ର ବୋଲି ଆଖ୍ୟା ଦେଉଛି ବିଜେଡି। ଆଇନ ତା ବାଟରେ ଯିବାକୁ ଆଉ ଅପେକ୍ଷା କରୁନି କି ବିଚାର ପ୍ରକ୍ରିୟା ଉପରେ ଭରସା ରଖି ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବାକୁ ସାହସ ଜୁଟାଇପାରୁନି। କେବଳ ଏହି ଦୁଇ ନେତା ନୁହନ୍ତି। ଦଳର ଆଉ କିଛି ଚର୍ଚ୍ଚିତ ନେତା ମଧ୍ୟ ଗିରଫ ହୋଇସାରିଛନ୍ତି। ଭୁବନେଶ୍ବରର ଆଗଧାଡ଼ିର ନେତା ତଥା କର୍ପୋରେଟର ଅମରେଶ ଜେନା ପୂର୍ବରୁ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଛନ୍ତି। ଅବଶ୍ୟ ତାଙ୍କୁ ଦଳ ନିଲମ୍ବିତ କରିଛି। କିନ୍ତୁ ଦଳର ତଥାକଥିତ ଆଗଧାଡ଼ିର ନେତାମାନେ ଏହାକୁ ନିନ୍ଦା କରିନାହାନ୍ତି। ଆଜି ବ୍ରହ୍ମପୁରରେ ମଧ୍ୟ ହତ୍ୟାକାଣ୍ଡ ମାମଲାରେ ବିଜେଡି କର୍ପୋରେଟର ମଳୟ ବିଷୋୟୀ ଗିରଫ ହୋଇଛନ୍ତି। ଯେହେତୁ ବିକ୍ରମଙ୍କ ପଛରେ ଦଳ ଠିଆ ହୋଇଛି, ତେଣୁ ମଳୟଙ୍କୁ ବିରୋଧ କରିବା ପାଇଁ ବିଜେଡି ପାଖରେ ଆଉ କୌଣସି ବାଟ ନାହିଁ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
