November 23, 2026
Home » ଆତ୍ମସାତ ମାମଲାରେ ପୂର୍ବତନ ପିଇଓ (PEO), ଜେଇ (JE) ଏବଂ ଠିକାଦାର ଗିରଫ

ଆତ୍ମସାତ ମାମଲାରେ ପୂର୍ବତନ ପିଇଓ (PEO), ଜେଇ (JE) ଏବଂ ଠିକାଦାର ଗିରଫ

0
WhatsApp Image 2026-11-22 at 7.02.02 PM (1)

 

ଛତ୍ରପୁର, (ରିପୋର୍ଟ -ସୁଜିତ କୁମାର ପଟ୍ଟନାୟକ ). ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ଷ୍ଟ୍ରିଟ ଲାଇଟ୍ ଦୁର୍ନୀତି ମାମଲା ରେ ସମ୍ପୃକ୍ତ ୦୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ: ୧) ଜେ. ରାମା ରାଓ, ପୂର୍ବତନ ପିଇଓ (PEO), ବାଲ୍ୟାସରା ଗ୍ରାମ ପଞ୍ଚାୟତ, ଜିଲ୍ଲା-ଗଞ୍ଜାମ (ବର୍ତ୍ତମାନ ରଙ୍ଗେଇଲୁଣ୍ଡା ବ୍ଲକ୍, ଗଞ୍ଜାମର ପିଇଓ),୨) ସବ୍ୟସାଚୀ ଗନ୍ତାୟତ, କନିଷ୍ଠ ଯନ୍ତ୍ରୀ (JE), କବିସୂର୍ଯ୍ୟନଗର ବ୍ଲକ୍ (ବାଲ୍ୟାସରା ଗ୍ରାମ ପଞ୍ଚାୟତର ଦାୟିତ୍ୱରେ ଥିବା), ଜିଲ୍ଲା-ଗଞ୍ଜାମ, ଏବଂ୩) କୃଷ୍ଣଚନ୍ଦ୍ର ବେହେରା, ଠିକାଦାର ତଥା ପ୍ରୋପ୍ରାଇଟର୍, ମେସର୍ସ ମା’ ତାରାତାରିଣୀ କନଷ୍ଟ୍ରକସନ, ପୁରୁଷୋତ୍ତମପୁର, ଜିଲ୍ଲା-ଗଞ୍ଜାମ।ସୂଚନାଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ବାଲ୍ୟାସରା ଗ୍ରାମ ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଓ ରକ୍ଷଣାବେକ୍ଷଣ ବାବଦକୁ ଆସିଥିବା ୭,୨୪,୯୫୯/- ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି।ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ଅନ୍ତର୍ଗତ ବାଲ୍ୟାସରା ଗ୍ରାମ ପଞ୍ଚାୟତର ପାଞ୍ଚଟି ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଏବଂ ଏହାର ରକ୍ଷଣାବେକ୍ଷଣ ନାମରେ ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା।

ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ବାଲ୍ୟାସରା ଗ୍ରାମ ପଞ୍ଚାୟତ ଅଧୀନରେ ୧୨୨ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିବା ଦର୍ଶାଯାଇଥିବା ବେଳେ, ଠିକାଦାର କୃଷ୍ଣଚନ୍ଦ୍ର ବେହେରାଙ୍କ ଦ୍ୱାରା ବାସ୍ତବରେ ମାତ୍ର ୨୦ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିଲା ଏବଂ ବାକି ୧୦୨ଟି ଷ୍ଟ୍ରିଟ୍ ଲାଇଟ୍ ଆଦୌ ଲଗାଯାଇ ନଥିଲା। କାମ ନ ହୋଇଥିବା ସତ୍ତ୍ୱେ, ଜେ. ରାମା ରାଓ (ତତ୍କାଳୀନ ପିଇଓ, ବାଲ୍ୟାସରା ଗ୍ରାମ ପଞ୍ଚାୟତ), ସବ୍ୟସାଚୀ ଗନ୍ତାୟତ (କନିଷ୍ଠ ଯନ୍ତ୍ରୀ) ଏବଂ ଶ୍ରୀମତୀ ଝୁଲି ସେଠୀ (ବାଲ୍ୟାସରା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ) ମିଳିତ ଭାବେ ୨୦୨୧-୨୨ ଆର୍ଥିକ ବର୍ଷରେ ସମସ୍ତ ୧୨୨ଟି ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଥିବା ମିଥ୍ୟା ଭାବେ ଦର୍ଶାଇ ବିଲ୍ ପାସ୍ କରିଥିଲେ ଏବଂ ଠିକାଦାର ଶ୍ରୀ ବେହେରାଙ୍କ ସପକ୍ଷରେ ୭,୭୫,୯୩୯/- ଟଙ୍କା ପ୍ରଦାନ କରିଥିଲେ। ୧୦୨ଟି ଷ୍ଟ୍ରିଟ୍ ଲାଇଟ୍ ନ ଲଗାଇବା ଫଳରେ ୬,୮୩,୪୬୫/- ଟଙ୍କା ଆତ୍ମସାତ ହୋଇଥିଲା।
ଏହାବ୍ୟତୀତ, ଷ୍ଟ୍ରିଟ୍ ଲାଇଟ୍ ରକ୍ଷଣାବେକ୍ଷଣ ବାବଦକୁ ଜେ. ରାମା ରାଓଙ୍କୁ ୯୭,୫୦୦/- ଟଙ୍କା ପ୍ରଦାନ କରାଯାଇଥିଲା। ତେବେ ପ୍ରତ୍ୟକ୍ଷ ଯାଞ୍ଚରୁ ଜଣାପଡ଼ିଥିଲା ଯେ ୪୧,୪୯୩/- ଟଙ୍କା ମୂଲ୍ୟର ରକ୍ଷଣାବେକ୍ଷଣ କାର୍ଯ୍ୟ ଆଦୌ କରାଯାଇ ନଥିଲା ଏବଂ ଶ୍ରୀ ରାଓ ଏହି ଅର୍ଥକୁ ଆତ୍ମସାତ କରିଥିଲେ।ମୋଟ ଉପରେ, ବାଲ୍ୟାସରା ଗ୍ରାମ ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଏବଂ ରକ୍ଷଣାବେକ୍ଷଣ ନାମରେ ୭,୨୪,୯୫୮/- ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ ହୋଇଥିବା ଜଣାପଡ଼ିଛି।ଏହି ଘଟଣାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବ୍ରହ୍ମପୁର ଭିଜିଲାନ୍ସ ଥାନା କେସ୍ ନଂ ୧୪/୨୦୨୬ ଅନୁଯାୟୀ ଅଭିଯୁକ୍ତ ପୂର୍ବତନ ପିଇଓ ଜେ. ରାମା ରାଓ, ଜେଇ ସବ୍ୟସାଚୀ ଗନ୍ତାୟତ, ଠିକାଦାର କୃଷ୍ଣଚନ୍ଦ୍ର ବେହେରା ଏବଂ ପୂର୍ବତନ ସରପଞ୍ଚ ଶ୍ରୀମତୀ ଝୁଲି ସେଠୀଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ସେମାନଙ୍କୁ ବ୍ରହ୍ମପୁରସ୍ଥିତ ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟକୁ ଚାଲାଣ କରାଯାଉଛି।

Leave a Reply

Your email address will not be published. Required fields are marked *